ସ୍ବତନ୍ତ୍ର ସାକ୍ଷାତକାରରେ ନିଜ ପରିବାର ବିଷୟରେ ଏମିତି କହିଲେ ଆମୀର ଖାନ
News18 Odia Digital
ନୂଆ ଦିଲ୍ଲୀ: ନିକଟରେ ବଲିଉଡ ଅଭିନେତା ଆମୀର ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଚର୍ଚ୍ଚାରେ ରହିଥିଲେ। ପତ୍ନୀ କିରନ ରାଓଙ୍କଠାରୁ ଅଲଗା ହେବା ଘୋଷଣା କରିବା ପରେ ସେ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ, ଅସଫଳ ବିବାହ ଓ ଜନ୍ମ ଦିନ ପୂର୍ବରୁ ପିଲାମାନଙ୍କ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ରବିବାର ନ୍ୟୁଜ୍ ୧୮ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ସେ ତାଙ୍କ ପରିବାରକୁ ହାଲୁକା ଭାବେ ଗ୍ରହଣ କରିବା ବିଷୟରେ କହିଥିଲେ।
ସେ ନ୍ୟୁଜ୍ ୧୮ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘‘ସାଧାରଣତଃ ଲୋକ ନିଜ କ୍ୟାରିୟରରେ ଅଭିବୃଦ୍ଧି ପାଇଁ ତିନିରୁ ଚାରି ବର୍ଷ ଦିଅନ୍ତି, ବେଳେବେଳେ କିଛି ଲୋକ ଏଥିପାଇଁ ପାଞ୍ଚ ବର୍ଷ ମଧ୍ୟ ନେଇଥାନ୍ତି, କିନ୍ତୁ ମୁଁ ମୋ ପରିବାର ଅପେକ୍ଷା ସବୁବେଳେ ଅଧିକ ସମୟ କ୍ୟାରିୟରକୁ ଧ୍ୟାନ ଦିଏ।’’
‘‘ମୁଁ ମୋ କାମରେ ସମ୍ପୂର୍ଣ୍ଣ ହଜି ଯାଇଥିଲି’’
ଅଭିନେତା ଆହୁରି ମଧ୍ୟ କହିଛନ୍ତି, ‘‘କୌଣସି ସ୍ଥାନରେ ମୁଁ ମୋର ଦାୟିତ୍ବ ପୂରଣ କରି ନାହିଁ, କିନ୍ତୁ ବର୍ତ୍ତମାନ ମୁଁ ମୋର ପିତାମାତା, ଭାଇଭଉଣୀ, ପ୍ରଥମ ପତ୍ନୀ ରୀନା, କିରନ, ରୀନାଙ୍କ ପିତାମାତା, କିରଣଙ୍କ ପିତାମାତା ଓ ମୋ ପିଲାମାନଙ୍କ ସହିତ ଏକ ନୂଆ ଆରମ୍ଭ କରୁଛି। ଏହି ଲୋକ ମୋର ଅତି ନିକଟତର। ମୁଁ ଯେତେବେଳେ ୧୮ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଥିଲି। ମୁଁ ବହୁତ କିଛି ଶିଖିବାକୁ ଚାହୁଁଥିଲି, ବହୁତ କିଛି କରିବାକୁ ଚାହୁଁଥିଲି, ତେଣୁ ମୁଁ ମୋ କାମରେ ସମ୍ପୂର୍ଣ୍ଣ ହଜି ଯାଇଥିଲି, କିନ୍ତୁ ଆଜି ମୁଁ ଅନୁଭବ କଲି ଯେ ମୋ ନିକଟତର ଥିବା ଲୋକ, ଯେଉଁମାନେ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କୁ ମୁଁ ସମୟ ଦେଇପାରିଲିନି।’’
‘‘ମୁଁ ଦର୍ଶକଙ୍କ ହୃଦୟ ଜିତିବାକୁ ଚାହୁଁଥିଲି’’
ଯେତେବେଳେ ସାକ୍ଷାତକାର ସମୟରେ ପଚରାଗଲା ଏହା ଏକ ସ୍ୱାର୍ଥପର କାର୍ଯ୍ୟ କି? ଏହାର ଉତ୍ତରରେ ସେ ସ୍ବୀକାର କରି କହିଥିଲେ, ‘‘ମୁଁ ଦର୍ଶକଙ୍କୁ ଚିହ୍ନିବା ଓ ସମ୍ପର୍କ କରିବାକୁ ଚେଷ୍ଟା କରୁଛି, ଓ ସେହି ସମ୍ପର୍କ ମୋ ସମୟରୁ ଭାବନା ପର୍ଯ୍ୟନ୍ତ ବହୁତ କିଛି ଦେଇଛି। ମୁଁ ଦର୍ଶକଙ୍କ ସହିତ ହସିଛି ଓ ସେମାନଙ୍କ ସହିତ କାନ୍ଦିଛି ମଧ୍ୟ। ଦର୍ଶକ ମୋତେ ସର୍ବଦା ଉତ୍ସାହିତ କରିଥାନ୍ତି ଓ ମୁଁ ମୋର ସମସ୍ତ ସମୟକୁ ମୋ କାମରେ ଦେଇଥିଲି। ମୁଁ ଅନୁଭବ କରିଛି ଯେ ମୋ ପରିବାର ମୋ ସାଥିରେ ଅଛନ୍ତି, ତେଣୁ ମୁଁ ଦର୍ଶକଙ୍କ ହୃଦୟ ଜିତିବାକୁ ଚାହୁଁଥିଲି ଓ ମୁଁ ଏହି କାମରେ ସମ୍ପୂର୍ଣ୍ଣ ହଜି ଯାଇଥିଲି।
ଗତ ବର୍ଷ କିରନ ରାଓଙ୍କଠାରୁ ଅଲଗା ହେବା ଘୋଷଣା କରିଥିଲେ
ପ୍ରକାଶ ଥାଉକି ଆମୀର ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ରୀନା ଦତ୍ତଙ୍କ ସହିତ ହୋଇଥିଲା ଓ ସେମାନଙ୍କର ଦୁଇଟି ସନ୍ତାନ ଜୁନେଦ ଖାନ ଆଇରା ଖାନ। ୧୬ ବର୍ଷ ଏକାଠି ରହିବା ପରେ ୨୦୦୨ରେ ପରସ୍ପରଠାରୁ ଅଲଗା ହୋଇଥିଲେ ଆମୀର ଓ ରୀନା।
ତା’ପରେ ସେ କିରନ ରାଓଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ଏକ ପୁତ୍ର ଆଜାଦ ରାଓ ଖାନ ଥିଲେ। ଏହି ବିବାହର ୧୫ ବର୍ଷ ପରେ ସେ ଗତ ବର୍ଷ କିରନ ରାଓଙ୍କଠାରୁ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।