ଓଡିଶାକୁ ବାତ୍ୟା ଭୟ: ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଗଲା

ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ କହିଛନ୍ତି ।

ଓଡିଶାକୁ ବାତ୍ୟା ଭୟ: ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଗଲା
ସାମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡିଶାକୁ ପୁଣି ବାତ୍ୟା ଭୟ ଘାରିଛି । ପ୍ରଳୟଙ୍କାରୀ ବାତ୍ୟା ଫନିର ବର୍ଷକ ପରେ ପୁଣି ରାଜ୍ୟକୁ ଡ଼ରାଇଛି ଏକ ସମ୍ଭାବ୍ୟ ବାତ୍ୟା । ଅଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ସହ ଆସନ୍ତା କାଲି ସୁଦ୍ଧା ବାତ୍ୟା ରୂପ ନେବ । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗ ଦେଇ ଏହା ଗତି କରୁଛି ଓ ପରେ ଦିଗ ବଦଳେଇ ଉତ୍ତର ଓ ଉତ୍ତରପୂର୍ବ ବଙ୍ଗୋପସାଗର ଦେଇ ଗତି କରିବାର ସମ୍ଭାବନା ରହିଛି ।

ବାତ୍ୟାର ନିର୍ଦ୍ଧିଷ୍ଟ ଦିଗ ଓ ପ୍ରକୋପ କଣ ରହିବ ସ୍ପଷ୍ଟ ହୋଇନଥିଲେ ବି ଓଡିଶା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ୧୮ ତାରିଖରେ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ଏବଂ ଗଷ୍ଟିଙ୍ଗ ବେଗ ୬୦-୭୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ୧୯ ତାରିଖରେ ବର୍ଷା ସହ ପବନର ବେଗ ବଢି ୮୦ରୁ ୮୫ କିମି ପ୍ରତି ଘଣ୍ଟା ହେବ ବୋଲି ଆକଳନ କରାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଏକ ପ୍ରାକ୍‌ ସମୀକ୍ଷା କରିଛନ୍ତି ସରକାର । ବାରଟି ଜିଲ୍ଲାକୁ ଆଲର୍ଟ କରାଯାଇଥିବା ବେଳେ ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲା ଯଥା ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵରର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍ଫରେନ୍ସି ରେ କଥା ହୋଇଛନ୍ତି ମୁଖ୍ୟଶା ସନ ସଚିବ ଅସିତ ତ୍ରିପାଠୀ ।

ଏହି ଚାରିଟି ଜିଲ୍ଲାରେ ସରକାରି କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି । କୋଭିଡ ପାଇଁ ଅନେକ ବାତ୍ୟା ଆଶ୍ରୟସ୍ଥଳୀକୁ ବ୍ୟବହାର କରାଯାଇଥିବା ବେଳେ ବିକଳ୍ପ ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ଆଶ୍ରୟସ୍ଥଳୀରେ କମ୍‌ ପ୍ରବସୀ ରହିଛନ୍ତି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ପ୍ରସ୍ତୁତ ରଖିବା ସହ ଖାଲିପଡ଼ିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯିବ ।

ପ୍ରତି ଆଶ୍ରୟସ୍ଥଳୀ ପାଇଁ ଦୁଇ ଜଣ ଶିକ୍ଷକ ନିୟୋଜିତ କରାଯିବ। ଆବଶ୍ୟକ ପଡିଲେ ସ୍ଥାନନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ମତ୍ସ୍ୟଜୀବୀଙ୍କୁ  ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ଯାଇଛନ୍ତି ୧୭ ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର କୂଳରୁ ୩ କିଲୋମିଟର ପରିଧି ମଧ୍ୟରେ ଥିବା ଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ସହ ଆବଶ୍ୟକ ସ୍ଥଳେ ପରୀକ୍ଷା କରାଯାଇ ହୋମ କ୍ୱାରେଣ୍ଟଇନ ପାଇଁ ଅନୁମତି ଦିଆଯିବ। ଏହା ବାଦ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

‘‘ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିବାରୁ ତାକୁ କିପରି ସୁରକ୍ଷିତ ରଖାଯାଇପାରିବ ତାହା ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ପାନୀୟଜଳ ଯୋଗାଣ ସ୍ୱାଭାବିକ ରଖିବା ପାଇଁ ପଞ୍ଚାୟତିରାଜ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି,’’ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳଙ୍କୁ କହିଛନ୍ତି ଯେ ସେମାନେ ସମ୍ଭାବ୍ୟ ବାତ୍ୟାକୁ ହାଲକା ଭାବେ ନ ନେଇ କୌଣସି ବି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଫନି ଓ ତିତଲି ପରି ବାତ୍ୟାକୁ ମନେପକାଇ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ସେ । ବାତ୍ୟା ମୁକାବଲା କ୍ଷେତ୍ରରେ ଓଡିଶା ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଂଶସିତ  ହୋଇଛନ୍ତି । ସମାନ ଢଙ୍ଗରେ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପାଳଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାରମ୍ଭିକ ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର, ପାଣିପାଗ ବିଭାଗ ନିର୍ଦେଶକ, ପୋଲିସ ଡିଜି, ଓଡ୍ରାଫ ଓ ଏନଡିଆରଏଫ କତ୍ତୃପକ୍ଷ ଉପସ୍ଥିତ ଥିବା ବେଳେ ଭିଡିଓ କନ୍ଫରେନ୍ସରେ ଉପସ୍ଥିତ  ଥିଲେ ଜଗତସିଂପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵରର ଜିଲ୍ଲାପାଳମାନେ ।

ଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେ

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲା
First published: May 15, 2020, 10:37 PM IST