କରୋନା ପାଇଁ ପ୍ରତିଷେଧକ ଟୀକା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାହାରିପାରେ: ଡଃ ରେଡ୍ଡୀ

ବିଭିନ୍ନ ସଂକ୍ରମିତ ଦେଶରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଡ୍ଡୀ କହିଛନ୍ତି ଯେ କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ । ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ବି ପହଞ୍ଚାଉଛି ।

କରୋନା ପାଇଁ ପ୍ରତିଷେଧକ ଟୀକା ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାହାରିପାରେ: ଡଃ ରେଡ୍ଡୀ
ଡଃ କେ. ଶ୍ରୀନାଥ ରେଡ୍ଡୀଙ୍କ ସହିତ ଭିଡିଓ କନଫେରେନ୍ସିଂରେ ଆଲୋଚନା କରୁଛନ୍ତି ନବୀନ ପଟ୍ଟନାୟକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ଡଃ କେ. ଶ୍ରୀନାଥ ରେଡ୍ଡୀ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ଟୀକା ବାହାରିପାରେ ବୋଲି ଆଶା ପ୍ରକାଶ କରିଛନ୍ତି । ଏବେ ଭାରତ ସମେତ ବିଭିନ୍ନ ଦେଶରେ କରୋନା ଭାଇରସ୍‌ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଛି ବୋଲି ସେ କହିଛନ୍ତି ।

ଗୁରୁବାର “କୋଭିଡ୍‌ରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା”  ବିଷୟ ଉପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡେଣ୍ଟମାନଙ୍କ ସହିତ ଆଲୋଚନା କରି ସେ କହିଥିଲେ ଯେ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ୱ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର୍‌ ଦେଲେ କରୋନା ଭାଇରସ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ।

ଏହି ଆଲୋଚନାରେ ଡଃ ରେଡ୍ଡୀ ମୁଖ୍ୟତଃ କରୋନା ଭାଇରସର ଉତ୍ପତ୍ତି, ସଂକ୍ରମଣ, ସାରା ବିଶ୍ୱର ପରିସ୍ଥିତି ଓ ଭବିଷ୍ୟତ ରଣ କୌଶଳ ଉପରେ ଆଲୋକପାତ କରିଥିଲେ । ଯେହେତୁ କରୋନା ଭାଇରସ୍‌ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ ଉଦ୍ଭାବନ ହୋଇନାହିଁ, ତେଣୁ ସାମାଜିକ ଦୂରତ୍ୱ ଉପରେ ସେ ଗୁରୁତତ୍ୱାରୋପ କରିଛନ୍ତି । ଜନସାଧାରଣଙ୍କର ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ।

ଏହି ଆଲୋଚନାରେ ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ୍ ଥିଲେ ।


ବନ୍ୟ ଜନ୍ତୁ, ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି ଓ ପାଟି ଦ୍ୱାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ମଣିଷ ଶରୀରରୁ କାଶ ଓ ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ୱାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ । ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ ଯୁଦ୍ଧରେ ମାନବ ସମାଜ ବିଜୟୀ ହୋଇପାରିବ ବୋଲି ରେଡ୍ଡୀ ମତବ୍ୟକ୍ତ କରିଛନ୍ତି ।

ବିଭିନ୍ନ ସଂକ୍ରମିତ ଦେଶ ମାନଙ୍କରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଡ୍ଡୀ କହିଛନ୍ତି ଯେ କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ । ତା’ ସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଉଛି । କେତେକ କ୍ଷେତ୍ରରେ ଏହା ଥ୍ରୋମ୍ବୋସିସ୍‌ (Thrombosis) ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ବୟସ ନିର୍ବିଶେଷରେ କରୋନା ଭାଇରସ ସମସ୍ତଙ୍କୁ ସଂକ୍ରମିତ କରିଥାଏ । ଯେହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରହନ୍ତି, ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ଲୋକେ ଗୁରୁତର ଭାବରେ ପୀଡିତ ହେବା ଏବଂ ମୃତ୍ୟୁମୁଖରେ ପଡିବାର ଅଧିକ ଆଶଙ୍କା ରହିଛି ।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ, ବିଶେଷ କରି ଓଡିଶାର, ସଫଳତାର ସେ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ । ବ୍ରିଟେନ୍‌, ଆମେରିକା ଓ ସ୍ୱିଡେନ୍‌ ପରି ଆଗୁଆ ଦେଶମାନେ ଲକଡାଉନ୍‌ ନ କରିବା ଫଳରେ ସେ ଦେଶଗୁଡିକୁ ବହୁ ମୂଲ୍ୟ ଦେବାକୁ ପଡିଛି । କିନ୍ତୁ ଭିଏତନାମ୍‌ ପରି ଦେଶ ପୃଥକୀକରଣ (isolation), contract tracing ଏବଂ ବହୁ ସଂଖ୍ୟାରେ ପରୀକ୍ଷଣ ଦ୍ୱାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିଛି । ଉଚ୍ଚ ତାପମାତ୍ରା ସହିତ ଆର୍ଦ୍ରତା ପ୍ରଭାବରେ ଏହି ଭାଇରସ୍‌ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ୍‌ Climatic Temperature Neutral ବୋଲି ସେ ମତ ଦେଇଥିଲେ ।

ଭାରତୀୟମାନେ ବିସିଜି ଓ ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍‌ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୋଲିସ୍‌ କର୍ମଚାରୀ ମଧ୍ୟ ଅଧିକ ବିପଦସଂକୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର । ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ ବ୍ୟାରିକେଡ୍‌ ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡଃ ରେଡ୍ଡୀଙ୍କୁ ସ୍ୱାଗତ କରି ଆଲୋଚନା ଆରମ୍ଭ କରିଥିଲେ । ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶାପ୍ରକାଶ କରିଥିଲେ ।

ଡଃ ରେଡ୍ଡୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବରେ କାମ କରିଥିବା ବେଳେ ବର୍ତ୍ତମାନ Covid Solidarity Group Trial ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଞ୍ଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟରତ । Covid Care, ସଂକ୍ରମିତ ଅଞ୍ଚଳ, ସଂକ୍ରମଣ ଧାରା ଓ ଲକଡାଉନ୍‌ର ପ୍ରଭାବ ଉପରେ ସେ ଅନେକ ଉପାଦେୟ ଲେଖା ରଚନା କରିଛନ୍ତି ।
First published: May 7, 2020, 9:58 PM IST
corona virus btn
corona virus btn
Loading