ଲକଡାଉନରେ ବି ଜାରି ଅଛି ବୁଣାକାରମାନଙ୍କ କାମ, ହେଲେ କଞ୍ଚା ମାଲ୍ ପାଇଁ ଚିନ୍ତା

ବରଗଡ଼ର ବୁଣାକାରମାନଙ୍କ କୌଳିକ ବୃତ୍ତି ପାଇଁ ଲକଡାଉନ ବାଧକ ସାଜି ନାହିଁ । ସେମାନେ ଆଗ ପରି କାମରେ ଲାଗିଛନ୍ତି । ସାମାଜିକ ଦୂରତା ବଜାୟ ରଖି ଓ ମାସ୍କ ପିନ୍ଧି ଗୋଟିଏ ପରେ ଗୋଟିଏ ଆକର୍ଷକ ଶାଢ଼ି ତିଆରି କରିଚାଲିଛନ୍ତି ।

ଲକଡାଉନରେ ବି ଜାରି ଅଛି ବୁଣାକାରମାନଙ୍କ କାମ, ହେଲେ କଞ୍ଚା ମାଲ୍ ପାଇଁ ଚିନ୍ତା
ବରପାଲିରେ ଜଣେ ବୁଣାକାର ଏକ ଶାଢ଼ି ବୁଣିବାରେ ଲାଗିଛନ୍ତି ।
  • News18 Odia
  • Last Updated: April 16, 2020, 8:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବରଗଡ଼: କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପୁଥିବାରୁ ଜାରି ହୋଇଥିବା ଲକଡାଉନ୍‌ ସତ୍ତ୍ୱେ ବରଗଡ଼ ବରପାଲିର ବୁଣାକାର ପରିବାରମାନେ ଘରେ ରହି କାମ କରିବା ସହ ଆଖପାଖର ଲୋକଙ୍କୁ ଦେଉଛନ୍ତି କରୋନା ସତର୍କତାର ବାର୍ତ୍ତା । କରୋନାର ଭୟ ସତ୍ତ୍ୱେ ସେମାନେ ଜାରି ରଖିଛନ୍ତି ନିଜ କୌଳିକ ବୃତ୍ତି ।

ମହାମାରୀର ଆତଙ୍କ ଭିତରେ ବଡ଼ ସତର୍କତାର ସହ ଲୁଗାବୁଣା କାମ ଜାରି ରଖିଛନ୍ତି ବରଗଡ଼ ଜିଲ୍ଲା ବରପାଲି ଏନ୍‌.ଏ.ସି.ର ମେହରପଡ଼ା ଅଞ୍ଚଳର ବୁଣାକାର ପରିବାରମାନେ । ସୂତାରେ ରଙ୍ଗ ଚଢୁଛି, ଖରାରେ ଶୁଖାଯାଉଛି, ମଙ୍ଗା ବା ତନ୍ତରେ ଲୁଗା ବୁଣାଯାଉଛି । ପୂର୍ବ ଭଳି ପୂରା ପରିବାର ଲାଗିଛନ୍ତି କାମରେ । ତେବେ ଆବଶ୍ୟକ ସତର୍କତା ବି ଅବଲମ୍ବନ କରିଛନ୍ତି ସେମାନେ । ସମସ୍ତଙ୍କ ମୁହଁରେ ମାସ୍କ ରହିଛି, ଆଉ କାମ କଲା ବେଳେ ସାମାଜିକ ଦୂରତା ବଜାୟ ରଖିଛନ୍ତି ସମସ୍ତେ ।

‘‘ଆମେ ବୁଣାକାରମାନଙ୍କ ବୃତ୍ତି ପାଇଁ ଲକଡାଉନ କୌଣସି ବାଧକ ନୁହେଁ । ଆମେ ଆଗ ପରି କାମରେ ଲାଗିଛୁ । ସାମାଜିକ ଦୂରତା ରଖି ଓ ମାସ୍କ ପିନ୍ଧି ସଂକ୍ରମଣରୁ ରକ୍ଷା ପାଇବାର ସବୁ ଉପାୟ କରୁଛୁ । ହେଲେ ଆମ କାମରେ ଆବଶ୍ୟକ ହେଉଥିବା କଞ୍ଚା ମାଲ୍‌ ଆମକୁ ଯେମିତି ମିଳି ପାରିବ ସେଥି ପାଇଁ ସରକାର ବ୍ୟବସ୍ଥା କରିବା ଉଚିତ,’’ କହିଛନ୍ତି ବୁଣାକାର ଚିତ୍ତ ମେହେର ।

ଏକ ବୁଣାକାର ଦମ୍ପତି କାର୍ଯ୍ୟରେ ଲାଗିଛନ୍ତି ।


ଆଉ ଜଣେ ବୁଣାକାର ସୁକାନ୍ତି ମେହେର କହିଛନ୍ତି ଯେ ଏବେ ଲାକଡାଉନ ସମୟରେ ଲୋକଙ୍କୁ ନିଜ ଘରୁ କାମ କରିବାକୁ କୁହାଯାଉଛି, ମାତ୍ର ବୁଣାକାରମାନେ ମୂଳରୁ ଘରୁ ହିଁ କାମ କରୁଛନ୍ତି ।

ଏହି ବୁଣାକାର ପରିବାରମାନଙ୍କ ହାତରେ ତିଆରି ହେଉଛି ସମ୍ବଲପୁରୀ, ବିଚିତ୍ରାପୁରୀ, ଉତ୍କଳ ଲକ୍ଷ୍ମୀ, ତପସ୍ବୀନି, ତଅପୋଇ ଓ ସୁଦର୍ଶନୀ ଭଳି ଶାଢ଼ୀ । ଶାଢ଼ୀ ପାଇଁ ଗ୍ରାଫରେ ଡିଜାଇନ ପ୍ରସ୍ତୁତ କରିବା ହେଉ କି ସୂତାରେ ସୁଦୃଶ୍ୟ ୱାଲ୍‌ପେଣ୍ଟ, ସବୁରେ ଦେଖିବାକୁ ମିଳେ ବରଗଡ଼ର ଏହି ବୁଣାକାରଙ୍କ ହାତର ଯାଦୁ ।

‘‘କରୋନା ଭାଇରସ୍‌ ଶାଢ଼ୀ ବଜାରକୁ ପ୍ରଭାବିତ କରିଛି ସତ, ହେଲେ ଆମ ବୁଣାକାରମାନଙ୍କ କଳା ଉପରେ କୌଣସି ପ୍ରଭାବ ପକାଇ ନାହିଁ । ଆମେ ପୂର୍ବ ପରି ଆମ କାର୍ଯ୍ୟରେ ମନୋନିବେଶ କରୁଛୁ,’’ କହିଛନ୍ତି ବୁଣାକାର ମକରଧ୍ବଜ ମେହେର ।

ଲକ୍‌ଡାଉନ୍ ଅଧିକ ଦିନ ଜାରି ରହିଲେ ପ୍ରଶାସନ ପକ୍ଷରୁ କଞ୍ଚା ମାଲ୍‌ ଓ ଲୁଗା ତିଆରି ସାମଗ୍ରୀ ଉପଲବ୍ଧ କରାଇବା ସହ ଶାଢ଼ୀ ବିକ୍ରିର ବ୍ୟବସ୍ଥା କରାଗଲେ ବୁଣାକାରମାନଙ୍କ ଜୀବନ ଓ ଜୀବିକା ପ୍ରଭାବିତ ହୁଅନ୍ତା ନାହିଁ ।
First published: April 16, 2020, 8:36 PM IST
corona virus btn
corona virus btn
Loading