ଲକଡାଉନ ବେଳେ ବିବାହ ହେଲା: ବରକନ୍ୟାଙ୍କ ମୁହଁରେ ଥିଲା ମାସ୍କ; ବାଜା, ବାଣ ନ ଥିଲା

ବୈଦିକ ରୀତିରେ ସମ୍ପନ୍ନ ହୋଇଥିବା ଏହି ବିବାହରେ ବରକନ୍ୟାଙ୍କୁ ଛାଡ଼ି ଉଭୟ ପକ୍ଷରୁ ଥିଲେ ଜଣେ ଜଣେ ସମ୍ପର୍କୀୟ । ମନ୍ତ୍ରପାଠ କରିବାକୁ ଜଣେ ବ୍ରାହ୍ମଣ ଓ ବିଧି ବିଧାନ ପାଇଁ ଜଣେ ଭଣ୍ଡାରୀ ଥିଲେ । ଗୋଟିଏ ମାତ୍ର କାର୍ ଥିଲା, ଆଉ ତାହା ଫୁଲରେ ସଜା ହୋଇ ନ ଥିଲା ।

ଲକଡାଉନ ବେଳେ ବିବାହ ହେଲା: ବରକନ୍ୟାଙ୍କ ମୁହଁରେ ଥିଲା ମାସ୍କ; ବାଜା, ବାଣ ନ ଥିଲା
ବିବାହ ବେଦିରେ ମାସ୍କ ପିନ୍ଧିଛନ୍ତି ବର ବିନୋଦ କୁମାର ବିଶ୍ବାଳ ଓ କନ୍ୟା ସୋମାରାଣୀ ସାହୁ ।
  • News18 Odia
  • Last Updated: April 16, 2020, 6:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭିକାରୀ ମହାନ୍ତି | News18 Odia Digital

ଅନଗୁଳ: ଲକଡାଉନ ଏପ୍ରିଲ୍‌ ୧୪ରେ ସର୍ବାକୁ ଥିବାରୁ ବାହାଘର ତାରିଖ ୧୫ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ ଲକଡାଉନ୍‌ ଅବଧି ବଢ଼ିଯିବାରୁ ବାହାଘର ପୂର୍ବନିର୍ଦ୍ଧାରିତ ତାରିଖରେ ସମ୍ପନ୍ନ ହୋଇଥିଲା । ନା ଥିଲା ବାଜା ବାଜଣା ନା ବାଣ ରୋଶଣୀ ବା ବର ଯାତ୍ରୀ । ଅତି ନିରାଡମ୍ବର ଭାବେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଅନଗୁଳର ଏହି ଦମ୍ପତି ।

ଏହି ବିବାହରେ ଥିଲେ କେବଳ ବରକନ୍ୟା ଓ ଉଭୟ ପକ୍ଷରୁ ଜଣେ ଜଣେ ସମ୍ପର୍କୀୟ । ମନ୍ତ୍ରପାଠ କରିବାକୁ ଜଣେ ବ୍ରାହ୍ମଣ ଓ ବିଧି ବିଧାନ ପାଇଁ ଜଣେ ଭଣ୍ଡାରୀ ଥିଲେ । ଗୋଟିଏ ମାତ୍ର କାର୍‌ ଥିଲା, ଆଉ ତାହା ଫୁଲରେ ସଜା ହୋଇ ନ ଥିଲା । ଲକଡାଉନ ବେଳେ ଜାରି ଥିବା କଟକଣାକୁ ଆଦୌ ଭୁଲି ଯାଇ ନ ଥିଲେ ଦମ୍ପତିଙ୍କ ପରିବାର ।

କରୋନା ଭାଇରସର ପ୍ରକୋପ ଯୋଗୁଁ ବିବାହ ବେଦିରେ ମାସ୍କ ପିନ୍ଧିଥିଲେ ବର ବିନୋଦ କୁମାର ବିଶ୍ବାଳ ଓ କନ୍ୟା ସୋମାରାଣୀ ସାହୁ । ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଡ଼ଅଁରା ଗାଁର ଦୁଃଶାସନ ବିଶ୍ବାଳଙ୍କ ପୁଅ ବିନୋଦ ଓ ବଅଁରପାଳ ବ୍ଲକ ମଝିକା ଗାଁର ମନୋଜ କୁମାର ସାହୁଙ୍କ ଝିଅ ସୋମାରାଣୀଙ୍କ ମଧ୍ୟର ଉଭୟ ପରିବାରର ସହମତିରେ ବିବାହ ସ୍ଥିର ହୋଇ ଥିଲା । ଏପ୍ରିଲ ୧୪ ତାରିଖରେ ଲକଡାଉନ ଅବଧି ଶେଷ ହେଉଥିବା ଜାଣି ଉଭୟ ପରିବାର ପକ୍ଷରୁ ଏପ୍ରିଲ ୧୫ ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା ।

ବିବାହ ପରେ ଘରକୁ ଆସିବା ପରେ ପରିବାର ଲୋକଙ୍କ ସହ ବରକନ୍ୟା ।


‘‘ଆଗକୁ ଆଉ କୌଣସି ଭଲ ଦିନ ନ ଥିଲା । ଯେଉଁ ଦିନ ଥିଲା ତାହା ବର ଓ କନ୍ୟା ଉଭୟଙ୍କୁ ଶୁଝୁ ନ ଥିଲା । ଏପ୍ରିଲ୍‌ ୧୫ ଦିନ ହିଁ ଖୁବ ଯାକଜମକରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା । ନିମନ୍ତ୍ରଣ ପତ୍ର ବି ବଣ୍ଟା ଯାଇଥିଲା । ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ବିବାହ ପାଇଁ ଯାହା ଆବଶ୍ୟକ ଜିନିଷପତ୍ର କିଣା କିଣି ହୋଇ ଥିଲା । ଗାଁରେ ବଡ଼ ଭୋଜିର ଆୟୋଜନ ପ୍ରସ୍ତୁତି ସରିଥିଲା । ତେଣୁ ପୂର୍ବନିର୍ଦ୍ଧାରିତ ଦିନରେ ହିଁ ବିବାହୋତ୍ସବର ଆୟୋଜନ କରାଯାଇଥିଲା,’’ କହିଛନ୍ତି ବରପିତା ଦୁଃଶାସନ ବିଶ୍ବାଳ ।

ହଠାତ  ଲକଡାଉନ ଅବଧି ବଢ଼ିବା ପରେ ଉଭୟ ପରିବାରର ଚିନ୍ତା ବଢ଼ିଯାଇଥିଲା । କଣ କରିବେ କିଛି ଭାବି ପାରି ନ ଥିଲେ । ପୁରୋହିତଙ୍କ ମତରେ ଆଗାମୀ ବର୍ଷକ ପର୍ଯ୍ୟନ୍ତ ସେମାନଙ୍କ ବିବାହ ହୋଇ ପାରିବ ନାହିଁ । ସେମାନେ ବାଧ୍ୟ ହୋଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ।

ଦୁଃଶାସନ ନିଜର ଅସୁବିଧା ଦର୍ଶାଇ ତାଳଚେର ଉପ ଜିଲାପଳାଙ୍କ ନିକଟରେ ଏକ ଲିଖିତ ନିବେଦନ କରିଥିଲେ । ତାଙ୍କ ନିବେଦନ ଉପରେ ବିଚାର କରି ୧୧ ତାରିଖରେ ଉପଜିଲ୍ଲାପାଳ କିଛି କଟକଣା ଲାଗୁକରି ବିବାହ ପାଇଁ ଲିଖିତ ଅନୁମତି ଦେଇଥିଲେ । କିନ୍ତୁ ତାଙ୍କ ଅନୁମତି ପତ୍ରରେ ବରକନ୍ୟାଙ୍କ ସହ ଉଭୟ ପରିବାରର ଜଣେ ଲେଖାଏଁ ସଦସ୍ୟ ମିଶି ମୋଟ ଚାରି ଜଣ ରହିବା ସହିତ ଜଣେ ପୁରୋହିତ ଓ ଜଣେ ଭଣ୍ଡାରୀ ରହିବେ ବୋଲି ଲେଖା ଥିଲା ।

ଉପଜିଲ୍ଲାପାଳଙ୍କ ଅନୁମତି ପତ୍ରରେ ଗୋଟିଏ ମାତ୍ର ଗାଡ଼ିର ବ୍ୟବହାର ଓ ସାମାଜିକ ଦୂରତାର ଅନୁପାଳନ ବାଧ୍ୟତାମୂଳକ କରାଯାଇଥିଲା, ଆଉ କୌଣସି ଶୋଭାଯାତ୍ରା ଓ ଭୋଜିଭାତର ଆସର ହୋଇ ପାରିବ ନାହିଁ ବୋଲି କଟକଣା ଜାରି ହୋଇଥିଲା । ଉଭୟ ପରିବାର ଏହି କଟକଣାକୁ ମାନି ବିବାହ କାର୍ଯ୍ୟ ଶେଷ କରିଥିଲେ ।

ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସବୁ କିଛି କରା ଯାଇଥିଲା । ସାମାଜିକ ଦୂରତା ରଖାଯିବା ସହ ଉଭୟ ବରକନ୍ୟା ମାସ୍କ ପିନ୍ଧିଥିଲେ । ଅତି ନିରାଡ଼ମ୍ବର ଭାବେ ବିବାହ ସମ୍ପନ୍ନ ହୋଇଥିଲା । ତେବେ ପୂର୍ବରୁ ଅତି ଆଡମ୍ବରରେ ବିବାହ ଆୟୋଜନ କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଏ ଭଳି ବିବାହକୁ ନେଇ ବରକନ୍ୟା ଓ ସେମାନଙ୍କ ପରିବାର ଲୋକେ ବେଶ୍‌ ଖୁସି । ସେମାନଙ୍କ କହିବା କଥା ଯେ ଯେମିତି ବର୍ତ୍ତମାନ କରୋନା ସଂକ୍ରମଣ ରୋକିବାକୁ ସରକାର କଠୋର ନିୟମ ଲାଗୁ କରିଛନ୍ତି ତାହା ପ୍ରକୃତ ପକ୍ଷେ ସ୍ୱାଗତ ଯୋଗ୍ୟ।

‘‘କରୋନା ସଂକ୍ରମଣ ରୋକିବାକୁ ସମାଜିକ ଦୂରତା ରକ୍ଷା କରିବା ଏକମାତ୍ର ଉପାୟ। ଆମ ପାଖରେ କୌଣସି ଉପାୟ ନ ଥିବାରୁ ବାଧ୍ୟ ହୋଇ ଏଭଳି ବିବାହ କାର୍ଯ୍ୟ ସଂମ୍ପନ୍ନ କରିଛୁ, ହେଲେ ଏମିତି ନିରାଡ଼ମ୍ବର ବିବାହ ବହୁତ ଭଲ,’’ କହିଛନ୍ତି କନ୍ୟାପିତା ମନୋଜ କୁମାର ସାହୁ । ଲକଡାଉନ ବେଳେ ଯେମିତି ଏହି ବିବାହ ସମ୍ପନ୍ନ କରାଗଲା ତାକୁ ନେଇ ଅନୁଗୁଳ ଜିଲ୍ଲାରେ ଚାରି ଆଡେ ଚର୍ଚ୍ଚା ହେଉଛି ।
First published: April 16, 2020, 6:25 PM IST
corona virus btn
corona virus btn
Loading