News18 Odia Digital
ଭୁବନେଶ୍ୱର: ଓଡିଶାରେ କାଲି ଗୋଟିଏ ଦିନରେ ୧୮ ଜଣ କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟାକୁ ୩୯କୁ ବୃଦ୍ଧି ପାଇଛି । ରବିବାର ଅପରାହ୍ଣରେ ଭୁବନେଶ୍ୱରରେ ଦୁଇ ଜଣ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ତା’ ପରେ ସନ୍ଧ୍ୟାରେ ରାଜ୍ୟର ତିନୋଟି ସହରାଞ୍ଚଳରେ ୪୮ ଘଣ୍ଟିଆ ସଟଡାଉନ୍ ଉଠିବାର ଘଣ୍ଟାକ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଥିଲା ଯେ ଆଉ ୧୬ଟି ନମୁନା ପଜିଟିଭ୍ ବୋଲି ପରୀକ୍ଷାରୁ ଜଣା ପଡ଼ିଛି ।
ଦେଶବାସୀଙ୍କ କରୋନା ଭାଇରସ୍ ବିରୁଦ୍ଧରେ ମନୋବଳ ଆହୁରି ଦୃଢ଼ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରାଜ୍ୟର ଲୋକେ ନଅ ମିନିଟ୍ ପାଇଁ ଦୀପ ଜାଳିବା ଶେଷ କରିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଟୁଇଟ୍ରେ କହିଥିଲା, “ଭୁବନେଶ୍ୱରରେ ଆଉ ୧୬ଟି କୋଭିଡ ପଜିଟିଭ୍ ମାମଲା ସାମନାକୁ ଆସିଛି ।’’
ଏହାର କିଛି ଘଣ୍ଟା ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଦୁଇ ଜଣ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ – କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍-୨ର ବାସିନ୍ଦା ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଯିଏ ମାର୍ଚ୍ଚର ଶେଷ ସପ୍ତାହରେ ଅଷ୍ଟ୍ରେଲିଆରୁ ଫେରିଥିଲେ ଏବଂ ବୋମିଖାଲର ଜଣେ ୨୯ ବର୍ଷ ବୟସ୍କ ବ୍ୟକ୍ତି ।
କଳାହାଣ୍ଡି ଜିଲ୍ଲାର ଆଉ ଜଣେ ୨୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଶନିବାର ରାତିରେ କରୋନା ପଜିଟିଭ୍ ଭାବେ ଚିହ୍ନଟ କରାଯାଇଥିଲା । ଏହି ବ୍ୟକ୍ତି କିଛି ଦିନ ପୂର୍ବରୁ ବାହରିନରୁ ଫେରିଥିଲେ ଓ ତାଙ୍କ ଭିତରେ ରୋଗର ଲକ୍ଷଣ ଦେଖାଯାଇ ନ ଥିଲା ।
ରାଜ୍ୟରେ ପ୍ରଥମ ଦୁଇ ଜଣ କୋଭିଡ-୧୯ ରୋଗୀ ତଥା ଭୁବନେଶ୍ୱରର ବାସିନ୍ଦା ତିନି ଦିନ ପୂର୍ବରୁ ଡାକ୍ତରଖାନାରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ୩୦ ଜଣ ସକ୍ରିୟ ରୋଗୀ ଅଛନ୍ତି । ସେମାନେ ବିଭିନ୍ନ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରବିବାର ଅପରାହ୍ଣରେ କହିଥିଲେ ଯେ ରାଜ୍ୟରେ କରୋନା ଭାଇରସକ ଗୋଷ୍ଠି ସଂକ୍ରମଣ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ, କିନ୍ତୁ ରବିବାର ସନ୍ଧ୍ୟାରେ ୧୬ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏ ବିଷୟରେ ପୁନର୍ବାର ଚିନ୍ତା ଓ ଅନୁଧ୍ୟାନ କରୁଛନ୍ତି ।
ରବିବାର ଦିନ ଚିହ୍ନଟ ହୋଇଥିବା ୧୮ଟି ନୂଆ ମାମଲା ମଧ୍ୟରୁ ପ୍ରାୟ ୧୫ଟି ଭୁବନେଶ୍ୱରର ବୋମିଖାଲ ଅଞ୍ଚଳର । ରାଜ୍ୟ ରାଜଧାନୀରେ ଏହା ହେଉଛି ସେହି ସ୍ଥାନ ଯେଉଁଠାରୁ ଗୋଟିଏ ଦିନ ପୂର୍ବରୁ ତିନି ଜଣଙ୍କୁ ପଜିଟିଭ୍ ଚିହ୍ନଟ କରାଯାଇଥିଲା ।
“ଭୁବନେଶ୍ୱରରେ ଏତେ ସଂଖ୍ୟକ କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହେବା ଓ ତାହା ବି ଗୋଟିଏ ସ୍ଥାନରେ ହେବା ନିଶ୍ଚୟ ଚିନ୍ତାଜନକ କଥା । କିନ୍ତୁ ଜାରି ରହିଥିବା ଲକଡାଉନ୍ ଏବଂ ଭୁବନେଶ୍ୱର ସମେତ ତିନୋଟି ପ୍ରମୁଖ ସହରରେ ଲଗାଯାଇଥିବା ୪୮ ଘଣ୍ଟିଆ ବନ୍ଦ ଯୋଗୁଁ ଏ ପର୍ଯ୍ୟନ୍ତ ଗୋଷ୍ଠି ସଂକ୍ରମଣ ହେବାର ସମ୍ଭାବନା କମ୍ ରହିଛି,’’ କହିଛନ୍ତି ବରିଷ୍ଠ ଡାକ୍ତରୀ ସନ୍ତୋଷ ମିଶ୍ର ।
ରାଜ୍ୟ ସରକାର ବୋମିଖାଲକୁ ସିଲ୍ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର କରମ୍ଚାରୀମାନେ ଘର ଘର ବୁଲି ସର୍ଭେ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସମସ୍ତ ସନ୍ଦିଗ୍ଧ ଲୋକ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଅଲଗା ରଖି ସେମାନଙ୍କୁ ପରୀକ୍ଷା କରେଇବା ପାଇଁ ଚେଷ୍ଟା କରୁଛନ୍ତି ।
ଓଡ଼ିଶାର ନବୀନ ପଟ୍ଟନାୟକ ସରକାର କେବଳ କୋଭିଡ-୧୯ ରୋଗୀଙ୍କ ପାଇଁ ଭୁବନେଶ୍ୱର ଓ କଟକରେ ୧,୦୦୦ ଶଯ୍ୟା ବିଶିଷ୍ଟ ତିନେଟି ଚିକିତ୍ସା କେନ୍ଦ୍ର ଖୋଲିଛନ୍ତି ଓ ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ ଏବଂ ଘର ଭିତରେ ରହିବାକୁ ଅନୁରୋଧ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।