News18 Odia Digital
ଭୁବନେଶ୍ୱର: କରୋନା ସଂକ୍ରମଣ କାରଣରୁ ରାଜ୍ୟର ବିଭିନ୍ନ ରୁଟରେ ଚାଲୁଥିବା ମୋଟ ୧୪,୦୦୦ ଘରୋଇ ବସ ଭିତରୁ ଏବେ ଦୈନିକ ସର୍ବାଧିକ ୫୦୦ରୁ ୭୦୦ ବସ୍ ଚାଲୁଥବା ବେଳେ ପ୍ରାୟ ଚାରି ମାସ ହେବ ଅନେକ ବସ୍ ଆଦୌ ଗଡ଼ିନାହିଁ । ଯେଉଁ କିଛି ବସ୍ ଗଡୁଛି, ସେଥିରେ ଯାତ୍ରୀ ହେଉନାହାନ୍ତି । ଏମିତି ସ୍ଥିତି ରହିଲେ ଏହି ମାସ ଶେଷ ସୁଦ୍ଧା ରାଜ୍ୟରେ ବସ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇପାରେ ବୋଲି ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଙ୍ଘ ।
ମହାମାରୀ କରୋନା ଭାଇରସ୍ କେବଳ ଲୋକଙ୍କ ଜୀବନ ନେଉଛି ତାହା ନୁହେଁ, ବରଂ ରାଜ୍ୟରେ ହଜାର ହଜାର ଲୋକଙ୍କ ଜୀବିକା ବି ନେଇଚାଲିଛି । ଲୋକଙ୍କୁ ଫେରେଇ ନେଇଛି ଅନେକ ବର୍ଷ ପଛକୁ । ଉଜୁଡ଼ି ଯାଇଛି ଅନେକଙ୍କ ଭାତ ହାଣ୍ଡି । ଏହାର ସ୍ପଷ୍ଟ ଉଦାହରଣ ହେଲା ରାଜ୍ୟରେ ପରିଚାଳିତ ଘରୋଇ ବସ୍ ସେବା ।
‘‘ଲକଡାଉନ କାରଣରୁ ପ୍ରାୟ ଚାରି ମାସ ହେଲା ଆମର ରୋଜଗାର ନାହିଁ । ଗାଡ଼ି ଗଡୁନି, ଆଉ ମାଲିକ କେବଳ ଖାଇବା ପଇସା ଦେଉଛନ୍ତି । ସେଥି ପାଇଁ ନିଜ ଗାଁକୁ ଯିବାକୁ ବି ଭଲ ଲାଗୁନି। ଯିବି ବା କେମିତି, ହାତରେ ଅର୍ଥ ନାହିଁ,’’ କହିଛନ୍ତି ପ୍ରାୟ ୩୦ ବର୍ଷ ହେଲା ବିଭିନ୍ନ ଘରୋଇ ବସରେ କ୍ଲିନର ଭାବେ କାମ କରିଆସୁଥିବା ଜଗନ୍ନାଥ ବରାଳ । ବୟସ ୫୦ ଟପିବାକୁ ବସିଲାଣି । ଯେମିତି ହେଲେ ଚଳି ଯାଉଥିଲା ସଂସାର। ଏବେ କିନ୍ତୁ ତାଙ୍କ ମୁଣ୍ଡ ଉପରେ ଯେମିତି ଚଡ଼କ ପଡ଼ିଛି। କରୋନା ଏକ ପ୍ରକାର ତାଙ୍କ ଜୀବିକା ଛଡ଼େଇ ନେଲା ବୋଲି ସେ କହିଛନ୍ତି ।

ବରମୁଣ୍ଡା ବସ ଷ୍ଟାଣ୍ଡରୁ ସାଧାରଣତଃ ଦୈନିକ ୧,୨୦୦ ବସ୍ ସାରା ରାଜ୍ୟକୁ ଗଡ଼େ ।
୧୪ ବର୍ଷ ବୟସରୁ ଗାଡ଼ି ଡ୍ରାଇଭିଂ କରୁଥିବା ବସ୍ ଡ୍ରାଇଭର ବିମ୍ବାଧର ପରିଡ଼ା ଏବେ ୪୭ ବର୍ଷ ବୟସରେ ନିଜ ଜୀବିକାକୁ ନେଇ ଚିନ୍ତିତ । ‘‘କରୋନା ବି ଉଜାଡ଼ି ଦେଇଛି ମୋ’ ଜୀବିକାକୁ । ଗାଡ଼ି ଗଡୁଛି, ହେଲେ ଯାତ୍ରୀ ହେଉନାହାନ୍ତି। ମାଲିକ କେତେ ଦିନ ବସେଇ ବସେଇ ଦରମା ଦେବେ?’’ ସେ ପଚାରିଛନ୍ତି ।
ଏହି ଦୁଇ ଜଣଙ୍କ ପରି କରୋନା ଉଜାଡ଼ି ଦେଇଛି ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଅନେକ ଲୋକଙ୍କ ମନର ସରସତାକୁ । ଏମିତି ସ୍ଥିତିରେ ବସ ମାଲିକମାନେ ମଧ୍ୟ ଏକ ପ୍ରକାର ହାତ ବାନ୍ଧି ବସିଛନ୍ତି ।
ଘରୋଇ ବସ୍ ମାଲିକ ସୌମ୍ୟରଞ୍ଜନଙ୍କ କହିଛନ୍ତି, ‘‘ରାଜ୍ୟରେ ପଞ୍ଜିକୃତ ମୋଟ ୧୪,୦୦୦ ଘରୋଇ ବସ୍ ଭିତରୁ କିଛି ହାତଗଣତି ରୁଟରେ ଚାଲିପାରୁଛି ମାତ୍ର ୫୦୦ରୁ ୭୦୦ ବସ୍ । କୌଣସି ବସରେ ୪୦ ପ୍ରତିଶତ ବି ଯାତ୍ରୀ ହେଉ ନାହାନ୍ତି। ସରକାର କେବଳ ମେ ଓ ଜୁନ ମାସର ଟିକସ ଛାଡ଼ କରିଥିଲେ । ଏବେ ଜୁଲାଇ ଅଧା ହେଲାଣି। ଟିକସ ଦେବାକୁ ଆମେମାନେ ଅକ୍ଷମ ।’’
ଆଉ ଜଣେ ବସ ମାଲିକ ଭରତ କୁମାର କହିଛନ୍ତି, ‘‘ବସ୍ ଚଳାଇବା ଏବେ ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଭଳି। ମିଳିଥିବା ରୁଟକୁ ହାତରେ ରଖିବା ପାଇଁ ବାଧ୍ୟତାମୂଳକ ଭାବେ ଯାତ୍ରୀ ନ ହେଲେ ବି ଗାଡ଼ି ଚଳାଉଛୁ । କିନ୍ତୁ କେତେ ଦିନ ପର୍ଯ୍ୟନ୍ତ କ୍ଷତିରେ ଗାଡି ଚଳାଇବୁ?’’
‘‘ଗୋଟିଏ ଲମ୍ବା ରୁଟରେ ଚାଲୁଥିବା ବସ୍ ପାଇଁ ଦୈନିକ ୨୭,୦୦୦ ଟଙ୍କା ମୋଟ ଖର୍ଚ୍ଚ ହୁଏ । ଯାତ୍ରୀ ନ ହେଲେ କେମିତି ଚାଲିବ ବସ୍? ଏମିତି ସ୍ଥିତି ରହିଲେ ଏହି ମାସକ ଭିତରେ ସବୁ ବସ୍ ବନ୍ଦ କରିବାକୁ ମାଲିକମାନେ ବାଧ୍ୟ ହେବେ,’’ କହିଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ମୁଖପାତ୍ର ଦେବାଶିଷ ନାୟକ ।
ଏହା ବି ପଢ଼ନ୍ତୁ:
ସ୍ବାମୀଙ୍କ ଯୌନାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ; ଦୁଇ ଝିଅ ହତ୍ୟାରେ ସାହାଯ୍ୟ କଲେ; ପରକୀୟା ପ୍ରୀତି ସନ୍ଦେହଏହା ବି ପଢ଼ନ୍ତୁ:
ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍ରୁ ସାହାଯ୍ୟ ମାଗିଲେପୂର୍ବରୁ ଥରେ ବସ୍ ସେବା ପୁନଃ ଆରମ୍ଭ ହେବାର ମାତ୍ର ଅଳ୍ପ ଦିନ ପରେ ଯାତ୍ରୀ ଅଭାବ କାରଣରୁ ବନ୍ଦ ହୋଇଯାଇଥିଲା । ଏବେ ପୁଣି ଅନିଶ୍ଚିତତା ଭିତରେ ଘରୋଇ ବସ୍ ସେବା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।