News18 Odia Digital
Satyajit Ray’s birth anniversary: There's always some room for improvisation. ଭାଷା ଯାହା ବି ହେଉନା କାହିଁକି, ଶବ୍ଦର ଏକ ଲୟ ଥାଏ। ଏହି ଲୟ ଠିକ୍ ହେବା ଦରକାର। ଯଦି ଗୋଟିଏ ସୁର ଖାପଛଡ଼ା କିମ୍ୱା ଭୁଲ ହୋଇଯିବ, ତେବେ ପୂରା କାହାଣୀ ବର୍ବାଦ ହୋଇଯିବ।
ଏହା ଯିଏ କହିଥିଲେ, ସେ ଥିଲେ ହୃଦୟକୁ ପଢ଼ି ପାରୁଥିବା ଜଣେ ସରଳ ଓ ଡେଙ୍ଗା ମଣିଷ। ସତ୍ୟଜିତ ରାୟ। ବିଶ୍ୱ ସିନେମାରେ ତାଙ୍କର ପରିଚୟ ଯେତିକି ଲମ୍ୱା ଥିଲା, ବାସ୍ତବରେ ମଧ୍ୟ ସେ ଦେଖିବାକୁ ସେତିକି ଲମ୍ୱା ଓ ହଟ୍ଟାକଟ୍ଟା ମଣିଷଟିଏ। ଛଅ ଫୁଟ୍ ଚାରି ଇଞ୍ଚର ଏହି ନିଚ୍ଛକ ମଣିଷ ଜଣଙ୍କ ନିଜ ସିନେମା କ୍ୟାରିୟର ମଧ୍ୟରେ ଅନେକ ଥର ନିଜ ସୃଜନଶୀଳତାର ବାରିଧାରାକୁ ଢାଳି ଦେଇଛନ୍ତି। ତାଙ୍କ ସିନେମାର ଏକ ନିର୍ଦ୍ଦିଷ୍ଟ ଠାଣି ଥାଏ। ତାଙ୍କ କାହାଣୀ ସବୁବେଳେ କିଛି ନା କିଛି ବାର୍ତ୍ତା ବହନ କରୁଥାଏ।
ଭାରତୀୟ ସିନେମାରେ ସତ୍ୟଜିତ ରାୟ ଉଚ୍ଚ ଶିଖରକୁ ଛୁଇଁଥିବା ଜଣେ ସଫଳ ମଣିଷ। ସିନେମା ତିଆରି କରିବା ଏବଂ ସିନେମା ଭିତରେ ବୁଡ଼ି ରହିବା, ତାଙ୍କୁ ଜଣେ ସଫଳ ସିନେମା ନିର୍ଦ୍ଦେଶକ ତଥା ଫିଲ୍ମ ମେକର୍ ଭାବେ ଗଢ଼ି ତୋଳିଥିଲା। ସେ ଜଣେ ଏମିତି କଳାକାର ଥିଲେ, ଯାହାଙ୍କ ପରିଚୟ ଦେଶ ଭିତରେ ନୁହେଁ, ବରଂ ଦେଶ ବାହାରେ ମଧ୍ୟ ବେଶ୍ ଥିଲା।
୧୯୨୧ ମସିହା ମେ’ ୨ ତାରିଖରେ ଜନ୍ମିତ ସତ୍ୟଜିତ ରାୟ ଦେଶର ମହାନ୍ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ। ଜଣେ ସଫଳ ନିର୍ଦ୍ଦେଶକ ହେବା ସହ ଏକାଧାରରେ ସେ ଥିଲେ ଜଣେ ଲେଖକ, କଳାକାର, ଚିତ୍ରକର, ସିନେମା ନିର୍ମାତା, ଗୀତିକାର ଏବଂ କଷ୍ଟ୍ୟୁମ ଡିଜାଇନର। ତାଙ୍କ ସିନେମା ତିଆରି କରିବାର କଳା ‘ପାଥେର୍ ପାଞ୍ଚାଲି’ ଯିଏ ଦେଖିଛି, ସିଏ ଜାଣିଛି। ସିନେମା ଭିତରେ ବୁଡ଼ାଇ ରଖିବାର କୌଶଳ ତାଙ୍କୁ ଜଣା ଥିଲା। ସେହିପରି ‘ଅପୁର ସଂସାର’, ‘ଅପରାଜିତୋ’ ଏବଂ ‘ଚାରୁଲତା’ ଭଳି ୩୭ଟି ସିନେମା ସେ ନିର୍ମାଣ କରିଛନ୍ତି।
ସିନେମା ନିଶା ଓ ‘ପାଥେର ପାଞ୍ଚାଲି’ ନିର୍ମାଣଭାରତୀୟ ସିନେମାରେ ଥିବା ତାଙ୍କର ଯୋଗଦାନ ପଛରେ ବି ଏକ କାହାଣୀ ଅଛି। ୧୯୫୦ ମସିହା ଏପ୍ରିଲ ମାସ। ପତ୍ନୀଙ୍କ ସହ ଇଂଲଣ୍ଡ ଯାତ୍ରା କରିଥିଲେ ସତ୍ୟଜିତ ରାୟ। ସେତେବେଳେ ସେ ଏକ ବିଦେଶୀ ବିଜ୍ଞାପନ କମ୍ପାନୀ ପାଇଁ କାମ କରୁଥିଲେ। ତଦନୁଯାୟୀ କମ୍ପାନୀ ତାଙ୍କୁ ଛଅ ମାସ ପାଇଁ ଇଂଲଣ୍ଡ ପଠାଇଥିଲା। ଲଣ୍ଡନରେ ସେ ଦେଖିଥିଲେ ଅନେକ ସିନେମା। ଏହାସହ ସେଠାରେ ତାଙ୍କର ସାକ୍ଷାତ ଫ୍ରେଞ୍ଚ ଚଳଚ୍ଚିତ୍ର ନିର୍ମାତା ଜିନ୍ ରେନୋଇର୍ଙ୍କ ସହ ହୋଇଥିଲା।
୧୯୪୮ ମସିହାରେ ଭିଟ୍ଟୋରିଓ ଦେ ସିକାଙ୍କ ଇଟାଲୀ ଚଳଚ୍ଚିତ୍ର ‘ବାଇସାଇକେଲ ଥିଭ୍ସ୍’ ଦେଖିବା ପରେ ଜଣେ ସ୍ୱାଧୀନ ଚଳଚ୍ଚିତ୍ର ନିର୍ମାତା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ରେ’। ସେଠାରୁ ପ୍ରଭାବିତ ହୋଇ ସେ ନିର୍ମାଣ କରିଥିଲେ ‘ପାଥେର ପାଞ୍ଚାଲି’। ଲଣ୍ଡନରେ ଥିବା ସମୟରେ ପ୍ରାୟ ଶହେରୁ ଅଧିକ ସିନେମା ଦେଖିଥିଲେ ସତ୍ୟଜିତ ରାୟ।
୧୯୫୨ରେ ସତ୍ୟଜିତ ରାୟ ଏକ ନୂଆ ଟିମ୍ ନେଇ ସିନେମା ତିଆରି କରିବାରେ ଲାଗିଲେ। ନୂଆ ଫିଲ୍ମ ମେକର ହୋଇଥିବା ଯୋଗୁ ତାଙ୍କ ସହ କାମ କରିବାକୁ ପ୍ରାୟ ସମସ୍ତେ ଅମଙ୍ଗ ଥିଲେ। ସେଥିପାଇଁ ତାଙ୍କ ସିନେମାରେ ଟଙ୍କା ଖର୍ଚ୍ଚ କରିବାକୁ କେହି ରାଜି ହେଉ ନଥିଲେ। କିନ୍ତୁ ସବୁ ପରେ ବି ଭାଙ୍ଗି ପଡ଼ି ନଥିଲେ ସତ୍ୟଜିତ ରାୟ।
ପତ୍ନୀଙ୍କ ଗହଣା ବିକ୍ରି କରି ତିଆରି କଲେ ସିନେମା। କିନ୍ତୁ ସୁଟିଂ ଅଧାରୁ ସରିଯାଇଥିଲା ଟଙ୍କା। ଏହାପରେ କେମିତି ତିଆରି ହେବ ସିନେମା? ଏହି ଚିନ୍ତାରେ ସବୁବେଳେ ରହୁଥିଲେ ସତ୍ୟଜିତ ରାୟ। ଯାହାକୁ ଟଙ୍କା ପାଇଁ ଅନୁରୋଧ କରୁଥିଲେ, ସେମାନେ କାହାଣୀରେ ପରିବର୍ତ୍ତନ କରିବାକୁ ସର୍ତ୍ତ ରଖୁଥିଲେ। ମାତ୍ର ସେଥିରେ ରାଜି ନ ଥିଲେ ସତ୍ୟଜିତ।
ଏହାପରେ ୧୯୫୫ ମସିହାରେ ପଶ୍ଚିମବଙ୍ଗ ସରକାରଙ୍କ ସହାୟତାରେ ସତ୍ୟଜିତ ରାୟ ନିର୍ମାଣ କରିଥିଲେ ‘ପାଥେର ପାଞ୍ଚାଲି’। ୧୯୫୬ ମସିହାରେ କାନ୍ସରେ ଏହି ସିନେମା ପାଇଥିଲା ପୁରସ୍କାର। କେବଳ ଏତିକି ନୁହେଁ, ଏହି ସିନେମା ୧୧ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛି।
ବିଶ୍ବ ସିନେମା ନିର୍ମାତାଙ୍କ ସହ ସାକ୍ଷାତସିନେମାରେ ରୁଚି ରଖୁଥିବା ବ୍ୟକ୍ତି ଏବଂ ଟିକେ ପଶ୍ଚିମ ଛୁଙ୍କ୍ର ସିନେମା ଦେଖୁଥିବା ବ୍ୟକ୍ତି ଇଙ୍ଗ୍ମର ବର୍ଗମ୍ୟାନ୍ଙ୍କୁ ଜାଣିଥିବେ। ଇଏ ହେଉଛନ୍ତି ସେହି ଇଙ୍ଗମର ବର୍ଗମ୍ୟାନ୍, ଯିଏ ଅକ୍ଷୟ ମହାନ୍ତି ଓ ଦେବଦାସ ଛୋଟରାୟଙ୍କ ପ୍ରିୟ ସିନେମା ନିର୍ମାତା ଥିଲେ।
ଅନେକ ସମୟରେ ତାଙ୍କର ସିନେମା ‘ୱାଇଲ୍ଡ ଷ୍ଟ୍ରବେରିଜ୍’, ‘ପର୍ସୋନା’ ଆଦି ବିଷୟରେ ଦେବଦାସ ଛୋଟରାୟ କୁହନ୍ତି। ସେହିଭଳି ମହାନ ସ୍ବେଡିସ୍ କଳାକାରଙ୍କୁ ୧୯୬୩ ମସିହାରେ ଭେଟିଥିଲେ ସତ୍ୟଜିତ ରାୟ। ସେଠାରେ ବର୍ଗମ୍ୟାନ୍ଙ୍କ ‘ୱିଣ୍ଟର ଲାଇଟ୍’ ବିଷୟରେ ଆଲୋଚନା କରିଥିଲେ ଦୁଇ କଳାକାର। ସେହିପରି ୧୯୬୭ ମସିହାରେ ‘ଗଡ୍ ଫାଦର’ କଳାକାର ମାର୍ଲୋନ ବ୍ରାଣ୍ଡୋଙ୍କୁ ଦିଲ୍ଲୀରେ ଭେଟିଥିଲେ ରାୟ।
ସେହିପରି ଟୋକିଓରେ ଜାପାନର ମହାନ ନିର୍ଦ୍ଦେଶକ ଅକିରା କୁରୋସିୱାଙ୍କୁ ଏକ ଚାଇନିଜ ରେସ୍ତୋରାଁରେ ଭେଟିଥିଲେ ସତ୍ୟଜିତ ରାୟ। ଏ ବିଷୟରେ ସେ ତାଙ୍କର ପୁସ୍ତକ ‘ଆୱାର ଫିଲ୍ମସ୍, ଦେୟାର ଫିଲ୍ମସ୍’ରେ ଉଲ୍ଲେଖ କରିଛନ୍ତି। ସେହିପରି ପୋଲାଣ୍ଡର ବିଶିଷ୍ଟ ସିନେମା ତଥା ମଞ୍ଚ ନିର୍ଦ୍ଦେଶକ ଆଣ୍ଡ୍ରେଜ ୱାଜଦାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ।
ରାୟଙ୍କ ସିନେମାକୁ ବାହାରେ ଅନେକ ପ୍ରଶଂସା ମିଳୁଥିଲା। ରେ’ଙ୍କ ନିର୍ଦ୍ଦେଶିତ ସିନେମା ‘ସତରଞ୍ଜ କେ ଖିଲାଡି’ରେ ଅଭିନୟ କରିଛନ୍ତି ମହାନ ହଲିଉଡ ତାରକା ରିଚାର୍ଡ ଏଟନବର୍ଗ। ଆଜି ହେଉଛି ତାଙ୍କର ଜନ୍ମ ବାର୍ଷିକୀ। ତାଙ୍କରି ଜନ୍ମ ବର୍ଷିକୀରେ ସବୁ ବର୍ଗର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। କଳା ଥିବା ଯାଏ, ସତ୍ୟଜିତ ରାୟଙ୍କ ସିନେମା ଥିବ। କାରଣ କଳାକାର କେବେ ମରେନା।
ରିପୋର୍ଟ- ଚାରୁ ଚନ୍ଦନ ଦାଶନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।