ଓଡ଼ିଶାରେ ଆଉ ୨ କରୋନା ପଜିଟିଭ୍: ଜଣେ ଢେଙ୍କାନାଳର ମହିଳା, ଆର ଜଣକ ପଶ୍ଚିମ ବଙ୍ଗର ରୋଗୀ

ଢେଙ୍କାନାଳରେ ଚିହ୍ନଟ ହୋଇଥିବା ଏହି ମହିଳା ଦିଲ୍ଲୀର ନିଜାମୁଦ୍ଦିନରୁ ଫେରିଥିବା କିଛି ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ କଟକର ଅଶ୍ବିନୀ କୋଭିଡ୍‌-୧୯ ହସ୍ପିଟାଲକୁ ନିଆଯାଇଛି । ଢେଙ୍କାନାଳ ଜିଲ୍ଲାରେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଆହୁରି ୧୪ ଜଣ ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ଓଡ଼ିଶାରେ ଆଉ ୨ କରୋନା ପଜିଟିଭ୍: ଜଣେ ଢେଙ୍କାନାଳର ମହିଳା, ଆର ଜଣକ ପଶ୍ଚିମ ବଙ୍ଗର ରୋଗୀ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ଏ ପର୍ଯ୍ୟନ୍ତ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ବଢ଼ି ୪୪ ହୋଇଛି ।

ଆଜି ପଜିଟିଭ୍‌ ଚିହ୍ନଟ ହୋଇଥିବା ଦୁଇଟି ମାମଲା ଢେଙ୍କାନାଳ ଓ ଭୁବନେଶ୍ବରରୁ ଆସିଛି । ଢେଙ୍କାନାଳରେ ଜଣେ ୫୧ ବର୍ଷୀୟା ମହିଳା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିପରି ପଶ୍ଚି ମବଙ୍ଗର ମେଦିନୀପୁରରୁ ଆସିଥିବା ଜଣେ ରୋଗୀ କରୋନା ପଜିଟିଭ ହୋଇଛନ୍ତି । ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୪୧ ଜଣ ସଂକ୍ରମିତ ବ୍ୟକ୍ତି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଢେଙ୍କାନାଳରେ ଚିହ୍ନଟ ସଂକ୍ରମିତଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ । ଏହି ମହିଳା ଦିଲ୍ଲୀର ନିଜାମୁଦ୍ଦିନରୁ ଫେରିଥିବା କିଛି ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏ ନେଇ ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ତାଙ୍କୁ କଟକର ଅଶ୍ବିନୀ କୋଭିଡ୍‌-୧୯ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି । ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରାଯାଉଛି । ଢେଙ୍କାନାଳ ଜିଲ୍ଲରେ ଆହୁରି ୧୪ ଜଣ ଲୋକ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନ୍ ଅବଧି ବୃଦ୍ଧିର ଘୋଷଣା କରୁଛନ୍ତି ।


କରୋନା ଭାଇରସ୍‌ ସଂକ୍ରମଣ ମାମଲା ବଢ଼ୁଥିବାରୁ ଆଜି ରାଜ୍ୟରେ ଜାରି ଥିବା ଲକ୍‌ଡାଉନକୁ ଏପ୍ରିଲ ୩୦ ଯାଏ ବଢ଼ାଯାଇଛି । କ୍ୟାବିନେଟ ବୈଠକ ପରେ ରାଜ୍ୟ ସରକାର ଏହି ଘୋଷଣା ତରିଛନ୍ତି । ଜୁନ ୧୭ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ଏ ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ତା’ ପର ଠୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷତ୍ତି ନିଆଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆମେରିକାର ଉଦାହରଣ ଦେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସବୁ ଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏବେ କରୋନା ଦ୍ବାରା ଭୀଷଣ ପ୍ରଭାବିତ ହୋଇଛି । ‘‘୯/୧୧ ଆତଙ୍କବାଦୀ ଆକ୍ରମଣ ଓ ବିଭିନ୍ନ ଯୁଦ୍ଧରେ ଆମେରିକାରେ ଯେତିକି ଲୋକ ପ୍ରାଣବଳୀ ଦେଇ ନ ଥିଲେ ତା’ ଠାରୁ ଅଧିକ ଲୋକ କରୋନା ଆକ୍ରମଣର ଶିକାର ହୋଇଛନ୍ତି । ଏହା ସତ୍ତ୍ବେ ଆମେରିକା ସଂପୂର୍ଣ୍ଣ ଲକଡାଉନ ଘୋଷଣା କରିନାହିଁ । ଏଭଳି କଠିନ ପରିସ୍ଥିତିରେ  ଆମକୁ ମଣିଷ ଜୀବନ ଓ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡ଼ିଛି । ମଣିଷ ଜୀବନକୁ ଗୁରୁତ୍ବ ଦେଇ ଏପ୍ରିଲ ୩୦ ତାରିଖ ଯାଏ ଲକ ଡାଉନ ଅବଧି ବଢାବଲା,’’ ମୁଖ୍ୟ ମନ୍ତ୍ରୀ କହିଛନ୍ତି ।

କଟକରେ ଜଣେ ଲକଡାଉନ୍‌ ଉଲ୍ଲଙ୍ଘନକାରୀକୁ ପୋଲିସ୍‌ ଉଠ୍‌ବସ୍‌ କରାଉଛି ।


ଟ୍ରେନ୍‌ ଓ ବିମାନ ସେବା ଏପ୍ରିଲ୍‌ ୨୦ ଯାଏଁ ବନ୍ଦ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ । ତା’ ସହ  ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଯତ୍ନ ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ ବୋଲି ନବୀନ କହିଛନ୍ତି । ଟେଲି ମେଡିସିନ୍‌ ସେବା ଯୋଗାଉଥିବା ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ।

ଲକଡାଉନ ସମୟରେ କୃଷି କାର୍ଯ୍ୟ ଜାରି ରହିବ ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ‘‘ଲୋକଙ୍କୁ ରୋଜଗାର ଦେବା ପାଇଁ ଏନଆରଇଜିଏସ କାର୍ଯ୍ୟ ମଧ୍ୟ ସାମାଜିକ ଦୂରତା ନିୟମ ମାନି ଜାରି ରହିବ ବୋଲି ସେ କହିଛନ୍ତି । ମାଲ ପରିବହନରେ ଯେମିତି ବାଧା ସୃଷ୍ଟି ନ ହେବ ତା’ ଉପରେ ଗୁରୁତ୍ବ ଦିଆଯାଉଛି ।  ରାଜ୍ୟରେ କୋଭିଡ ଟେଷ୍ଟିଂ ଓ ଚିକିତ୍ସା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଖୁବ୍‌ ଶୀଘ୍ର ରାଜ୍ୟରେ ୧ ଲକ୍ଷ  ରାପିଡ ଟେଷ୍ଟିଂ ସୁବିଧା ବିକଶିତ କରାଯିବ,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।
First published: April 9, 2020, 4:46 PM IST
corona virus btn
corona virus btn
Loading