ଭୁବନେଶ୍ୱର: ଛୁରାମାଡ଼ର ଶିକାର ଯୁବକ କରୋନା ପଜିଟିଭ୍ ହେଲେ; ହସ୍ପିଟାଲରେ ହେଉନି ଚିକିତ୍ସା

ପେଟରେ ଛୁରା ମାଡ଼ ଯୋଗୁଁ ବାହାରକୁ ବାହାରିଆସିଥିବା ଅନ୍ତବୁଜୁଳା ଧରି ରଞ୍ଜିତ ହସ୍ପିଟାଲ ଖଟରେ ପଡ଼ିରହିଛନ୍ତି । ସେଠାରେ ତାଙ୍କର କରୋନା ଚିକିତ୍ସା ହେଉ ନ ଥିବା ଅଭିଯୋଗ କରି BMC କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ମା’ ।

ଭୁବନେଶ୍ୱର: ଛୁରାମାଡ଼ର ଶିକାର ଯୁବକ କରୋନା ପଜିଟିଭ୍ ହେଲେ; ହସ୍ପିଟାଲରେ ହେଉନି ଚିକିତ୍ସା
ରଞ୍ଜିତ ନାୟକ; (ଡାହାଣ) ସେ ଏବେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ।
  • News18 Odia
  • Last Updated: September 23, 2020, 7:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୋବାଇଲ ଫୋନ୍‌ ଚୋରି ଘଟଣାରେ ସନ୍ଦେହ କରି ଜଣେ ଯୁବକଙ୍କୁ ଛୁରା ମାଡ଼ ହେବା ପରେ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେଠାରେ ତାଙ୍କ ଚିକିତ୍ସା ହେଉ ନ ଥିବା ଅଭିଯୋଗ କରି ବିଏମସି କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ମାଆ ।

ପେଟରେ ଛୁରା ମାଡ଼ ହେବା ପରେ ଡାକ୍ତରଖାନା ବେଡରେ ପଡିଥିବା ରହିଥିବା ଯୁବକ ଜଣକ ହେଉଛନ୍ତି ରଞ୍ଜିତ ନାୟକ । ସେ ଏକ ମୋବାଇଲ ଫୋନ୍‌ ଚୋରୀ କରିଥିବା ସନ୍ଦେହ କରି ତାଙ୍କ ପଡ଼ୋଶୀ ଛୁରା ମାଡ଼ କରିଥିଲେ । ରଞ୍ଜିତ ଏବେ କରୋନା ପଜିଟିଭ । ଏଭଳି ପରିସ୍ଥିତିରେ ତାଙ୍କ ଚିକିତ୍ସା କରିବାକୁ ମନା କରୁଛନ୍ତି ଡାକ୍ତର । ଗତ ୮ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ।

ଗୋଟାଏ ପଟେ ପେଟରେ ଛୁରା ମାଡ଼ ଯୋଗୁଁ ବାହାରକୁ ବାହାରିଆସିଥିବା ଅନ୍ତବୁଜୁଳା ଧରି ରଞ୍ଜିତ ଖଟରେ ପଡ଼ିରହିଥିବା ବେଳେ ବୋଝ ଉପରେ ନଳିତା ବିଡା ଭଳି କରୋନା ତାଙ୍କ ଚିନ୍ତା ଆହୁରି ବଢ଼ାଇଛି । ଚିକିତ୍ସା ହୋଇ ପାରୁ ନ ଥିବାରୁ ପୁଅର ଅବସ୍ଥା ଦେଖି ବାର ଦୁଆର ବୁଲି ପୁଅର ଚିକିତ୍ସା ଭିକ୍ଷା କରୁଛନ୍ତି ତାଙ୍କ ମାଆ । ବିଏମସି କମିଶନରଙ୍କ ନିକଟରେ ଅଭିଯୋଗ କରି ନିଜ ଦୁଃଖ ଜଣାଇଛନ୍ତି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କ ପରିବାର ଲୋକେ ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ


କରୋନା ସମୟରେ ଡାକ୍ତରଖାନାରେ ଘଟୁଥିବା ଅବହେଳାର ଏ ହେଉଛି ଆଉ ଏକ ଦିଗ । କିଭଳି ରୋଗୀମାନେ ହଇରାଣ ହରକତ ହେଉଛନ୍ତି ତାହାର ଏହା ହେଉଛି ସଦ୍ୟ ଉଦାହରଣ । କରୋନା ପଜିଟିଭ ରୋଗୀଙ୍କୁ ଅନ୍ୟ କିଛି ଘଟିଥିଲେ କେଉଁଠି ଚିକିତ୍ସା ହେଲେ ସେ ନେଇ ମୁଳୁନି ତଥ୍ୟ । ଗଣମାଧ୍ୟମରୁ ତଥ୍ୟ ପାଇବା ପରେ ତତ୍ପର ହୋଇଛି ବିଏମସି ।

ରଞ୍ଜିତଙ୍କ ଚିକିତ୍ସା ଗତ ଦୁଇ ସପ୍ତାହ ଧରି ହେଉ ନ ଥିବାରୁ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି ତାଙ୍କ ପରିବାର ଲୋକେ । ଘଟଣା ପଦାକୁ ଆସିବା ପରେ ପୁଅର ଚିକିତ୍ସା ଯେକୌଣସି ହସ୍ପିଟାଲରେ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ।

ଏହା ବି ପଢ଼ନ୍ତୁ | ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଏହା ବି ପଢ଼ନ୍ତୁ | ଡ୍ରଗ୍ସ ମାମଲାରେ NCB ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କୁ ସମନ ପଠାଇଲା

‘‘ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଆଣି ଯେ କୌଣସି ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।



ଏହା ଏ ପ୍ରକାରର ଗୋଟାଏ ଘଟଣା ନୁହେଁ । ରାଜ୍ୟରେ ଅନେକ ରୋଗୀଙ୍କ ରହିଛି ଅନେକ ଅସୁବିଧା । ଅଧିକାଂଶ ଘଟଣାରେ ସୂଚନା ପ୍ରଶାସନ ପାଖରେ ପହଞ୍ଚି ପାରୁ ନ ଥିବାରୁ ନାନା ପ୍ରକାର ହଇରାଣ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟମାନେ । ବିଏମସି କର୍ତୃପକ୍ଷଙ୍କ ଆଶ୍ୱାସନା ପରେ ଏବେ ରଞ୍ଜିତ ଉଚିତ ଚିକିତ୍ସା ପାଇ ପାରିବେ ବୋଲି ଆଶା କରୁଛନ୍ତି ତାଙ୍କ ପରିବାର ଲୋକେ ।
Published by: Anand Shankar Thankur Das
First published: September 23, 2020, 7:53 PM IST
corona virus btn
corona virus btn
Loading