News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବ୍ୟାପିବା ପରେ ଦେଶକୁ ଅର୍ଥନୈତିକ ଓ ମାନସିକ କଷ୍ଟରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଅନେକ ପଦକ୍ଷେପ ଘୋଷଣା କରିଛନ୍ତି । ଏହା ଭିତରେ ସବୁ ବ୍ୟାଙ୍କର ଏଟିଏମ୍ ବ୍ୟବହାର ଦେୟ ହଟାଇବା ଓ ଆୟକର ରିଟର୍ଣ୍ଣର ଶେଷ ତାରିଖ ଘୁଞ୍ଚାଇବା ଅନ୍ତର୍ଭୁକ୍ତ ।
ଲୋକେ ଅନ୍ୟ ଯେ କୌଣସି ବ୍ୟାଙ୍କର ଡେବିଟ୍ କାର୍ଡ ବ୍ୟବହାର କରି ଏଟିଏମରୁ ନଗଦ ଟଙ୍କା ଉଠାଇଲେ ସେମାନଙ୍କୁ ତିନି ମାସ ପର୍ୟ୍ୟନ୍ତ କୌଣସି ଦେୟ ଦେବାକୁ ହେବ ନାହିଁ । ବ୍ୟାଙ୍କ ଆକାଉଣ୍ଟରେ କୌଣସି ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ବି ରହିବ ନାହିଁ । ଡିଜିଟାଲ କାରବାର ପାଇଁ ବ୍ୟାଙ୍କ ଶୁଳ୍କ ବି ହ୍ରାସ କରାଯାଇଛି ବୋଲି ସୀତାରମଣ କହିଛନ୍ତି ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣର ଶେଷ ତାରିଖ ମାର୍ଚ୍ଚ ୩୧ରୁ ଜୁନ୍ ୩୦କୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ବିଳମ୍ବିତ ଦେୟ ପାଇଁ ସୁଧ ହାର ୧୨% ରୁ ୯% କୁ ହ୍ରାସ କରାଯାଇଛି ।
ସୀତାରମଣ କହିଛନ୍ତି ଯେ ଆଧାର-ପ୍ୟାନ୍ ଲିଙ୍କ୍ ଶେଷ ତାରିଖ ମାର୍ଚ୍ଚ ୩୧ରୁ ବଢ଼େଇ ଜୁନ୍ ୩୦ କରାଯାଇଛି । ଟିଡିଏସ୍ ଜମା କରିବାରେ ବିଳମ୍ବ ପାଇଁ ଲାଗୁଥିବା ୧୦ ପ୍ରତିଶତ ସୁଧ ବର୍ତ୍ତମାନ ଓ ଜୁନ୍ ୩୦ ମଧ୍ୟରେ ଆଦାୟ କରାଯିବ ନାହିଁ ।

ହାଇଦ୍ରାବାଦରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ବାହାରକୁ ଆସିଛନ୍ତି । (ଏ.ପି. ଫଟୋ)
ମାର୍ଚ୍ଚ, ଏପ୍ରିଲ୍ ଓ ମେ ୨୦୨୦ର ଜି.ଏସ୍.ଟି. ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ମଧ୍ୟ ଜୁନ୍ ୩୦କୁ ବୃଦ୍ଧି କରାଯାଇଛି । ସୀତାରମଣ ଆହୁରି କହିଛନ୍ତି ଯେ ଏଥି ପାଇଁ ବିଭିନ୍ନ ତାରିଖ ପ୍ରଯୁଜ୍ୟ ହେବ, କିନ୍ତୁ ଜୁନ୍ ୩୦ ହିଁ ଶେଷ ତାରିଖ ହେବ । ବିଳମ୍ବିତ ରିଟର୍ଣ୍ଣ ଦାଖଲ ପାଇଁ ସୁଧ ହାର ମଧ୍ୟ ହ୍ରାସ କରାଯାଇଛି ।
ବିଶେଷଜ୍ଞମାନେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓ ଏହି ସମୟରେ ବ୍ୟବସାୟରେ ଉନ୍ନତି ଓ ନିରାପତ୍ତା ପାଇଁ ବିଭିନ୍ନ ଉପାୟ ବିଷୟରେ ପରାମର୍ଶ ଦେଇଛନ୍ତି ।
କ୍ଲିୟରଟ୍ୟାକ୍ସର ପ୍ରତିଷ୍ଠାତା ତଥା ସିଇଓ ଆର୍କିଟ୍ ଗୁପ୍ତା କହିଛନ୍ତି ଯେ ବ୍ୟବସାୟୀମାନଙ୍କୁ ଏହି କଷ୍ଟଦାୟକ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ ଏକ୍ସଟେନ୍ସନ୍ ଓ ଅନୁପାଳନରେ ରିଲିଫ୍ ସାହାଯ୍ୟ କରିବ । "ବ୍ୟବସାୟୀମାନେ ଏହି ସମୟରେ ଅଧିକରୁ ଅଧିକ ଟେକନୋଲୋଜି ବ୍ୟବହାର ଉପରେ ଫୋକସ୍ କରି ଡିଜିଟାଲ୍ ଆଡ଼କୁ ଗତି ସମ୍ପୂର୍ଣ୍ଣ ରୂପେ ଆଗେଇବାକୁ ଚୋଷ୍ଟା କରିବା ଆବଶ୍ୟକ । କ୍ଲାଉଡ୍ ଆଧାରିତ ସେବା ବ୍ୟବହାର କରି ଦୃଢ଼ ନିୟନ୍ତ୍ରଣ ଓ ସିଷ୍ଟମ୍ ଗଠନ କରିବା ଉଚିତ ଯାହା ଫଳରେ ସେମାନଙ୍କ କର୍ମଚାରୀମାନେ ଦୂରରେ ଥାଇ କାର୍ଯ୍ୟ କରିପାରିବେ,’’ ସେ କହିଛନ୍ତି ।
ଯଦି ବର୍ତ୍ତମାନର ପରିସ୍ଥିତି ଛଅ ମାସରୁ ଅଧିକ ଜାରି ରହେ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦେବାଳିଆ ଆଇନରର ଧାରା ୭, ୯ ଓ ୧୦କୁ ସ୍ଥଗିତ ରଖିବାକୁ ମଧ୍ୟ ସରକାର ବିଚାର କରୁଛନ୍ତି । ସୀତାରମଣ କହିଛନ୍ତି ଯେ ୫ କୋଟି ଟଙ୍କାରୁ କମ୍ କାରବାର କରୁଥିବା କମ୍ପାନୀଗୁଡିକ ପାଇଁ କୌଣସି ସୁଧ, ଜରିମାନା କିମ୍ବା ବିଳମ୍ବ ଶୁଳ୍କ ଆଦାୟ କରାଯିବ ନାହିଁ ଓ ଏହି କମ୍ପାନୀଗୁଡିକର ସୁଧ ହାର ୯% କୁ ହ୍ରାସ କରାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।