ନଅ ମାସର ଗର୍ଭ ସତ୍ତ୍ୱେ ସେ କରୋନା ପାଇଁ ସ୍ୱଦେଶୀ ପରୀକ୍ଷଣ କିଟ୍ ବନେଇବାରେ ଲାଗିଥିଲେ, ସଫଳ ହେଲେ

ନିଜ ଶିଶୁକୁ ପ୍ରସବ କରିବାର ଗୋଟିଏ ଦିନ ପୂର୍ବରୁ ୩୧ ବର୍ଷ ବୟସ୍କା ମୀନଲ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ୱାରା ମୂଲ୍ୟାଙ୍କନ ପାଇଁ ଏହି କରୋନା କିଟକୁ ସଫଳତାର ସହ ଉପସ୍ଥାପନ କରିଥିଲେ ।

ନଅ ମାସର ଗର୍ଭ ସତ୍ତ୍ୱେ ସେ କରୋନା ପାଇଁ ସ୍ୱଦେଶୀ ପରୀକ୍ଷଣ କିଟ୍ ବନେଇବାରେ ଲାଗିଥିଲେ, ସଫଳ ହେଲେ
ମୀନଲ୍ ଦଖାଭେ ଭୋସଲେ
  • News18 Odia
  • Last Updated: March 31, 2020, 12:11 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ ନିୟନ୍ତ୍ରଣର ଉଦ୍ୟମରେ କମ୍ ପରୀକ୍ଷଣ ହାର ପାଇଁ ଭାରତ ସମାଲୋଚନାର ସମ୍ମୁଖୀନ ହେଉଥିବା ସମୟରେ ଏକ ନୂଆ ଉଦ୍ଭାବନ ଦେଶର ପରୀକ୍ଷଣ କ୍ଷମତାକୁ ବଢ଼େଇବାରେ ସାହାଯ୍ୟ କରିଛି । ମାଇଁଲ୍ୟାବ୍ ଡିସକଭରି ସଲ୍ୟୁସନ୍ ନାମକ ପୁଣେରେ ଥିବା ଏକ ଡାଇଗ୍ନୋଷ୍ଟିକ୍ କମ୍ପାନୀ ଦ୍ୱାରା ନିର୍ମିତ ସ୍ୱଦେଶୀ ପରୀକ୍ଷଣ କିଟ୍ ବଜାରରେ ଉପଲବ୍ଧ ହୋଇଛି ।

କରୋନା ଭାଇରସ୍ ପାଇଁ ଏହି ପାଥୋ ଡିଟେକ୍ଟ ଟେଷ୍ଟିଂ କିଟ୍ ତିଆରି କରିଥିବା ଦଳର ନେତୃତ୍ୱ ନେଇଥିବା ଭାଇରୋଲୋଜିଷ୍ଟ (ଭୂତାଣୁ ବିଶେଷଜ୍ଞ) ମୀନଲ୍ ଦଖାଭେ ଭୋସଲେ ଯେତେ ଜଲଦି ଏହା ବନେଇ ପାରିବେ ସେଥି ପାଇଁ ଚେଷ୍ଟା ଜାରି ରଖିଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ହିଁ ତିଆରି ହେବାରେ ତିନିରୁ ଚାରି ମାସ ଲାଗିବାକୁ ଥିବା ଏହି ସ୍ୱଦେଶୀ ପରୀକ୍ଷଣ କିଟ୍ ମାତ୍ର ଦେଢ଼ ମାସ ଭିତରେ ପ୍ରସ୍ତୁତ ହୋଇଯାଇଥିଲା ବୋଲି ବି.ବି.ସି. ଏକ ରିପୋର୍ଟରେ କହିଛି ।

ବାସ୍ତବରେ ଏହି କିଟ୍‌ ବନେଇବାର ଶେଷ ସମୟରେ ୩୧ ବର୍ଷ ବୟସ୍କା ମୀନଲ୍‌ ପୂରା ନଅ ମାସର ଗର୍ଭବତୀ ଥିଲେ । ସେ ନିଜ ଶିଶୁକୁ ପ୍ରସବ କରିବାର ଗୋଟିଏ ଦିନ ପୂର୍ବରୁ ମାର୍ଚ୍ଚ ୧୮ ତାରିଖରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଦ୍ୱାରା ମୂଲ୍ୟାଙ୍କନ ପାଇଁ ଏହି କିଟକୁ ସଫଳତାର ସହ ଉପସ୍ଥାପନ କରିଥିଲେ । ସେହି ଦିନ ତାଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନିଆଯିବାର ମାତ୍ର ଘଣ୍ଟାଏ ପୂର୍ବରୁ ସେ ଏହି କିଟକୁ ଭାରତୀୟ ଏଫ୍‌.ଡି.ଏ. ଓ ଡ୍ରଗ୍ସ କଣ୍ଟ୍ରୋଲ୍ ଅଥରିଟି ସି.ଡି.ଏସ୍‌.କୋ ପାଖକୁ ବ୍ୟାବସାୟିକ ଅନୁମୋଦନ ପାଇଁ ପଠେଇଥିଲେ ।

ମୀନଲ୍ ଦଖାଭେ ଭୋସଲେ


‘‘ଏହା ଏକ ଜରୁରୀକାଳୀନ ପରିସ୍ଥିତି ଥିଲା । ତେଣୁ ମୁଁ ଏହାକୁ ଏକ ଚ୍ୟାଲେଞ୍ଜ ରୂପେ ଗ୍ରହଣ କରିଥିଲି । ମୋତେ ମୋ’ ଦେଶର ସେବା କରିବାକୁ ଥିଲା,’’ ମାଇଁଲ୍ୟାବ୍‌ କମ୍ପାନୀର ଗବେଷଣା ଓ ବିକାସ ବିଭାଗର ମୁଖ୍ୟ ମୀନଲ୍‌ ବି.ବି.ସି.କୁ କହିଛନ୍ତି ।

ମାଇଁଲ୍ୟାବ୍‌ ଦ୍ୱାରା ନିର୍ମିତ ଗୋଟିଏ ପରୀକ୍ଷଣ କିଟ୍ ମାତ୍ର ୧,୨୦୦ ଟଙ୍କାରେ ୧୦୦ଟି ନମୁନା ପରୀକ୍ଷା କରି ପାରିବ । ଭାରତ ସରକାରଙ୍କୁ ବର୍ତ୍ତମାନ ବିଦେଶରୁ ଆମଦାନୀ କରୁଥିବା ପ୍ରତି କୋଭିଡ-୧୯ ପରୀକ୍ଷଣ କିଟ୍‌ ପାଇଁ ୪,୫୦୦ ଟଙ୍କା ଦେବାକୁ ପଡ଼ୁଛି ।

ପତି ପ୍ରବୀଣ ଭୋସଲେଙ୍କ ସହ ମୀନଲ୍


ସ୍ୱଦେଶୀ କିଟ୍‌ ବନେଇଥିବା କମ୍ପାନୀ ମାଇଁ ଲ୍ୟାବ୍‌ କହିଛି ଯେ ଏହା ସପ୍ତାହକୁ ଏକ ଲକ୍ଷ କୋଭିଡ-୧୯ ପରୀକ୍ଷଣ କିଟ୍ ବନେଇ ସପ୍ଲାଇ କରିବାରେ ସକ୍ଷମ । ଆବଶ୍ୟକ ହେଲେ ଦୁଇ ଲକ୍ଷ ପର୍ଯ୍ୟନ୍ତ ଉତ୍ପାଦନ କରିପାରିବ ବୋଲି ଏହି ଡାଇଗ୍ନୋଷ୍ଟିକ୍ ଫାର୍ମ କହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ପରୀକ୍ଷଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଆସୁଛି । ଏହି ମାରାତ୍ମକ ଭୂତାଣୁ ଏ ପର୍ଯ୍ୟନ୍ତ ଭାରତରେ ୨୯ ଜଣ ଲୋକଙ୍କ ଜୀବନ ନେଲାଣି ଓ ୧,୦୦୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଏହି ପୃଷ୍ଠଭୂମିରେ ଦେଶରେ ନିର୍ମିତ ଏହି ସସ୍ତା ଓ ସଫଳ କିଟ୍ ପରୀକ୍ଷଣ ବଢ଼େଇବାରେ ଏକ ପ୍ରମୁଖ ଭୂମିକା ନିଭେଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
First published: March 31, 2020, 12:11 AM IST
corona virus btn
corona virus btn
Loading