ଉତ୍ତର ପ୍ରଦେଶରେ ଜଣେ ମନ୍ତ୍ରୀଙ୍କର କରୋନାରେ ମୃତ୍ୟୁ ହେଲା; ତାଙ୍କ ପରିବାରରେ ଅନେକ ଆକ୍ରାନ୍ତ

ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିବା କମଳା ରାଣୀ ବରୁଣଙ୍କ ପରିବାରର ଅନ୍ୟ ଅନେକ ଲୋକ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ମନ୍ତ୍ରୀଙ୍କ ଚିକିତ୍ସା ଲକ୍ଷ୍ନୌର PGIରେ ଚାଲିଥିଲା ।

ଉତ୍ତର ପ୍ରଦେଶରେ ଜଣେ ମନ୍ତ୍ରୀଙ୍କର କରୋନାରେ ମୃତ୍ୟୁ ହେଲା; ତାଙ୍କ ପରିବାରରେ ଅନେକ ଆକ୍ରାନ୍ତ
କମଳା ରାଣୀ ବରୁଣ
  • News18 Odia
  • Last Updated: August 2, 2020, 2:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରରେ (Yogi Government) କ୍ୟାବିନେଟ ମନ୍ତ୍ରୀ ଥିବା କମଳା ରାଣୀ ବରୁଣ (Cabinet Minister Kamla Rani Varun) କରୋନା ସଂକ୍ରମଣରେ (Corona Infection) ପ୍ରାଣ ହରାଇଛନ୍ତି । ଜୁଲାଇ ୧୮ରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା । ଆଜି ଏହି ମନ୍ତ୍ରୀଙ୍କର ଦେହାନ୍ତ ହୋଇଗଲା । ତାଙ୍କ ବୟସ ୬୨ ବର୍ଷ ଥିଲା ।

କମଳା ରାଣୀ ବରୁଣଙ୍କ ପରିବାରର ଅନ୍ୟ ଅନେକ ଲୋକ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମନ୍ତ୍ରୀଙ୍କ ଚିକିତ୍ସା ଲକ୍ଷ୍ନୌର PGIରେ ଚାଲିଥିଲା । ୧୦୧୭ ନିର୍ବାଚନରେ ବିଜେପି ତାଙ୍କୁ କାନପୁରର ଘାଟପୁର ଆସନରୁ ଠିଆ କରାଇଥିଲା । ସେ ଏହି ଆସନ ଜିତିବାରେ ଦଳର ପ୍ରଥମ ବିଧାୟକ ଥିଲେ। ଦଳ ପ୍ରତି ତାଙ୍କର ବିଶ୍ୱସ୍ତତା ଓ ଉତ୍ସର୍ଗୀକୃତ ଭାବକୁ ଦୃଷ୍ଟିରେ ରଖି ତାଙ୍କୁ ୨୦୧୯ରେ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା । ସେ ଯୋଗୀଙ୍କ ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ ।

ୱାର୍ଡ଼ କାଉନସିଲରରୁ ସାଂସଦ, ପୁଣି ମନ୍ତ୍ରୀ

ଲକ୍ଷ୍ନୌରେ ୩ ମଇ ୧୯୫୮ରେ ଜନ୍ମ ଗ୍ରହଣ କରିଥିବା କମଳା ରାଣୀ ବରୁଣଙ୍କ ବିବାହ LICର ପ୍ରାଶାସନିକ ଅଧିକାରୀ ଏବଂ ରାଷ୍ଟ୍ରିୟ ସ୍ୱୟଂସେବକ ସଙ୍ଘର (RSS) ପ୍ରତିବଦ୍ଧ ସ୍ୱେଚ୍ଛାସେବୀ କିଶନ ଲାଲ ବରୁଣଙ୍କ ସହ ହୋଇଥିଲା । ସମାଜବିଜ୍ଞାନରେ ଏମ୍‌.ଏ. ପାସ୍‌ କରିଥିବା କମଳା ରାଣୀଙ୍କୁ ୧୯୮୯ ମସିହାରେ ବିଜେପି କାନପୁରରେ କାଉନସିଲର୍‌ ପଦ ପାଇଁ ଟିକେଟ ଦେଇଥିଲା । ସେହି ନିର୍ବାଚନରେ ​​ଜିତି ମ୍ୟୁନିସିପାଲ କର୍ପୋରେସନରେ ପହଞ୍ଚିଥିବା କମଳ ରାଣୀ ୧୯୯୫ ମସିହାରେ ଉକ୍ତ ୱାର୍ଡରୁ ଦ୍ୱିତାୟ ଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ ।

ଯୋଗୀ ଆଦିତ୍ୟନାଥଙ୍କ ସହ କମଳା ରାଣୀ ବରୁଣ


୧୯୯୬ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ଘାଟପୁର (ସଂରକ୍ଷିତ) ସଂସଦୀୟ ଆସନରୁ ଟିକେଟ ଦେଇଥିଲା । ସେହି ନିର୍ବାଚନରେ କମଳ ରାଣୀ ଅପ୍ରତ୍ୟାଶିତ ଭାବରେ ବିଜୟ ହାସଲ କରି ଲୋକ ସଭାରେ ପହଞ୍ଚିଥିଲେ । ୧୯୯୮ ନିର୍ବାଚନରେ ବି ସେ ସେହି ଆସନରୁ ଆଉ ଥରେ ଜିତିଥିଲେ ।

ଏହା ବି ପଢ଼ନ୍ତୁ: ଭାରତରେ ଲଞ୍ଚ୍ ହେଲା କରୋନାର ଏ ପର୍ଯ୍ୟନ୍ତ ସବୁ ଠୁ ଶସ୍ତା ଔଷଧ; କେତେ ଦାମ୍ ଜାଣନ୍ତୁ

ଏହା ବି ପଢ଼ନ୍ତୁ: Rakhi Purnima: ବାରାଣସୀରେ ମୁସଲିମ୍ ମହିଳାମାନେ ମୋଦିଙ୍କ ପାଇଁ ତିଆରି କରୁଛନ୍ତି ସ୍ୱଦେଶୀ ରାକ୍ଷୀ

୧୯୯୯ ଲୋକ ସଭା ନିର୍ବାଚନରେ ​​ସେ ବିଏସପି (BSP) ପ୍ରାର୍ଥୀ ପ୍ୟରେଲାଲ ଶଙ୍ଖୱାରଙ୍କ ଠାରୁ ମାତ୍ର ୫୮୫ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ ।

ସଂସଦର ସଦସ୍ୟ ଥିବା ବେଳେ କମଳ ରାଣୀ ଶ୍ରମ ଓ କଲ୍ୟାଣ, ଶିଳ୍ପ, ମହିଳା ସଶକ୍ତିକରଣ, ସରକାରୀ ଭାଷା ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିରେ କାର୍ଯ୍ୟ କରିଥିଲେ ।



୨୦୧୨ ମସିହାରେ ବିଜେପି ତାଙ୍କୁ ରସୁଲାବାଦ (କାନପୁର ଗ୍ରାମାଞ୍ଚଳ)ରୁ ଟିକେଟ ଦେଇ ଠିଆ କରାଇଥିଲା, ​​କିନ୍ତୁ ସେ ଜିତିପାରି ନ ଥିଲେ । ୨୦୧୫ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଘାଟପୁର ବିଧାନ ସଭା ଆସନରୁ ବିଜେପିର ପ୍ରଥମ ବିଧାୟକ ଭାବେ ନିର୍ବାଚନ ଜିତିଥିଲେ । ତାଙ୍କୁ ଯୋଗୀଙ୍କ ସରକାରରେ ମନ୍ତ୍ରୀ କରାଯାଇଥିଲା ।
Published by: Anand Shankar Thankur Das
First published: August 2, 2020, 2:32 PM IST
corona virus btn
corona virus btn
Loading