ବାଲେଶ୍ୱର: କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ମହିଳା ‘ଆତ୍ମହତ୍ୟା’ କଲେ; ପୋଲିସର ତଦନ୍ତ ଜାରି

ଆରତୀ ହାଇଦ୍ରାବାଦରୁ ଜୁନ ୨୦ ତାରିଖରେ ଫେରିଥିଲେ ଓ ଏକ ସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ । ଆଜି ସକାଳେ ସେ ଜଳଖିଆ ବି ଖାଇଥିଲେ ଓ ସମସ୍ତଙ୍କ ସହ କଥାହେଉଥିଲେ । ତାଙ୍କର କିଛି ସମସ୍ୟା ଥିବା ପରି ଲାଗୁ ନ ଥିଲା ।

ବାଲେଶ୍ୱର: କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ମହିଳା ‘ଆତ୍ମହତ୍ୟା’ କଲେ; ପୋଲିସର ତଦନ୍ତ ଜାରି
ଏହି ମୃତ୍ୟୁ ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ଶୋକର ଛାୟା ଖେଳିଯାଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଭୋଗରାଇରେ ଏକ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ମହିଳାଙ୍କ ମୃତ ଦେହ ସେଠାରେ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଅଞ୍ଚଳରେ ଶୋକ ଓ ଭୟର ପରିବେଶ ସୃଷ୍ଟି ହୋଇଛି । ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ମୃତ୍ୟୁ ବରଣ କରିଥିବା ମହିଳା ୪୧ ବର୍ଷୀୟା ଆରତୀ ଭୋଳ ବୋଲି ଜଣା ପଡ଼ିଛି । ସେ ଭୋଗରାଇ ବ୍ଲକ ଜୟରାମପୁର ଗାଁର ରବୀନ୍ଦ୍ର ଭୋଳଙ୍କ ପତ୍ନୀ । ଆରତୀ ହାଇଦ୍ରାବାଦରୁ ଜୁନ ୨୦ ତାରିଖରେ ଫେରିଥିଲେ ଓ ସେହି ଦିନ ଠାରୁ ଜୟରାମପୁର ହାଇ ସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ ।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ପଛ ପଟେ ଥିବା ଏକ ବାଥରୁମ୍‌ ନିକଟରୁ ଆରତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ସେଠାରେ ରହୁଥିବା ଲୋକେ ଦେଖିଥିଲେ । ପରେ ସ୍ଥାନୀୟ ସରପଞ୍ଚ ଓ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଭୋଗରାଇ ବିଡିଓ ଘଟଣା ସ୍ଥଳରେ ପହଞ୍ଚିଥିଲେ।  ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଓ ତଦନ୍ତ ଆରମ୍ଭ କରିଥିଲା ।

କ୍ୱାରେଣ୍ଟାଇନ୍ ସେଣ୍ଟର ପଛ ପଟେ ଏକ ବାଥରୁମ୍ ନିକଟରୁ ଆରତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।


‘‘ଆଜି ସକାଳ ସୁଦ୍ଧା ସେ (ଆରତୀ) ଭଲରେ ଥିଲେ । ସେ ମୁଢ଼ି ବି ସକାଳେ ଖାଇଥିଲେ । ତାଙ୍କର କୌଣସି ସମସ୍ୟା ଥିବା ପରି ଲାଗୁ ନ ଥିଲା । ଆଜି ତାଙ୍କ ପରିବାର ଲୋକେ ବି ଆସି ତାଙ୍କୁ ଦେଖା କରିଥିଲେ,’’ କହିଛନ୍ତି ସ୍ଥାନୀୟ ମହିଳା ସରପଞ୍ଚ ।

ସୂତ୍ରଙ୍କ ଅନୁସାରେ ମୃତ ଦେହର ଦୁଇ ପାଦ ଭୂମିକୁ ସ୍ପର୍ଶ କରୁଥିବାରୁ ଏହା ଏକ ହତ୍ୟା ଘଟଣା ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁ କେତେବେଳେ ହେଲା ଓ କେଉଁ କାରଣରୁ ହେଲା ତାହା ଜଣାପଡ଼ିବ ଓ ତଦନ୍ତ ଆଗକୁ ବଢ଼ିବ ବୋଲି କହିଛନ୍ତି ଜଣେ ଅଧିକାରୀ ।

ତେବେ କେତେକ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆରତୀଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବାରୁ ସେ ଦୁଃଖରେ ରହୁଥିଲେ ଓ ସେଥି ପାଇଁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ଆରତୀଙ୍କ ସ୍ୱାମୀ ଜଣେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ପରେ ହିଁ ଆରତୀ ଘର ଛାଡ଼ି ହାଇଦ୍ରାବାଦ ଚାଲିଯାଇଥିଲେ ବୋଲି କହିଛନ୍ତି କେତେକ ସ୍ଥାନୀୟ ଲୋକ ।
First published: June 30, 2020, 9:55 PM IST
corona virus btn
corona virus btn
Loading