୨୧,୧୧୬ ହେଲା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା; ଇଟାଲୀରେ ୬,୮୨୦ ମୃତ୍ୟୁ, ସ୍ପେନରେ ୩,୪୩୪

ଚୀନ୍‌ରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଟପିଯାଇଛି ସ୍ପେନ୍‌ । ସମଗ୍ର ସ୍ପେନରେ ଡାକ୍ତରଖାନାଗୁଡିକ ଚିକିତ୍ସା କରି କରି ଅତିଷ୍ଠ ହୋଇପଡ଼ିଛନ୍ତି ଓ ରାଜଧାନୀ ମାଡ୍ରିଡରେ ଏକ ସ୍କେଟିଂ ରିଙ୍କ୍‌କୁ ଏକ ମର୍ଗ (ଶବ ରଖିବା ସ୍ଥାନ) ରେ ପରିଣତ କରାଯାଇଛି ।

୨୧,୧୧୬ ହେଲା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା; ଇଟାଲୀରେ ୬,୮୨୦ ମୃତ୍ୟୁ, ସ୍ପେନରେ ୩,୪୩୪
ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ରେ ଏକ ହସପିଟାଲରେ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ କଥା ହେଉଛନ୍ତି । (ଗେଟି ଇମେଜେସ୍‌)
  • News18 Odia
  • Last Updated: March 26, 2020, 2:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଏବେ ସାରା ବିଶ୍ବକୁ ଘାରିଛି କରୋନା ଚିନ୍ତା । ଦିନକୁ ଦିନ ଏହା ଭୟଙ୍କର ରୂପ ନେବାରେ ଲାଗିଛି । ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଲାଣି । ସାଢ଼େ ଚାରି ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ସୂଚନା ଅନୁସାରେ ଇଟାଲୀରେ ସର୍ବାଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି ।

ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ବିଶ୍ବରେ କରୋନା ଭାଇରସ ତା’ର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ କାରଣରୁ ୨୧,୧୧୬ ଲୋକଙ୍କ ମୃତ୍ୟୁ ହେଲାଣି । ବିଭିନ୍ନ ଦେଶରେ ଏ ପର୍ଯ୍ୟନ୍ତ ୪,୬୫,୧୬୩ ଲୋକ ଆକ୍ରାନ୍ତ ହୋଇଛନ୍ତି ଓ ୧,୧୩,୬୧୦ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଇଟାଲୀରେ କୋରୋନା ସର୍ବାଧିକ କ୍ଷତି ଘଟାଇଛି । ଇଟାଲୀର ୬,୮୨୦ ଜଣ ଲୋକଙ୍କ ପ୍ରାଣ ନେଇଛି କରୋନା । ତା’ ପରେ ରହିଛି ସ୍ପେନ୍‌, ଯେଉଁଠି ୩,୪୩୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସମଗ୍ର ସ୍ପେନରେ ଥିବା ନର୍ସିଂହୋମଗୁଡିକ ଚିକିତ୍ସା କରିବାରେ ଅତିଷ୍ଠ ହୋଇପଡ଼ିଛନ୍ତି ଓ ରାଜଧାନୀ ମାଡ୍ରିଡରେ ଏକ ସ୍କେଟିଂ ରିଙ୍କକୁ ଏକ ମର୍ଗ (ଶବ ରଖିବା ସ୍ଥାନ) ରେ ପରିଣତ କରାଯାଇଛି ।

ଫେବୃଆରିରେ ଇଟାଲୀରେ ପ୍ରଥମ କରୋନା ମୃତ୍ୟୁ ସାମନାକୁ ଆସିଥିଲା । ହେଲେ କରୋନାର ଭୟାବହତା ଏତେ ବଢିଗଲା ଯେ ଏହା ଏବେ ଚୀନକୁ ଅତିକ୍ରମ କରିସାରିଛି । ଇଟାଲୀରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬,୮୨୦ରେ ପହଞ୍ଚି ସାରିଥିବା ବେଳେ ପାଖାପାଖି ୬୪,୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି । ୭,୪୩୨ ଜଣ ଇଟାଲୀୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଇତି ମଧ୍ୟରେ ଚୀନରେ କରୋନାର ପ୍ରକୋପ କମିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟରୁ ଜଣାପଡ଼ିଛି । ହଂକଂ ଓ ମାକାଉକୁ ବାଦ ଦେଇ ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୨୭୭ରେ ପହଞ୍ଚିଛି । ୮୧,୦୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୭୩,୧୫୯ ଜଣ ସୁସ୍ଥ ହୋଇଛନ୍ତି । ସୋମବାର ଠାରୁ ଚୀନରେ ୭୮ଟି ନୂଆ ମାମଲା ସାମନାକୁ ଆସିଥିବା ବେଳେ ମୃତ୍ୟୁ ହୋଇଛି ମାତ୍ର ୭ ଜଣଙ୍କର ।

ରୋମରେ ରାସ୍ତାରେ ମାସ୍କ ପିନ୍ଧି ପଡ଼ିଥିବା ଜଣେ ଲୋକକୁ ହସପିଟାଲକୁ ନିଆଯାଉଛି । (ଗେଟି ଇମେଜେସ୍)


ଇଟାଲୀ ଓ ଚୀନ ପରେ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହେଉଛି ସ୍ପେନ । ସ୍ପେନରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୬୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଇରାନରେ ପ୍ରାଣ ହରାଇଲେଣି ୧,୯୩୪ ଜଣ ଲୋକ । ଇରାନରେ ୨୪, ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଇରାନ ତଳକୁ ରହିଛି ଫ୍ରାନ୍ସ । ସେଠାରେ ୮୬୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯,୮୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ।

ଆମେରିକାରେ ୭୦୬ ଜଣ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୪୦୦ରୁ ଅଧିକ ହେଲାଣି । ଆଇସଲାଣ୍ଡରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ ମିଆଁମାରରେ ପ୍ରଥମ ପଜିଟିଭ ସାମନାକୁ ଆସିଛି ।

ସ୍ପେନର ଗେଟାଫରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀ (ରୟଟର୍ସ୍ ଫଟୋ)


ମହାଦେଶ ଅନୁଯାୟୀ ୟୁରୋପରେ ସର୍ବାଧିକ ୧,୯୯,୭୭୯ ଜଣ କରୋନା ପଜିଟିଭ ମିଳିଥିବା ବେଳେ ପ୍ରାଣ ହରାଇଛନ୍ତି ୧୦,୭୨୪ । ଏସିଆ ମହାଦେଶରେ ୯୮,୭୪୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୫୭୦ ଜଣଙ୍କ ଜୀବନ ଯାଇଛି । ଆମେରିକା ଓ କାନାଡ଼ାରେ ମିଳିତ ଭାବେ ୪୮,୫୧୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଦେଶରେ ମୃତ୍ୟୁ ସଂଖ୍ୟା ମିଶି ୫୨୩ ।

ମଧ୍ୟ ପ୍ରାଚ୍ୟରେ ୨୯,୦୮୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୧,୯୬୬ ଜଣ । ଲାଟିନ ଆମେରିକା ଓ କାର୍ବିଆନରେ ୬,୨୧୭ଟି ମାମଲା ସାମନାକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ୧୧୨ । ଓସେନିଆ ଅଞ୍ଚଳରେ ୨,୨୨୫ଟି ପଜିଟିଭ ବାହାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୯ । ଆଫ୍ରିକା ମହାଦେଶରେ ୧,୭୭୮ ଆକ୍ରାନ୍ତ ହୋଇଥିବା ବେଳେ ୫୭ ଜଣଙ୍କର ମୃତ୍ୟୁ ହୋଇଛି ।
First published: March 26, 2020, 2:44 PM IST