କରୋନା ପ୍ରଭାବ: ଶ୍ରୀମନ୍ଦିରରେ ‘ନୋ ମାସ୍କ୍ ନୋ ଦର୍ଶନ’ ନିୟମ ଲାଗୁ; ପର୍ଯ୍ୟଟକଙ୍କୁ ପୁରୀ ମନା

ପୁରୀ ସହର ଭିତରକୁ ସବୁ ପ୍ରକାର ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବେଳାଭୂମିକୁ ‘ନୋ ଟୁରିଷ୍ଟ୍ ଜୋନ୍’ ଘୋଷଣା କରାଯାଇଛି । ୩୦ଟି ବାର୍ ଓ ଡାଇନିଂ ସୁବିଧା ଥିବା ହୋଟେଲକୁ ମଧ୍ୟ ବନ୍ଦ କରାଯାଇଛି ।

କରୋନା ପ୍ରଭାବ: ଶ୍ରୀମନ୍ଦିରରେ ‘ନୋ ମାସ୍କ୍ ନୋ ଦର୍ଶନ’ ନିୟମ ଲାଗୁ; ପର୍ଯ୍ୟଟକଙ୍କୁ ପୁରୀ ମନା
ମଙ୍ଗଳବାର ଦିନ ଶ୍ରୀମନ୍ଦିରର ଏକ ଦୃଶ୍ୟ
  • News18 Odia
  • Last Updated: March 17, 2020, 10:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଭାଇରସର ପ୍ରଭାବକୁ ପ୍ରତିହତ କରିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ‘ନୋ ମାସ୍କ୍‌ ନୋ ଦର୍ଶନ’ କଟକଣା ଜାରୀ କରାଯିବା ସହିତ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ‘ଜିରୋ ଟୁରିଷ୍ଟ’ କଟକଣା ଜାରି କରାଯାଇଛି । ହୋଟେଲରୁ ପର୍ଯ୍ୟଟକଙ୍କୁ ଖାଲି କରିବା ସହ ଆଗକୁ ଥିବା ବୁକିଂକୁ ବାତିଲ କରିବା ପାଇଁ ଜାରୀ ହୋଇଛି ନିର୍ଦ୍ଦେଶ ।

ସହର ଭିତରକୁ ସବୁ ପ୍ରକାର ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବେଳାଭୂମିକୁ ‘ନୋ ଟୁରିଷ୍ଟ୍‌ ଜୋନ୍‌’ ଘୋଷଣା କରାଯାଇଛି । ବେଳାଭୂମିକୁ ଯିବାକୁ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ସମୁଦ୍ର କୂଳ ଅଞ୍ଚଳରେ ଥିବା ଟୁର୍‌ ଓ ଟ୍ରାଭେଲ୍ସ ଏଜେନ୍ସି ଅପିସ୍‌ ଓ ଦୋକାନବଜାର ଆଦିକୁ ବନ୍ଦ କରାଯାଇଛି ।  ୩୦ଟି ବାର୍‌ ଓ ଡାଇନିଂ ସୁବିଧା ଥିବା ହୋଟେଲକୁ ମଧ୍ୟ ବନ୍ଦ କରାଯାଇଛି ।

ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଛି  । ଏହି ବୈଠକରେ ହାଟ ବଜାରରେ କିଭଳି ପନିପରିବା ଓ ଗ୍ରୋସରୀ ସାମଗ୍ରୀ ଉପଲବ୍ଧ ହେବ ତାହା ଉପରେ ମତାମତ ନିଆଯାଇଛି  । ଟାଉନ୍‌ ବସ୍‌ ଏବଂ ଅଟୋକୁ ବନ୍ଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

‘‘ଫନି ପରେ କରୋନା ମାଡରେ ପୁରୀର ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । ପୁରୀରେ ବର୍ତ୍ତମାନ ଥିବା ୪୪ ଜଣ ବିଦେଶୀ ପର୍ଯ୍ୟଟକଙ୍କୁ ସେମାନଙ୍କ ନିଜ ସ୍ଥାନକୁ ପଠାଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଦେଶୀ ପର୍ଯ୍ୟଟକମାନଙ୍କ ଏମ୍ବାସୀକୁ ଏ ନେଇ ଅବଗତ କରାଯାଇଛି । ଯେଉଁ ଅଞ୍ଚଳରେ ବିଦେଶୀ ଟୁରିଷ୍ଟ ଅଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆବଶ୍ୟକ ହେଲେ ସେମାନଙ୍କୁ ହୋମ୍‌ ଆଇସୋଲେସନରେ ରଖାଯିବ,’’ କହିଛନ୍ତି ଜିଲ୍ଲାପାଳଙ୍କ ବୈଠକରେ ଭାଗ ନେଇଥିବା ପୁରୀ ହୋଟେଲ ଆସୋସିଏସନର ସଭାପତି ରାମକୃଷ୍ଣ ଦାସ ମହାପାତ୍ର । ହୋଟେଲ ମାଲିକମାନେ ଏହି ସମୟରେ ପର୍ଯ୍ୟଟକଙ୍କୁ ରଖିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଅଚ଼ାନକ ଖାଲିଖାଲି: ମଙ୍ଗଳବାର ଦିନ ପୁରୀ ବେଳାଭୂମିର ଏକ ଦୃଶ୍ୟ


ପର୍ଯ୍ୟଟନ ଉପ-ନିର୍ଦ୍ଦେଶକ ବିଜୟ ଜେନା କହିଛନ୍ତି ବେଳାଭୂମିରେ ଓ ଆଖପାଖ ଅଞ୍ଚଳରେ କଟକଣା ଲଗାଯାଇ ବେଳାଭୂମିକୁ ‘ନୋ ଟୁରିଷ୍ଟ ଜୋନ୍‌’ କରାଯାଇଛି । ‘‘ଲାଇଫ୍‌ ଗାର୍ଡ଼୍‌ ଓ ପୁଲିସ ପକ୍ଷରୁ ପାଟ୍ରୋଲିଂ କରି ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଘଉଡାଯାଉଛି । ସାତପଡା ଡଙ୍ଗା ଚାଳକ ସଙ୍ଘ ସହ ଆଲୋଚନା କରାଯାଇ ସେଠାରେ ସଚେତନତା ପ୍ରସାର କରିବା ସହ ଡଲଫିନ ଟୁର୍‌ ବନ୍ଦ ରଖାଯାଇଛି । ପୁରୀ ବେଳାଭୂମି ଅଞ୍ଚଳରେ ଥିବା ହୋଟେଲ ଓ ଲଜିଂଗୁଡିକୁ ବନ୍ଦ କରାଯାଉଛି,’’ ସେ କହିଛନ୍ତି ।

ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜକୁ ବନ୍ଦ କରାଯିବାକୁ କଡ଼ାକଡ଼ି କରାଯାଇଥିବା ବେଳେ ଯେଉଁମାନେ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ। ‘‘ଜିଲ୍ଲାର ନେତୃବୃନ୍ଦ କରୋନା ଭାଉରସକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି । ଅଙ୍ଗନବାଡି ହେଉଛି ଆମର ପ୍ରମୁଖ ଅସ୍ତ୍ର । ସେଥି ପାଇଁ ତୃଣମୁଳ ସ୍ତରରେ ସଚେତନତା ଓ ସତର୍କତା ପାଇଁ ଅଙ୍ଗନବାଡି ଓ ଆଶାକର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ଗାଁ ଗାଁରେ ସଚେତନତା ସହ କିଏ କେଉଠୁ ଆସିଲେ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି,’’ କହିଛନ୍ତି ସିଂ ।

‘‘ଅନେକ ଜାଗାରେ ବର୍ତ୍ତମାନ ମେଳଣ ପର୍ବମାନ ହେଉଥିବାରୁ ତାହା ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ସମ୍ପୃକ୍ତ ଅଞ୍ଚଳର ଜନ ପ୍ରତିନିଧିଙ୍କ ଉପରେ ଏହି ଦାୟିତ୍ୱ ଦିଆଯାଇଛି । ସେଲ୍ଫ ହେଲ୍ପ ଗୃପମାନଙ୍କୁ ଆବଶ୍ୟକ କପଡ଼ା ଯୋଗାଇଲେ ସେମାନେ ମାସ୍କ ପ୍ରସ୍ତୁତ କରି ଦିଅନ୍ତେ,’’ କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ।

ଗାଁ ଗଣ୍ଡାରେ ସାପ୍ତାହିକ ହାଟ ବନ୍ଦ କରାଯିବା ନିଷ୍ପତ୍ତି ଯୋଗୁଁ କିଛି ଅସୁବିଧା ଉପୁଜିଛି । ଗ୍ରାମାଞ୍ଚଳରେ ହାଟଗୁଡ଼ିକ ବନ୍ଦ ହେଲେ ଲୋକଙ୍କ ପନିପରିବା ପାଇବା ଓ ବିକିବା ଉପରେ ପ୍ରଭାବ ପଡ଼ିବ । ତେଣୁ ତାହା କିଭଳି ନିୟନ୍ତ୍ରିତ କରାଯିବ ତାହା ଉପରେ ବିଚ଼ାର କରି ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀ । ‘‘ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ସୁଲଭ ଭାବରେ ଯୋଗାଇବା ଓ କଳାବଜାରୀ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କ୍ୱାର୍ଡ଼ ଗଠନ କରାଯାଇ ପଦକ୍ଷେପ ନିଆଯିବା ଉଚ଼ିତ,’’ ସେ କହିଛନ୍ତି ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସାନିଟାଇଜର ରଖାଯାଇଛି । ଚ଼ାରି ଦ୍ୱାରରେ ଭକ୍ତମାନେ ପ୍ରବେଶ କଲା ବେଳେ ତାହା ବ୍ୟବହାର କରୁଛନ୍ତି  । ଧାଡି ଦର୍ଶନରେ କରାଯାଇଥିବା ବ୍ୟାରିକେଡରେ ଦେଢ ଫୁଟ ଲେଖାଏଁ ବ୍ୟବଧାନ ରଖାଯାଇ ଦର୍ଶନ ବ୍ୟବସ୍ଥା ହୋଇଛି ।  ସିଂହଦ୍ୱାରରେ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ସେଠି ଦୁଇ ଦିନ ଭିତରେ ଡିକ୍ଲାରେସନ ଫର୍ମର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ରହିବ । ଶ୍ରୀମନ୍ଦିର ଭିତରେ ଓ ବାହାରେ କାର୍ଯ୍ୟ କରୁଥିବା ସମସ୍ତ ପୁଲିସ ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଯାଇଛି । ସେବାୟତମାନେ ମଧ୍ୟ ମାସ୍କ ପିନ୍ଧିଥିବା ବେଳେ କିଛି ଯାତ୍ରୀଙ୍କୁ ନେବା ବେଳେ ମକୁଟା ମୁହଁରେ ଦେଇଥିବା ଦେଖିବାକୁ ମିଳିଛି  । ପୁଣି କିଛି ସେବାୟତ ନୀତି ଥିବାରୁ ତାହା ସରିବା ପରେ ସେମାନେ ମାସ୍କ ପରିଧାନ କରୁଛନ୍ତି ।

ଆନନ୍ଦବଜାରରେ ମଧ୍ୟ ଅନେକ କଟକଣା କରାଯାଇଛି । ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ବ୍ୟାରିକେଡ ଦେଇ ବନ୍ଦ କରାଯାଇ:ି । ଭିତରେ ଯେଭଳି କେହି କେଉଁଠି ସ୍ପର୍ଶ କରିବେ ନାହିଁ ସେ ନେଇ ଜେ.ଟି.ପି. କର୍ମୀମାନଙ୍କୁ ମୁତୟନ କରିଛି ଶ୍ରୀମନ୍ଦିର ପ୍ରଶାସନ,’’ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସରୋଜ ଦାଶ । ପ୍ରଶାସନର କରୋନା ଭାଇରସକୁ ନେଇ କରାଯାଇଥିବା ସଚେତନତା ଓ କଟକଣା ‘‘ବେଶ ସ୍ୱାତଯୋଗ୍ୟ’’ ବୋଲି କହିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ଦୁର୍ଗାଦାଶ ମହାପାତ୍ର ।
First published: March 17, 2020, 10:23 PM IST
corona virus btn
corona virus btn
Loading