ଡୋନାଲଡ୍ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟ୍ ନେଗେଟିଭ୍ ଆସିଲା; ଆମେରିକାର ଚିନ୍ତା କମିଲା

ବହୁତ ବୁଝାଇବା ପରେ ଟ୍ରମ୍ପ କରୋନା ଭାଇରସ୍ ଟେଷ୍ଟ ପାଇଁ ରାଜି ହୋଇଥିଲେ । ସପ୍ତାହ ତଳେ ତାଙ୍କୁ ଭେଟିଥିବା ବ୍ରାଜିଲ୍ ପ୍ରତିନିଧିମଣ୍ଡଳୀର ଦୁଇ ସଦସ୍ୟଙ୍କ ଟେଷ୍ଟ ପଜିଟିଭ୍ ଆସିଥିବାରୁ ଆମେରିକାରେ ଚ଼ିନ୍ତା ବଢ଼ିଯାଇଥିଲା ।

ଡୋନାଲଡ୍ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟ୍ ନେଗେଟିଭ୍ ଆସିଲା; ଆମେରିକାର ଚିନ୍ତା କମିଲା
ଡୋନାଲ୍ଡ ଟ୍ରମ୍ପ (ଫାଇଲ୍‌ ଫଟୋ)
  • News18 Odia
  • Last Updated: March 15, 2020, 12:06 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏ ନେଇ ହ୍ବାଇଟ ହାଉସ ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କୁହାଯାଇଛି ।

ଗତ ଶନିବାର ଟ୍ରମ୍ପ ବ୍ରାଜିଲରୁ ଆସିଥିବା ପ୍ରତିନିଧିମଣ୍ଡଳୀର ଦୁଇ ସଦସ୍ୟଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପ୍ରେସ ସଚିବ ଫାବିଓ ୱାଂଗାରଟେନ୍ ଓ ଅନ୍ୟ ଜଣେ ଅଧିକାରୀଙ୍କ ସହ ହାତ ମିଳାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇ ଅଧିକାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ତାଙ୍କ ସହ ହାତ ମିଳାଇ ଟ୍ରମ୍ପ ମଧ୍ୟ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଆଶଙ୍କା ଥିଲା । ତେବେ ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ଏ ସମ୍ବଦ୍ଧୀୟ ଚର୍ଚ୍ଚାର ଅବସାନ ଘଟିଛି ।

ବିବୃତିରେ ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ ଷ୍ଟେଫାନୀ ଗ୍ରିଶମ୍ ଜଣାଇଛନ୍ତି: ‘‘ଗତ ରାତ୍ର୍ରିରେ ରାଷ୍ଟ୍ରପତିଙ୍କ ସହ କୋଭିଡ୍ ୧୯ ଟେଷ୍ଟ ନେଇ ବିସ୍ତୃତ ଆଲୋଚନା କରିବା ପରେ ସେ ଏଥି ପାଇଁ ହଁ ଭରିଥିଲେ । ମାର୍କ-ଏ-ଲାଗୋ ଠାରେ ବ୍ରାଜିଲ ପ୍ରତିନିଧି ଦଳଙ୍କୁ ଭେଟିବାର ସପ୍ତାହେ ସମୟ ବିତି ଯାଇଥିଲେ ମଧ୍ୟ ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଲକ୍ଷଣ ମୁକ୍ତ ରହିଛନ୍ତି ।"

ଶନିବାରର ପ୍ରେସ କନ୍ଫେରେନ୍ସ ବେଳେ ମଧ୍ୟ ଟ୍ରମ୍ପଙ୍କ ଶରୀରର ତାପମାତ୍ରା ମପା ଯାଇଥିଲା । ତେବେ ତାଙ୍କର ତାପମାତ୍ରା ଠିକ୍ ରହିଥିବା ସେ ଉପସ୍ଥିତ ରିପୋର୍ଟରମାନଙ୍କୁ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । କରୋନା ଦ୍ବାରା ଆକ୍ରାନ୍ତ ହୋଇ ଆମେରିକାରେ ଏବେ ସୁଦ୍ଧା ୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି ।

ନିଜେ ବ୍ରାଜିଲ୍ ରାଷ୍ଟ୍ରପତି ବୋଲସୋନାରୋ ମଧ୍ୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବାର ଚର୍ଚ୍ଚା ହୋଇଥିଲା । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ପଷ୍ଟ ହୋଇଥିଲା ଯେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ନୁହେଁ ବରଂ ନେଗେଟିଭ୍ ରହିଥିଲା ।
First published: March 15, 2020, 12:06 PM IST