News18 Odia Digital
କୋଲକାତା: ସାରା ବିଶ୍ଵ ଗଲା ଛଅ ମାସ ହେବ କରୋନା ମହାମାରୀ ସହିତ ଲଢ଼େଇ କରୁଛି । ଏହି ଅଦୃଶ୍ୟ ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ଏ ପର୍ଯ୍ୟନ୍ତ ଟିକା ତିାରି ହୋଇପାରି ନାହିଁ, ଯଦିଓ ସମଗ୍ର ବିଶ୍ୱରେ ଏହାର ମାନବ ପରୀକ୍ଷଣ ଚାଲିଛି । ଏହି ସମୟରେ ପଶ୍ଚିମ ବଙ୍ଗ ବିଜେପିର ସଭାପତି ତଥା ଲୋକ ସଭା ସାଂସଦ ଦିଲୀପ ଘୋଷ କରୋନା ଭାଇରସର ମୁକାବିଲା ପାଇଁ ଗୋମୂତ୍ର ପିଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।
‘‘ମୁଁ ଗାଈ ବିଷୟରେ କହିଲେ ଲୋକେ ଅସୁସ୍ଥ ହୋଇଯାଉଛନ୍ତି! ମୁଁ ସେମାନଙ୍କୁ କହୁଛି ଯେ ଗୋଟେ ଗଧ କେବେ ଗାଈର ମୂଲ୍ୟ ବୁଝିପାରିବ ନାହିଁ । ଏହା ହେଉଛି ଭାରତ, ଭଗବାନ କୃଷ୍ଣଙ୍କ ଦେଶ । ଏଠି ଗାଈମାନେ ହେଉଛନ୍ତି ଭଗବାନ, ଆମେ ତାଙ୍କୁ ପୂଜା କରୁ । ଆମେ ଗାଈର ପରିସ୍ରା ପିଇଲେ ସୁସ୍ଥ ରହିବା । ଆୟୁର୍ବେଦିକ ଔଷଧ ବ୍ୟବହାର କରନ୍ତୁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ,’’ କହିଛନ୍ତି ଦିଲ୍ଲୀପ ଘୋଷ । ଗୁରୁବାର ଦୁର୍ଗାପୁରରେ ‘ଚାଇ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଆୟୋଜନ କରି ସେ ଏହା କହିଥିବା ନେଇ ‘ଟାଇମ୍ସ ଅଫ୍ ଇଣ୍ଡିଆ’ରେ ଖବର ପ୍ରକାଶିତ ହୋଇଛି ।
ଘୋଷ ଘରୋଇ ଉପଚାର କିପରି ଉପଯୋଗୀ ହୋଇପାରିବ ସେ ନେଇ ବି କହିଛନ୍ତି । ‘‘ପ୍ରତ୍ୟେକ ପୂଜାରେ ତୁଳସୀ ବ୍ୟବହାର କରାଯାଏ । ପ୍ରଭୁ ଶିବଙ୍କୁ ପୂଜା କରିବା ପାଇଁ ବେଲର ବ୍ୟବହାର କରାଯାଏ । ତୁଳସୀ ଓ ବେଲ ଆମକୁ ପ୍ରସାଦ ଭାବରେ ଦିଆଯାଏ । ଆମର ପୂର୍ବପୁରୁଷମାନେ ସୁସ୍ଥ ରହିବା ପାଇଁ ଏହାର ଅଭ୍ୟାସ କରୁଥିଲେ । ଗୋମୂତ୍ର ଓ ଗୋବରକୁ ପଞ୍ଚାମୃତରେ ବ୍ୟବହାର କରାଯାଇଥାଏ । ତାହା ବି ସମାନ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ,’’ କହିଛନ୍ତି ଦିଲୀପ ଘୋଷ ।

ଗୋମୂତ୍ର ଓ ଗୋବରକୁ ପଞ୍ଚାମୃତରେ ବ୍ୟବହାର କରାଯାଏ ବୋଲି କହିଛନ୍ତି ଦିଲୀପ ଘୋଷ ।
ପଶ୍ଚିମ ବଙ୍ଗର ବିଜେପି ସଭାପତି ଗାଈ ଉପରେ ଏପରି ବିବାଦୀୟ ବିବୃତ୍ତି ଦେବାର ଏହା ପ୍ରଥମ ଘଟଣା ନୁହେଁ । ନଭେମ୍ବର ୨୦୧୯ରେ ଘୋଷ କହିଥିଲେ ଯେ ଗାଈର କ୍ଷୀରରେ ସୁନା ରହିଛି । ଏହି ବିବୃତ୍ତି ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ବ୍ୟାପକ ସମାଲୋଚନା ଆକୃଷ୍ଟ କରିଥିଲା । ଗଲା ମେ ମାସରେ ସେ ନିଜେ ଗୋମୂତ୍ର ପିଅନ୍ତି ଓ ଗୋମୂତ୍ର ପିଇବାରେ କୌଣସି କ୍ଷତି ନାହିଁ ବୋଲି ଘୋଷ କହିଥିବା ଖବର ‘ଦ ହିନ୍ଦୁ’ରେ ପ୍ରକାଶ ପାଇଥିଲା ।
କିନ୍ତୁ ପଶ୍ଚିମ ବଙ୍ଗର ବିଜେପି ସଭାପତି ଯାହା କହିଛନ୍ତି ତାହାର ବିପରୀତରେ ଗୋମୂତ୍ର ପ୍ରକୃତରେ କରୋନା ଭାଇରସକୁ ନଷ୍ଟ କରେ ନାହିଁ । ଆପଣ ଭାଇରାଲ୍ ହ୍ବାଟସଆପ୍ ଫରୱାର୍ଡରେ ଆସୁଥିବା ଏହି ପ୍ରକାର ଦାବି ଦ୍ୱାରା ଆକର୍ଷିତ ହୋଇଥାଇପାରନ୍ତି, କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହାକୁ ଖଣ୍ଡନ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।