ଲକଡାଉନ ଅବଧି ବଢ଼ିବା ସହ ବଢୁଛି ପରିବା ଦର; ଆଳୁ ପିଆଜରେ ବି ମାରି ହେଉନି ହାତ

ଭୁବନେଶ୍ୱର ଆଖପାଖରେ ଯଥେଷ୍ଟ ତାଜା ପରିବା ମହଜୁଦ ଅଛି, ହେଲେ ଗାଡ଼ି ଆସି ନ ପାରିବାରୁ ଭଲ ପରିବା ମିଳୁ ନାହିଁ ଓ ଦାମ୍ ବି ବଢ଼ୁଛି ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀମାନେ ।

ଲକଡାଉନ ଅବଧି ବଢ଼ିବା ସହ ବଢୁଛି ପରିବା ଦର; ଆଳୁ ପିଆଜରେ ବି ମାରି ହେଉନି ହାତ
ହାଉସିଂ ବୋର୍ଡ଼ ଛକରେ ଗୋଟିଏ ପରିବା ଦୋକାନରୁ ଲୋକେ କିଣୁଛନ୍ତି ।
  • News18 Odia
  • Last Updated: April 12, 2020, 8:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନରେ ଯାବତୀୟ ଅସୁବିଧା ଭିତରେ ପରିବାର ବଢ଼ିଚାଲିଥିବା ଦାମ୍‌ ଏବେ ଲୋକଙ୍କୁ ବେଶୀ ହନ୍ତସନ୍ତ କରୁଛି । ରାଜଧାନୀର ପ୍ରମୁଖ ହାଟ ସବୁ ବନ୍ଦ ହେବା ପରେ ବଜାରରେ ଚଢ଼ା ଦରରେ ମିଳୁଛି ପନିପରିବା । ପୁଣି ପରିବା ହାଟରେ ମିଳୁ ନାହିଁ ମନଲାଖି ପରିବା ।

ଆଳୁ, ପିଆଜ, ବାଇଗଣ ଓ ଭେଣ୍ଡିକୁ ଛାଡ଼ି ଦେଲେ ଆଉ ଯେଉଁ ପରିବା ଅଛି ସେଥିରେ ହାତ ମାରି ହେଉନି । ଆଳୁ ଓ ପିଆଜର ଦର ବି ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକଙ୍କ ସୁବିଧା ପାଇଁ ଛକ ବଜାରରେ ଲାଗୁଥିବା ପରିବା ଦୋକାନରେ ଦର ଆକାଶ ଛୁଇଁବାକୁ ବସିଲାଣି ବୋଲି କହିଛନ୍ତି ରାଜଧାନୀବାସୀମାନେ । କିଛି ନ ପାଇ ବାଧ୍ୟ ହୋଇ ଘର ପାଖରୁ ପରିବା କିଣୁଛନ୍ତି ଖାଉଟି।

ଏବେ ଆଳୁ କିଲୋ ୩୦ ଟଙ୍କା, ପିଆଜ ୩୫ ଟଙ୍କା, ଟମାଟୋ ୩୫ ଟଙ୍କା, ବାଇଗଣ ୩୦ ଟଙ୍କା, ଭେଣ୍ଡି ୩୦ ଟଙ୍କା, ବିନ୍ସ, ଗାଜର ଓ କ୍ୟାପିସିକମ କିଲୋ ୬୦ ଟଙ୍କାରେ ବିକ୍ରି ହେଉଛି। ଲକଡାଉନ ଅବଧି ବଢିବା ସାଙ୍ଗକୁ ବଢି ଚାଲିଛି ପରିବା ଦର। ବ୍ୟବସାୟୀଙ୍କ କହିବା କଥା ଯେ ପରିବା ମହଜୁଦ ଅଛି, ହେଲେ ଗାଡ଼ି ଆସି ପାରୁନି । ସଠିକ ଜାଗାଁରେ ଗାଡ଼ି ପହଞ୍ଚିପାରୁ ନାହିଁ ବୋଲି ଏଭଳି ସ୍ଥିତିରେ ପରିବା ଆଣିବାକୁ ଯାଇ ହେଉନି । ଫଳରେ ପରିବା ଅଭାବ ରହୁଛି। ମୁଖ୍ୟ ହାଟ ବନ୍ଦ ହେବା ପରେ ପରିବା କିଣିବା କଷ୍ଟକର ହୋଇଛି । ଫଳରେ ଯାହା ଅଛି ତାହା ଅଧିକ ଦାମ ରେ ବିକ୍ରି ହେଉଛି।

‘‘ସବୁ କିଛି ପରିବା ଗାଡ଼ି ଆସି ପହଞ୍ଚିବା ଉପରେ ନିର୍ଭର କରେ । ଗାଡ଼ି ନ ଆସି ପାରିଲେ ଆଗକୁ ଦର ଆହୁରି ବଢ଼ିପାରେ,’’ କହିଛନ୍ତି ରବି ଟକିଜ ଛକରେ ବସୁଥିବା ପରିବା ବ୍ୟବସାୟୀ ସୁବାଷ ସାହୁ ।

ସାମାଜିକି ଦୂରତା ବଜାୟ ରଖିବା ପାଇଁ ଓ ଜନ ଗହଳିକୁ ଆଖିରେ ରଖି ରାଜଧାନୀର ପ୍ରମୁଖ ହାଟଗୁଡ଼ିକୁ ବନ୍ଦ କରାଯାଇଛି । ଲୋକଙ୍କ ସୁବିଧା ପାଇଁ ଏବେ ରାଜଧାନୀର ୬୮ଟି ସ୍ଥାନରେ ପରିବା ହାଟ ଲାଗୁଛି। ହେଲେ ସବୁଠି ଦର ଅଲଗା ଅଲଗା ରହିଛି । ମନ ଇଚ୍ଛା ଦାମରେ ପରିବା ବିକ୍ରି ହେଉଥିବା କହିଛନ୍ତି ଲୋକେ । ପୂର୍ବ ଅପେକ୍ଷା ଦାମ୍‌ ବି ବଢ଼ିବାରେ ଲାଗିଛି । ମନ ମୁତାବକ ପରିବା ମିଳୁ ନ ଥିଲେ ବି ଆଳୁ ପିଆଜ ଦର ବି ଆଗ ଅପେକ୍ଷା ଢେର ବଢ଼ିଛି।

‘‘ଗୋଟିଏ ପଟେ ପୋଲିସ ଗାଡ଼ି ନେଇ ଦୂର ଜାଗାକୁ ଯିବାକୁ ଛାଡୁନି । ଚାଲି ଚାଲି ଦୂର ସ୍ଥାନକୁ ନ ଯାଇ ପାରି ଘର ପାଖ ହାଟ ଉପରେ ଭରସା କରିବାକୁ ପଡୁଛି। ଏଣୁ ଯାହା ଯେମିତି ମିଳୁଛି କିଣିବାକୁ ପଡୁଛି,’’ କହିଛନ୍ତି ଜଣେ ରାଜଧାନୀବାସୀ ।

ଲକଡାଉନକୁ ଆହୁରି ୨୦ ଦିନ ବାକି ଥିବା ବେଳେ ବିଭିନ୍ନ ବସ ଷ୍ଟପରେ ଖୋଲିଛି ପରିବା ଦୋକାନ । ଲୋକେ ସାମାଜିକ ଦୂରତା ବଜାୟ ରଖିବା ସହ ସହଜରେ ପରିବା କିଭଳି ପାଇବେ ସେଥି ପାଇଁ ବିଏମସି ଏ ସୁବିଧା କରିଛି ।
First published: April 12, 2020, 8:14 PM IST
corona virus btn
corona virus btn
Loading