ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁରୀରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; କୋଭିଡ୍ କଟକଣା ଯୋଗୁଁ ନ ଥିଲେ ଭକ୍ତ

ପୁରୀରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; କୋଭିଡ୍ କଟକଣା ଯୋଗୁଁ ନ ଥିଲେ ଭକ୍ତ

ଚନ୍ଦନ ଯାତ୍ରାର ଶୋଭାଯାତ୍ରାରେ ମାତ୍ର ୫୦ ଜଣ ସେବକ ସାମିଲ ହୋଇଥିଲେ । ଶ୍ରୀମନ୍ଦିରରୁ ମଣି ବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଆସି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ଆରମ୍ଭ କରିଥିଲେ ।

ପୁରୀରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; କୋଭିଡ୍ କଟକଣା ଯୋଗୁଁ ନ ଥିଲେ ଭକ୍ତ
ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଭିଡର ଦ୍ଵିତୀୟ ଲହରୀ ମଧ୍ୟରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ୨୧-ଦିନିଆ ବାହାର ଚନ୍ଦନ ଯାତ୍ରା ସୀମିତ ସଂଖ୍ୟକ ସେବୟତଙ୍କୁ ନେଇ ବିନା ଭକ୍ତରେ ଆରମ୍ଭ ହୋଇଛି । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିରେ ସାମିଲ ହୋଇଥିବା ସବୁ ସେବାୟତମାନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।

ଚନ୍ଦନ ଯାତ୍ରାର ଶୋଭାଯାତ୍ରାରେ ମାତ୍ର ୫୦ ଜଣ ସେବକ ସାମିଲ ହୋଇଥିଲେ । ଶ୍ରୀମନ୍ଦିରରୁ ମଣି ବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଆସିଥିଲେ । ତାଙ୍କ ପଛେ ପଛେ ରାମକୃଷ୍ଣଙ୍କ ବିମାନ ଓ ତାଙ୍କ ପଛେ ପଛେ ପଞ୍ଚୁପାଣ୍ଡବ ବିମାନରେ ଚନ୍ଦନ ଚକଡ଼ାରେ ପହଞ୍ଚି ନନ୍ଦା ଓ ଭଦ୍ରା ଚାପରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ଆରମ୍ଭ କରିଥିଲେ ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ବିନା ଭକ୍ତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରଥ ଯାତ୍ରା ବି ବିନା ଭକ୍ତରେ ହେବ ବୋଲି ଅନୁମାନ କରି ସେଥି ପାଇଁ ପ୍ରସ୍ତୁତ ହେଉଛନ୍ତି ସେବାୟତମାନେ । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ଓ ରଥ କାଠ ପୂଜାର୍ଚ୍ଚନାରେ ନିୟୋଜିତ ହୋଇଥିବା ରଥ ନିର୍ମାଣ ସେବକ ଓ ଶୋତ୍ରୀୟ ବ୍ରାହ୍ମଣଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବା ପରେ ହିଁ କାର୍ଯ୍ୟରେ ସାମିଲ କରାଯାଇଥିଲା ।

ଚନ୍ଦନ ଯାତ୍ରାର ଶୋଭାଯାତ୍ରାରେ ମାତ୍ର ୫୦ ଜଣ ସେବକ ସାମିଲ ହୋଇଥିଲେ ।


‘‘କୋଭିଡ ସଂକ୍ରମଣ ରୋକିବାକୁ ବିନା ଭକ୍ତରେ ଓ କୋଭିଡ୍‌ ନେଗେଟିଭ ରିପୋର୍ଟ ଥିବା ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ୧୪୪ ଧାରା କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ରଥ ଖଳାରେ ମଧ୍ୟ ୧୪୪ ଧାରା ଜାରି କରି ନୀତି ସମ୍ପାଦନ କରାଯାଇଛି । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଅବଧି ବୃଦ୍ଧି କରାଯାଇଛି । ପୂର୍ବ କଟକଣା ମେ ୧୫ରେ ସରିବା ପରେ ଏବେ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ କଟକଣାକୁ ବଢ଼ାଯାଇଛି । କରୋନାର ଦ୍ବିତୀୟ ଲହରୀରେ ସଂକ୍ରମଣ ତୀବ୍ର ଭାବେ ବଢୁଥିବାରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଛି,’’ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ସେବାୟତମାନଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ସହ ରଥ ଯାତ୍ରା ନୀତି ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳିତ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି ।

‘‘ଗତ ବର୍ଷ କୋଭିଡ କଟକଣା ନେଇ ସମସ୍ତ ଚନ୍ଦନ ନୀତି ଶ୍ରୀମନ୍ଦିର ଭିତରେ ହୋଇଥିଲା । ଏ ଥର ବିନା ଭକ୍ତରେ ହୋଇଥିଲେ ମଧ୍ୟ ସେବାୟତମାନେ ଶୃଙ୍ଖଳିତ ଭାବେ ସବୁ ନୀତି କରିଛନ୍ତି । କଟକଣା ମଧ୍ୟରେ ନନ୍ଦା ଓ ଭଦ୍ରା ଚାପରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଆରମ୍ଭ ହୋଇଛି । ଭକ୍ତିର ଡୋରି ନାହିଁ, ହେଲେ ବର୍ତ୍ତମାନର ସଙ୍କଟମୟ ସମୟରେ ସମସ୍ତେ ଘରେ ରହି ପ୍ରଭୁଙ୍କ ଆରାଧନା କରିବା ଉଚିତ,’’ କହିଛନ୍ତି ବରିଷ୍ଠ ପୂଜାପଣ୍ଡା ସେବାୟତ ତଥା ଶ୍ରୀମନ୍ଦିର ପ୍ରଶାସନ କୋଭିଡ ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର (ବାମ) ଚନ୍ଦନ ଯାତ୍ରା ଶୁଭାରମ୍ଭରେ ଉପସ୍ଥିତ ଥିଲେ ।


ଅକ୍ଷୟ ତୃତୀୟା ଠାରୁ ବିଧି ମୁତାବକ ରଥ ନିର୍ମାଣ ଆରମ୍ଭ ହୋଇଛି । ରଥ ଖଳାରେ ଅନୁକୂଳ ପର୍ର୍ବ ସରିବା ପରେ ତା’ ପର ଦିନଠାରୁ ଚଳଚଞ୍ଚଳ ହୋଇଉଠିଛି ରଥ ଖଳା । ଥର୍ମାଲ୍‌ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ମାତ୍ର ୪୦ ଜଣ ରଥ ନିର୍ମାଣ ସେବକଙ୍କୁ ନେଇ କାର୍ଯ୍ୟ କରାଯାଉଛି । ସେଥିରେ ବିଶ୍ୱକର୍ମା ମହାରଣା ଓ କର୍ତିଆ ଏବଂ ଭୋଇ ସେବକ ରହିଛନ୍ତି । ସମସ୍ତଙ୍କୁ କୋଭିଡ ଟେଷ୍ଟ କରାଯାଇଛି ଓ ଟିକାକରଣ ବି କରାଯାଇଛି ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ସୋମବାରଠାରୁ ରଥ ନିର୍ମାଣ ସେବକମାନଙ୍କୁ ନୀଳାଦ୍ରି ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଇଛି । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ତୁମ୍ଭ କାର୍ଯ୍ୟ ଚାଲିଛି । ମୋ’ଟ ତିନି ରଥ ପାଇଁ ୪୨ଟି ତୁମ୍ଭ କରାଯିବ । ତା’ପରେ ଭଉଁରୀ ଦିନ ତିନି ରଥର ନାହାକା ଚକ ଓ ଅଖ ସଂଯୋଗ ବିଧି ରହିଛି । କୋଭିଡର ସ୍ଥିତିକୁ ନେଇ ପ୍ରଶାସନ ପକ୍ଷରୁ ରଥଖଳାକୁ ଧଳା କପଡ଼ାରେ ଆଚ୍ଛାଦିତ କରାଯାଇଛି । ରଥ କାର୍ଯ୍ୟରେ ନିୟୋଜିତ ଥିବା ୧୮ ବର୍ଷରୁ ୪୫ ବର୍ଷୀୟ ରଥ ନିର୍ମାଣ ସେବକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି,’’ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ତତ୍ୱବଧାରକ ସୁଦର୍ଶନ ମେକାପ ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ସାଧାରଣତଃ ରଥ ନିର୍ମାଣରେ ପ୍ରାୟ ୧୦୦ ଜଣ ଭୋଇ ସେବକ ଓ ଅନ୍ୟ ସେବକଙ୍କୁ ମିଶାଇ ମୋ’ଟ ୩୦୦ ଜଣ ରଥ ନିର୍ମାଣରେ ନିୟୋଜିତ ହୋଇଥାନ୍ତି । ‘‘ମହାପ୍ରଭୁଙ୍କ ପାଇଁ ନିଜକୁ ସମର୍ପଣ କରି ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସିଛୁ । କରୋନାର ଭୟ ରହିଥିଲେ ସୁଦ୍ଧା ମହାପ୍ରଭୁଙ୍କ କାମ ସେ ହିଁ କରିଥାନ୍ତି,’’ କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।



ଗତ ବର୍ଷ କୋଭିଡକୁ ନେଇ ରଥ ଯାତ୍ରା ହେବ କି ନାହିଁ ମାମଲା ସୁପ୍ରିମ କୋର୍ଟ ଯାଇଥିଲା ଓ ଶେଷରେ ବିନା ଭକ୍ତରେ ଆୟୋଜିତ ହୋଇଥିଲା ରଥ ଯାତ୍ରା । ଚଳିତ ବର୍ଷ ବିନା ଭକ୍ତରେ ରଥ ଯାତ୍ରା କରିବା ପାଇଁ ସେବାୟତମାନେ ଓ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି ।
Published by: Anand ST Das
First published: May 17, 2021, 11:52 PM IST