ଭାରତ ଚୀନ ପରି କରୋନାକୁ ରୋକିବ ନା ଇଟାଲିର ରାସ୍ତାରେ ଯିବ? ବୈଜ୍ଞାନିକଙ୍କ ଆକଳନ ଜାଣନ୍ତୁ

ଭାରତ ଯଦି କରୋନା ଭାଇରସର ପ୍ରସାରକୁ ରୋକିବାରେ ବିଫଳ ହୁଏ, ତାହେଲେ ଏହା ଇଟାଲୀ ପରି ବଢ଼ିଚାଲିବ । ସେହି ସ୍ଥିତିରେ ଏପ୍ରିଲ ୧୫ ସୁଦ୍ଧା ଭାରତରେ ୩,୫୦୦ରୁ ଅଧିକ ମାମଲା ସାମନାକୁ ଆସିପାରେ ।

ଭାରତ ଚୀନ ପରି କରୋନାକୁ ରୋକିବ ନା ଇଟାଲିର ରାସ୍ତାରେ ଯିବ? ବୈଜ୍ଞାନିକଙ୍କ ଆକଳନ ଜାଣନ୍ତୁ
ଦିଲ୍ଲୀର ଏକ କରୋନା ଭାଇରସ୍ ସ୍କ୍ରିନିଂ କ୍ୟାମ୍ପର ଦୃଶ୍ୟ (ଏ.ପି. ଫଟୋ)
  • News18 Odia
  • Last Updated: March 22, 2020, 12:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚେନ୍ନାଇ: କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ କହିଛନ୍ତି ଯେ ଯେତେ ମାମଲା ବଢ଼ୁଛି ଭାରତ ଏହି ରୋଗ ବିସ୍ତାରକୁ ବନ୍ଦ କରିବାର ଉଦ୍ୟମରେ ସେତେ କଷ୍ଟଦାୟକ ପର୍ଯ୍ୟାୟରେ ପ୍ରବେଶ କରୁଛି । ଏପରି ଏକ ସମୟରେ ଦୁଇଟି ଚିତ୍ର ସମସ୍ତଙ୍କ ଆଖି ସାମନାକୁ ଆସୁଛି – ଚୀନ୍‌ ପରି ଭାରତ ହୁଏତ ସାମାଜିକ ଦୂରତା (social distancing) ଓ ସେଲ୍ଫ କ୍ୱାରାଣ୍ଟିନ୍ (self-quarantine) ଦ୍ୱାରା ଏହି ରୋଗକୁ ରୋକିବାରେ ସଫଳ ହେବ କିମ୍ବା ଭାରତରେ ଏହି ରୋଗ ଇଟାଲି ପରି ଏତେ ମାତ୍ରାରେ ବ୍ୟାପିବ ଯେ ଦେଶର ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ଉପରେ ଭୀଷଣ ଚାପ ପଡ଼ିବ ।

ନ୍ୟୁଜ୍‌ ୧୮ ଦୁଇ ଜଣ ବୈଜ୍ଞାନିକଙ୍କ ସାକ୍ଷାତକାର ନେଇଛି । ସେମାନଙ୍କ ମଧ୍ୟରୁ ଜଣେ ଆକଳନ ଓ ପ୍ରମୁଖ ପ୍ରସଙ୍ଗ ଉପରେ ସରକାରଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଆସନ୍ତା ଦୁଇ ତିନି ସପ୍ତାହ ମଧ୍ୟରେ ଭାରତରେ ମୋଟ ମାମଲା ୪୧୫ରୁ ୧,୦୦୦ ମଧ୍ୟରେ ହେବ ବୋଲି ଆକଳନ କରିଛନ୍ତି। ସେ କହିଛନ୍ତି ଯେ ରୋଗ ସଂଖ୍ୟାରେ ଏହି ବିରାଟ ପାର୍ଥକ୍ୟ ରୋଗର ପ୍ରଭାବ, ଏହାର ହ୍ରାସ, ସାମାଜିକ ଦୂରତା ଓ କ୍ୱାରାଣ୍ଟିନ ଉପରେ ନିର୍ଭର କରିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଓ ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟକୁ ବ୍ୟବହାର କରି ଦେଶର କେତେକ ବିଶ୍ୱବିଦ୍ୟାଳୟରେ ସମ୍ଭାବ୍ୟତାର ମଡେଲ୍‌ ବିକଶିତ କରାଯାଇଛି । ଏହି ମଡେଲଗୁଡ଼ିକ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶରେ ଏହି ଭୂତାଣୁର ପ୍ରସାରକୁ ଦେଖାଯାଇଛି ଓ ସେହି ଅନୁଯାୟୀ ସମ୍ଭାବ୍ୟ ମାମଲା ଆକଳନ କରାଯାଇଛି । ଚେନ୍ନାଇର ଗଣିତ ପ୍ରତିଷ୍ଠାନର ଆସୋସିଏଟ୍ ପ୍ରଫେସର ସୌରିଶ ଦାସ 'ସ୍ଥାନାନ୍ତର ଶିକ୍ଷା' (transfer learning) ନାମକ ଏକ ପଦ୍ଧତିର ବ୍ୟବହାର କରିଛନ୍ତି, ଯେଉଁଥିରେ ଇଟାଲୀ, ଚୀନ୍ ଓ ଅନ୍ୟାନ୍ୟ ଦେଶରେ ଏହି ରୋଗ କେମିତି ବ୍ୟାପିଲା ତାହା ଦୃଷ୍ଟିରେ ରଖି ଭାରତ ପାଇଁ ସମାନ୍ତରାଳ ଅଧ୍ୟୟନ କରାଯାଉଛି ।

ଏପ୍ରିଲ ୧୫ ସୁଦ୍ଧା କେତେ ମାମଲା ହେବ ଭାରତରେ?

ଦାସ ନ୍ୟୁଜ୍ ୧୮କୁ କହିଛନ୍ତି, "ଯଦି ଆମେ ଅନୁମାନ କରୁ ଯେ ଏହି ରୋଗ ଭାରତରେ ଚୀନ୍ ପରି ବ୍ୟାପେ ଓ ଆମେ ବି ଚୀନ୍‌ ପରି ଏକ ଦୃଢ଼ ଆତ୍ମ-କ୍ୱାରାଣ୍ଟିନ୍ ପ୍ରକ୍ରିୟା କାର୍ଯ୍ୟକାରୀ କରୁଁ, ତା’ର ଅର୍ଥ ହେବ ଯେ ଆମେ ଭାରତରେ ବି ଚୀନର ସଫଳତାକୁ ପୁନରାବୃତ୍ତି କରିବାରେ ସମର୍ଥ ହେବୁ । ଯଦି ଏହା କରାଯାଏ, ତେବେ ଏପ୍ରିଲ ୧୫ ସୁଦ୍ଧା ଭାରତରେ କେବଳ ୪୧୫ ମାମଲା ବାହାରିବ ବୋଲି ଆଶା କରାଯାଉଛି ।’’

ମାତ୍ର ଦାସ ଚେତାବନୀ ଦେଇ କହିଛନ୍ତି, " ଯଦି ଭାରତ ଏହି ରୋଗର ପ୍ରସାରକୁ ରୋକିବାରେ ବିଫଳ ହୁଏ, ତାହେଲେ ସବୁ ଠାରୁ ଖରାପ ପରିସ୍ଥିତି ହେବ ଓ ଏହା ଇଟାଲୀ ପରି ବୃଦ୍ଧି ପାଇବ । ସେହି ସ୍ଥିତିରେ ଏପ୍ରିଲ ୧୫ ସୁଦ୍ଧା ଭାରତରେ ୩,୫୦୦ରୁ ଅଧିକ ମାମଲା ସାମନାକୁ ଆସିପାରେ ।’’

ବିଭିନ୍ନ ଦେଶରୁ ସଂଗୃହିତ ତଥ୍ୟକୁ ଭାରତୀୟ ପାରାମିଟରକୁ ଦୃଷ୍ଟିରେ ରଖି, ବିଶେଷତଃ ଜନ ସମୂଦାୟର ଆଚରଣ, ପାଣିପାଗ ଇତ୍ୟାଦିକୁ ଆଖିରେ ରଖି, ଗୁରୁତର ପରୀକ୍ଷା କରାଯାଉଛି ।

ଅନ୍ୟ ଜଣେ ବୈଜ୍ଞାନିକ ସୀତାଭ୍ରା ସିହ୍ନା, ଯିଏ ଚେନ୍ନାଇରେ ଗାଣିତିକ ବିଜ୍ଞାନର ପ୍ରଫେସର ଅଛନ୍ତି, ସେ କହିଛନ୍ତି ଯେ ଭାରତରେ R0 (ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ରୋଗର ବିସ୍ତାରର ଗଣନା ପାଇଁ ଏକ ସୂଚକ) କମ୍ ଅଛି ବୋଲି କୌଣସି ପ୍ରମାଣ ନାହିଁ ।

‘‘ବିଶ୍ୱର ଯେଉଁ ୩୦ଟି ଦେଶରେ ସବୁ ଠୁ ବେଶୀ ମାମଲା ଆସିଛି ସେମାନଙ୍କ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ଥିବା ଦେଖାଯାଇଛି । ଏଥି ସହିତ ଭାରତର R0 ପ୍ରାୟ ୧.୭ ଅଛି, ଯାହାକି ଅପେକ୍ଷାକୃତ କମ୍ ମାମଲା ଆଡ଼କୁ ସୂଚନା ଦେଉଛି । ତେବେ ଏମିତି କାହିଁକି ହୋଇଛି ଆମେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜାଣି ପାରିନାହୁଁ,’’ କହିଛନ୍ତି ସିହ୍ନା ।

ମାର୍ଚ୍ଚ ଶେଷ ସୁଦ୍ଧା ୧,୦୦୦ ପହଞ୍ଚିବ ସଂକ୍ରମଣ ସଂଖ୍ୟା?

ସେ ଅନୁମାନ ଲଗାଇ କହିଛନ୍ତି ଯେ ମାର୍ଚ୍ଚ ୨୨ ତାରଖ ଶେଷ ସୁଦ୍ଧା ଦେଶରେ ମାମଲା ସଂଖ୍ୟା ୨୦୦ ଅତିକ୍ରମ କରିଯାଇପାରେ ଓ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଭାରତରେ କରୋନା ମାମଲା ୧,୦୦୦ ରେ ପହଞ୍ଚିପାରେ । ଜାତୀୟ ବିପର୍ଯ୍ୟୟ ଟାସ୍କ ଫୋର୍ସ (National Disaster Task Force) ପ୍ରଫେସର ସିହ୍ନାଙ୍କ ସହ ଯୋଗାଯୋଗରେ ଅଛି । ଭାରତର R0 ଆକଳନ ଓ ଆସନ୍ତା କିଛି ସପ୍ତାହର ସମ୍ଭାବ୍ୟ ସ୍ଥିତି ଉପରେ ପରସ୍ପର କେତେକ ତଥ୍ୟ ଦିଆନିଆ କରିଛନ୍ତି ।
First published: March 22, 2020, 12:54 AM IST