ଆସୁଛି ବାତ୍ୟା: ରାଜ୍ୟରେ ସମୁଦ୍ର କୂଳରୁ ୩ କିମି ଭିତରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ

ଆସୁଥିବା ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନିଷେଧ କରାଯାଇଛି । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ଜଣାପଡ଼ି ନାହିଁ । ବିକଳ୍ପ ଆଶ୍ରୟସ୍ଥଳୀ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେଉଥିବାରୁ ଓ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ଆଶଙ୍କା ଥିବାରୁ ସରକାର ସେଥି ପାଇଁ ପ୍ରସ୍ତତ ହୋଇଛନ୍ତି ଓ ଲୋକଙ୍କୁ ଆବଶ୍ୟକ ସୁରକ୍ଷା ସୂଚନା ସହ ଚେତାବନୀ ଦେଇଛନ୍ତି ।

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ଏକ ବୈଠକରେ ସତର୍କତା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସବୁ ବିଭାଗକୁ ସଜାଗ ଓ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାପାଳ ଓ ଅଫିସରଙ୍କୁ ସତର୍କ କରାଇ ତିତଲି ଓ ଫନି ବାତ୍ୟାର ଭୟାବହତା ମନେପକାଇଛନ୍ତି ସେ ।

‘‘ପ୍ରାକୃତିକ ବିପର୍ଯ୍ୟୟର କେମିତି ମୁକାବିଲା ହୁଏ ଆପଣ ଜାଣିଛନ୍ତି । ପାଣିପାଗ ବିଭାଗ ତାଙ୍କ କାମ କରୁ, ଆପଣମାନେ ଆପଣଙ୍କ କାମ କରନ୍ତୁ,’’ ସବୁ ବିଭାଗକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । କୋରୋନା ସହ ବାତ୍ୟା ଉପରେ ମଧ୍ୟ ନଜର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି ଯେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏହି ବାତ୍ୟା । ୧୭ ତାରିଖ ସନ୍ଧ୍ୟା ପରେ ଏହା ଦିଗ ପରିବର୍ତ୍ତନ କରିବ । ଉତ୍ତର ଓଡ଼ିଶା ଉପକୂଳରେ ବାତ୍ୟାର ପ୍ରଭାବ ଆଶଙ୍କା ଥିବା ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର (ଏସଆରସି)।

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ


ଆସୁଥିବା ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନିଷେଧ କରାଯାଇଛି । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ଜଣାପଡ଼ି ନାହିଁ ବୋଲି କହିଛନ୍ତି ଏସଆରସି । ବିକଳ୍ପ ଆଶ୍ରୟସ୍ଥଳୀ ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସରପଞ୍ଚ ଓ ସ୍କୁଲ ଶିକ୍ଷକ ସେଲ୍‌ଟର ହୋମ୍‌ ଦାୟିତ୍ବରେ ରହିବେ । ବାତ୍ୟା ପରିସ୍ଥିତି ଉପୁଜିଲେ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପାଇଁ ଚାରିଟି ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଯୋଗାଯୋଗ ରଖାଯାଇଥିବା ବେଳେ ୧୨ଟି ଜିଲ୍ଲାକୁ ସମ୍ଭାବ୍ୟ ବାତ୍ୟା ପାଇଁ ଆଲର୍ଟ କରାଯାଇଛି । ଦରକାର ପଡ଼ିଲେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବା TMCରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ସମୁଦ୍ର କୂଳରୁ ୩ କିମି ମଧ୍ୟରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଦରକାର ପଡ଼ିଲେ ଟେଷ୍ଟ କରି ହୋମ୍‌ କ୍ବାରେନଟାଇନକୁ ପଠାଯିବ ।

ବାତ୍ୟା ପାଇଁ କାଲି ଠୁ ଚାରିଟି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରଭାବରେ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା ରହିଛି । ୧୮ରେ ୬୦ରୁ ୬୫ କିମି ବେଗରେ ପବନ ଆଶଙ୍କା ଥିବା ଏସଆରସି ସୂଚନା ଦେଇଛନ୍ତି । ସେହିପରି ୧୯ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସହ ୭୦ରୁ ୮୫ କିମି ବେଗରେ ପବନ ଆଶଙ୍କା ରହିଛି ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ବାଲେଶ୍ବର ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ୬୦ରୁ ୭୦ କିଲୋମିଟର ବେଗରେ ପବନ ହେବାର ମଧ୍ୟ ସୂଚନା ରହିଛି । ଏହି ପୂର୍ବାନୁମାନକୁ ନେଇ ବାଲେଶ୍ବର ଜିଲା ପ୍ରଶାସନ ତରଫରୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ସରପଞ୍ଚ ଓ ଶିକ୍ଷକ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଚିହ୍ନଟ କରି ରିପୋର୍ଟ ଦେବାକୁ ତହସିଲଦାର ଓ ପଞ୍ଚାୟତ ଅଧିକାରୀଙ୍କୁ କୁହାଯାଇଛି । ଅତ୍ୟାବଶ୍ୟକିୟ ସାମଗ୍ରୀ ଯଥେଷ୍ଟ ଗଚ୍ଛିତ ରହିଛି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସରକାରୀ ଓ ବେସରକାରୀ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳିରେ ରଖିବାକୁ ପଞ୍ଚାୟତ ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି ଜିଲାପାଳ ।

ସମ୍ଭାବ୍ୟ ବାତ୍ୟା କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି । ଗୋଟେ ପଟେ ପ୍ରଶାସନ କରୋନା ମହାମାରୀର ମୁକାବିଲା କରୁଥିବା ବେଳେ ଅନ୍ୟ ପଟେ ଆସୁଥିବା ବାତ୍ୟା ମୁକାବିଲା କରିବା ପାଇଁ  ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏ ଭଳି ଏକ ସମୟରେ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ଓ ସମ୍ଭାବ୍ୟ ବାତ୍ୟାର ଦୃଢ଼ ମୁକାବିଲା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି

ଏହା ବି ପଢ଼ନ୍ତୁ: ମେ ୩୧ ସୁଦ୍ଧା ଏହି କାମ ନ କଲେ ମାତ୍ର ୧୨ ଟଙ୍କାରେ ମିଳୁଥିବା ବୀମାର ଲାଭ ଆପଣ ହରେଇବେ

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୬୭୨ ହେଲା

ଏହା ବି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କୁ ୨ ମାସ ମାଗଣା ଖାଦ୍ୟ ମିଳିବ; ମଧ୍ୟମ ଆୟ ବର୍ଗ ପାଇଁ ଭଡ଼ା ଘର ଯୋଜନା

ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି
First published: