ଆସନ୍ତା ଶନିବାରଠାରୁ ସାରା ଓଡ଼ିଶାରେ ଲାଗୁ ହେବ ସପ୍ତାହାନ୍ତ ସଟ୍ଡାଉନ୍; କରୋନା ଅଣାୟତ୍ତ ହେଉଛି
ରାଜ୍ୟରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ୫,୦୦୦ ଆଡ଼କୁ ମୁହାଁଉଥିବାରୁ ଚିନ୍ତା ବଢ଼ିଛି । ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ସହ ଖବର କାଗଜ ଓ ଦୁଗ୍ଧ ଯୋଗାଣ ଚାଲୁ ରହିବ । ଜରୁରୀକାଳୀନ ସେବା କର୍ମଚାରୀଙ୍କ ପାଇଁ ପାସ୍ ଦରକାର ହେବ ନାହିଁ ।
ସାରା ରାଜ୍ୟରେ ଶନିବାର ଓ ରବିବାର ସଟ୍ଡାଉନ୍ ହେବ । (ଫାଇଲ୍ ଫଟୋ)
- News18 Odia
- Last Updated: April 19, 2021, 8:14 PM IST
ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ତା’ର ମୁକାବିଲା ପାଇଁ କଠୋର ହୋଇଛି କଟକଣା । ରାଜ୍ୟକୁ ପୁଣି ଫେରିଛି ସପ୍ତାହାନ୍ତ ସଟଡାଉନ୍ । ଏ ନେଇ ବଡ଼ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା । ଆସନ୍ତା ୨୪ ତାରିଖରୁ ସାରା ଓଡ଼ିଶାରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହେବ ବୋଲି ସରକାରଙ୍କ ନିଷ୍ପତ୍ତି ଶୁଣାଇଛନ୍ତି ସେ ।
ସାରା ରାଜ୍ୟରେ ଶନିବାର ଓ ରବିବାର ସଟ୍ଡାଉନ୍ ହେବ । ଏହା ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ । ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଯଥା ଅଗ୍ନିଶମ, ପୋଲିସ, ଜଳ ଓ ବିଦ୍ୟୁତ ଯୋଗାଣ ସବୁ ପୂର୍ବବତ୍ ଚାଲୁ ରହିବ (Odisha weekend shutdown)। ଖବର କାଗଜ ଯୋଗାଣ ଓ ଦୁଗ୍ଧ ଯୋଗାଣ ବି ଜାରି ରହିବ । ସଟ୍ଡାଉନ୍ ବେଳେ ଖୋଲା ରହିବ ପେଟ୍ରୋଲ ପମ୍ପ୍ । ତେଜରାତି ଓ ପରିବା ଦୋକାନ ମଧ୍ୟ ଖୋଲା ରହିବ (Odisha shutdown rules)।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସ୍.ଆର୍.ସି.) ପ୍ରଦୀପ ଜେନା ସଟଡାଉନ୍ ବିଷୟରେ ସୂଚନା ଦେଉଛନ୍ତି ।
ରାଜ୍ୟରେ କରୋନା ସ୍ଥିତି କ୍ରମଶଃ ସଙ୍ଗୀନ ହେଉଛି । ଦୈନିକ ସଂକ୍ରମଣ ସର୍ବକାଳୀନ ରେକର୍ଡ କରିଛି (Odisha Corona situation) । ଏହା ୪,୦୦୦ ଟପି ୫,୦୦୦ ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମ ଲହରରେ ଦୈନିକ ସର୍ବାଧିକ ସଂକ୍ରମଣ ସଂଖ୍ୟା ୪,୩୫୬କୁ ଟପି ୪,୪୪୫ରେ ପହଞ୍ଚିଛି । କରୋନା ସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି କହିଛନ୍ତି ପ୍ରଦୀପ ଜେନା । ଡି.ଏମ୍.ଇ.ଟି. ଡାକ୍ତର ସି. ବି. କେ. ମହାନ୍ତି କହିଛନ୍ତି ଯେ ଯଦିଓ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଏବେ ଭଲ ଅଛି, କିନ୍ତୁ ଲୋକେ ବେପରୁଆ ହେଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ
ରାଜ୍ୟରେ ୧୭ ଏପ୍ରିଲରେ ୩,୧୪୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮ ଏପ୍ରିଲ ଏହି ସଂଖ୍ୟା ୩,୬୬୪ରେ ପହଞ୍ଚିଥିଲା । ୧୯ ଏପ୍ରିଲରେ ଏହା ଥିଲା ୪,୪୪୫ ସଂକ୍ରମିତ । ଅର୍ଥାତ ଦିନକୁ ଦିନ ଆହୁରି ବିକଟାଳ ରୂପ ନେଉଛି ସଂକ୍ରମଣ । ପ୍ରଥମ ଲହରରେ ଶୀର୍ଷରେ ପହଞ୍ଚିବାକୁ ଲାଗିଯାଇଥିଲା ଛଅ ମାସ, ହେଲେ ଦ୍ବିତୀୟ ଲହର ଛଅ ସପ୍ତାହ ବି ଲାଗିଲା ନାହିଁ ।
ଏହା ବି ପଢ଼ନ୍ତୁ | ‘ସୈନ୍ୟମାନେ ତ ଦରମା ନେଉଛନ୍ତି; ଲଢ଼େଇରେ ତାଙ୍କର ମୃତ୍ୟୁ ହେଲେ ସହିଦ କୁହାଯାଇପାରିବ ନାହିଁ’
‘‘ଏହି ଚିନ୍ତାଜନକ ସ୍ଥିତିରେ କେବଳ ଗୋଟିଏ ଆଶ୍ବସ୍ତିର କଥା ଏହା ଯେ ଦ୍ୱିତୀୟ ଲହରରେ ମୃତ୍ୟୁ ହାର କମ୍ ରହିଛି । ରାଜ୍ୟରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିଲେ ମଧ୍ୟ ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । କିନ୍ତୁ ଲୋକେ ବେପରୁଆ ହେଲେ ସ୍ଥିତି ବିଗିଡି଼ଯିବାର ଆଶଙ୍କା ରହିଛି । ସବୁ ଜିଲ୍ଲାର ଟୋଲ୍ ଫ୍ରି ନମ୍ବରକୁ ଆକ୍ଟିଭ କରାଯାଉଛି । ସ୍ଥାନୀୟ ସ୍ତରରେ ସଂକ୍ରମିତ ହେଉଥିବା ବ୍ୟକ୍ତି ଆଶା କର୍ମୀ ଓ ଅଙ୍ଗନବାଡି଼ କର୍ମୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି,’’ କହିଛନ୍ତି ଡଃ ମହାନ୍ତି ।
ଏହା ବି ପଢ଼ନ୍ତୁ | ଦେଶରେ ପୁଣି ଥରେ ସବୁ ଟ୍ରେନ୍ ଚଳାଚଳ ବନ୍ଦ ହେବ କି? ରେଲ୍ୱେ କହିଲା ଏହି କଥା
ଦ୍ବିତୀୟ ଲହରରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟିଂ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଆଗକୁ ଦୈନିକ ଟେଷ୍ଟ୍ ସଂଖ୍ୟା ୫୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ହସପିଟାଲଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଏହା ମୋ’ ଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ
‘‘ବର୍ତ୍ତମାନ ସ୍ଥିତିରେ ପର୍ଯ୍ୟାପ୍ତ ସଂଖ୍ୟାରେ ବେଡ୍ ଉପଲବ୍ଧ ଅଛି । ଯେଉଁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ, ସେମାନଙ୍କୁ ନିକଟସ୍ଥ ଜିଲ୍ଲାକୁ ରେଫର୍ କରାଯିବ । ପଶ୍ଚିମ ଓଡ଼ିଶାରେ ଅଧିକ ସଂକ୍ରମଣ ହେଉଥିବାରୁ ସଚେତନତା ସହ ଡୋର୍ ଟୁ ଡୋର୍ ସର୍ଭେଲାନ୍ସ ଉପରେ ଗୁରୁତ୍ବ ଦିଆଯାଉଛି,’’ କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଓଡ଼ିଶାରେ କେବଳ ଏପ୍ରିଲ ମାସରେ ମୋଟ ୩୧,୬୮୭ ଜଣ ଲୋକ କରୋନା ସଂକ୍ରମିତ ହେଲେଣି । ଲୋକେ ସଚେତନ ନ ହେଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବା ଆଶଙ୍କା ରହିଛି ବୋଲି ଚେତାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ।






