News18 Odia Digital
ନୂଆ ଦିଲ୍ଲୀ: ଲକଡାଉନକୁ ପାଳନ ନ କଲେ ବିଶ୍ବରେ ସାଙ୍ଘାତିକ ସ୍ଥିତି ଉପୁଜିବ ବୋଲି ଚେତାବନୀ ଦେଇ ଯେଉଁ ଦେଶଗୁଡ଼ିକ ଲକଡାଉନ ହଟାଇବାକୁ ଚିନ୍ତା କରୁଛନ୍ତି ସେମାନଙ୍କୁ ସତର୍କ କରାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)। ଆର୍ଥିକ କ୍ଷତି ସହିଲେ ବି ଲକଡାଉନ ହଟାଇବା ଭଳି ଦୁଃସାହସ ନ କରିବାକୁ ପରାମର୍ଶ ଦେଇଛି WHO । ଭାରତ ଭଳି ପଦକ୍ଷେପ ନେବାକୁ ଅନ୍ୟ ଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି । ନୋହିଲେ କୋରୋନାର ପ୍ରଭାବ ବିସ୍ତାରକୁ ରୋକିହେବ ନାହିଁ ବୋଲି ସତର୍କ କରାଇ ଦେଇଛି WHO ।
ଭାରତ ଲକଡାଉନକୁ ମଇ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପ୍ରମୁଖ ଡକ୍ଚର ଟେଡ୍ରସ୍ ଅଢାନମ୍ କହିଛନ୍ତି ଯେ ଅନ୍ୟ ଦେଶଗୁଡ଼ିକୁ ଲକଡାଉନ ହଟାଇବା ପୂର୍ବରୁ ବହୁ ବାର ଚିନ୍ତା କରିବାକୁ ପଡ଼ିବ । ଏଥି ପାଇଁ ଦେଶଗୁଡ଼ିକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ, ହେଲେ ସେଥିପ୍ରତି ଦୃଷ୍ଟି ନଦେଇ ଲକଡାଉନ ଜାରି ରଖିବା ଜରୁରୀ ବୋଲି ସେ କହିଛନ୍ତି ।
କରୋନା ଭାଇରସ୍ କାରଣରୁ ୟୁରୋପର ଇଟାଲୀ ଓ ସ୍ପେନ ସବୁ ଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ଦୁଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବାରୁ ଲକଡାଉନ ଜାରି ରହିଛି । କିନ୍ତୁ ଏବେ ଏହି ଦୁଇ ଦେଶର ସରକାର ଲକଡାଉନକୁ କିଛି ପରିମାଣର କୋହଳ କରିବାକୁ ଚିନ୍ତା କରୁଛନ୍ତି । ସାରା ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୧୮ ଲକ୍ଷରେ ପହଞ୍ଚିଛି । ପ୍ରତିବନ୍ଧକ ହଟାଇବା ଦିଗରେ ବିଶ୍ବର ଅନେକ ଗୁଡିଏ ଦେଶ ସହ ମିଳିମିଶି କାମ କରୁଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ହେଲେ ବର୍ତ୍ତମାନ ସ୍ଥିତିରେ ଲକଡାଉନ ହଟାଇବା ଭଳି ଭୁଲ ପଦକ୍ଷେପ ଆଦୌ ନେବା ଉଚିତ ନୁହେଁ ବୋଲି କହିଛନ୍ତି WHO ପ୍ରମୁଖ ଡକ୍ଚର ଟେଡ୍ରସ୍ ଅଢାନମ୍।

କାନପୁରରେ ଏକ ଶ୍ମଶାନରେ ଜଣେ ମୃତ ବ୍ୟକ୍ତିର ପରିଜନ ଠିଆହୋଇଛନ୍ତି ।
ଲକ୍ ଡାଉନ ହଟାଇବା ଅର୍ଥ କୋରୋନା ସଂକ୍ରମଣକୁ ପୁଣି ବୃଦ୍ଧି କରିବାରେ ସହଯୋଗ କରିବା ବୋଲି କହିଛନ୍ତି ଅଢାନମ୍। ସ୍ପେନରେ କିଲର କୋରୋନା ଯୋଗୁ ୧୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏକ ଲକ୍ଷ ୬୩ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ସୋମବାର ଠାରୁ ଗ୍ୟାସ ଶିଳ୍ପ ପୂର୍ବ ଭଳି କାମ କରିବାକୁ ସ୍ପେନ ସରକାର ଅନୁମତି ଦେଇଛନ୍ତି । ହେଲେ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।
ଇଟାଲୀରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ରହିଛି । ଲକଡାଉନ ଯୋଗୁ ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ଏହାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ସରକାର । ହେଲେ ଗତ ମାର୍ଚ୍ଚ ୧୨ ତାରିଖରୁ ବନ୍ଦ ପଡ଼ିଥିବା ଅନେକ ଶିଳ୍ପକୁ ମଙ୍ଗଳବାର ଠାରୁ କାମ କରିବାକୁ ଅନୁମତି ଦିଆଯାଇଛି । ସେହିପରି ବହି ଦୋକାନ ଏବଂ ଛୋଟ ପିଲାଙ୍କ ପୋଷାକ ବିକ୍ରି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଲକଡାଉନ ଯୋଗୁ କେବଳ ଔଷଧ ଏବଂ ଗ୍ରୋସୋରୀ ଦୋକାନ ଖୋଲିବାକୁ ଅନୁମତି ରହିଥିଲା । ଏବେ ପ୍ରଶ୍ନ ଉଠୁଛି ବିଶ୍ବର ଅନ୍ୟ ଦେଶଗୁଡ଼ିକରେ କଣ ହେଉଛି ।
ମେ ୫ ତାରିଖ ପର୍ଯ୍ୟନ୍ତ ଆୟର୍ଲାଣ୍ଡରେ ଲକଡାଉନ ରହିଛି । ତୁର୍କୀର ୩୧ଟି ସହରରେ ୪୮ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ପର୍ତ୍ତୃଗାଲରେ ମେ ୧ ତାରିଖ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲଗାଯାଇଛି । ଦକ୍ଷିଣ ଆଫ୍ରିକାରେ ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରାଯାଇଥିଲା, ଯାହାକୁ ଆଉ ଦୁଇ ସପ୍ତାହକୁ ବୃଦ୍ଧି କରାଯାଇଛି । ଏହା ବି ପ୍ରଶ୍ନ ଉଠୁଛି ଯେ କରୋନା ଭାଇରସର ପ୍ରଭାବ କମୁନାହିଁ କାହିଁକି ।
WHOର କହିବାକଥା ଯେ ଏବେ ୟୁରୋପର କେତେକ ଦେଶରେ କୋରୋନାର ଗତି ମନ୍ଥର ହୋଇଛି । WHO ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ ବିଶେଷକରି ଆଫ୍ରିକାର କେତେକ ଦେଶରେ ଏବେ ମହାମାରୀ କରୋନା ପ୍ରଭାବ ବିସ୍ତାର କରିଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳରେ ବି ପହଞ୍ଚି ସାରିଛି ଏହି ଭାଇରସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।