News18 Odia Digital
କୋଲକାତା: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଓ ଅଭିଯୋଗ କରିଛନ୍ତି ଯେ ସେ କରୋନା ଭାଇରସ୍ ସଙ୍କଟ ମଧ୍ୟରେ ରାଜ୍ୟରେ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ଧନଖରଙ୍କୁ ସୋସିଆଲ ମିଡିଆରେ ସରକାରୀ ବାର୍ତ୍ତାଳାପ ଓ ଲୋଗୋ ବ୍ୟବହାର ନ କରିବାକୁ ବି କହିଛନ୍ତି ମମତା ।
ପଶ୍ଚିମ ବଙ୍ଗର କରୋନା ଭାଇରସ୍ ସଙ୍କଟର ମୁକାବିଲା ଉପରେ ଧନଖର ମୁଖ୍ୟ ମନ୍ତ୍ରୀଙ୍କୁ ଦୁଇଟି ଚିଠି ଲେଖିବା ପରେ ରାଜ ଭବନ ଓ ନବାନ୍ନ (ରାଜ୍ୟ ସଚିବାଳୟ) ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମମତାଙ୍କ ବକ୍ତବ୍ୟ ଆସିଛି ।
‘‘ଭାରତର ସାମ୍ବିଧାନିକ ତଥା ରାଜନୈତିକ ଇତିହାସରେ ଜଣେ ରାଜ୍ୟପାଳଙ୍କ ଠାରୁ ଜଣେ ନିର୍ବାଚିତ ମୁଖ୍ୟ ମନ୍ତ୍ରୀଙ୍କୁ ଏପରି ଶବ୍ଦ ତଥା ଏପରି ବିଷୟବସ୍ତୁର ଚିଠିର ଦୃଷ୍ଟାନ୍ତ ନାହିଁ । ମୋ’ ପାଇଁ ତଥା ମୋ’ର ମନ୍ତ୍ରୀ ତଥା ଅଧିକାରୀଙ୍କ ବିରୁଦ୍ଧରେ ଆପଣଙ୍କ ବ୍ୟବହାର କରିଥିବା ଶବ୍ଦ ସବୁକୁ ନିଷ୍ଠୁର, ମର୍ଯ୍ୟାଦାହୀନ, ଅପମାନଜନକ ଓ ଭୟଭୀତ କରାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇପାରେ,’’ ଧନଖରଙ୍କୁ ନିଜ ୧୪ ପୃଷ୍ଠାର ଚିଠିରେ ଲେଖିଛନ୍ତି ମମତା ।
ରାଜ୍ୟପାଳ ସାମ୍ବିଧାନିକ ନୀତିର ପ୍ରଚାର କରିବା ଓ ଉପଦେଶ ଦେବା ଜାରି ରଖିଛନ୍ତି ମାତ୍ର ତାହା ପାଳନ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ମମତା କହିଛନ୍ତି ଯେ ରାଜ୍ୟପାଳ ତାଙ୍କ ନୀତି ସହ ସହମତ ହୋଇ ନ ପାରନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ସରକାରକୁ ବିଧାନ ସଭାର ବିଶ୍ୱାସ ପ୍ରାପ୍ତ ଥିବା ପର୍ଯ୍ୟନ୍ତ ନିଜ ଅସହମତିକୁ କେବଳ ତାଙ୍କ (ମମତାଙ୍କ) ଦୃଷ୍ଟିକୁ ଆଣିବା ବ୍ୟତୀତ ରାଜ୍ୟପାଳଙ୍କ ନିକଟରେ ଅନ୍ୟ କୌଣସି ଶକ୍ତି ନାହିଁ ।
‘‘ବିଶେଷ କରି ଏହି ସଙ୍କଟ ସମୟରେ କ୍ଷମତା ହାତେଇବା ପାଇଁ ଉଦ୍ୟମ ନ କରିବାକୁ ମୁଁ ଆପଣଙ୍କୁ ନିବେଦନ କରୁଛି… ଆଉ ଆପଣ ସୋସିଆଲ ମିଡିଆରେ ନିଜର କ୍ରମାଗତ ଟ୍ୱିଟ୍ ପାଇଁ ସରକାରୀ ଯୋଗାଯୋଗ / ଲୋଗୋ ବ୍ୟବହାର କରିବା ବନ୍ଦ କରିବା ଉଚିତ,’’ ଚିଠିରେ ଲେଖିଛନ୍ତି ମମତା ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।