ଭୁବନେଶ୍ବରରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହେଲା

ଜଣେ ଆକ୍ରାନ୍ତ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍‌-୨ର ୭୦ ବର୍ଷୀୟ ବାସିନ୍ଦା । ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିଲେ । ଆର ଜଣକ ବମିଖାଲର ଜଣେ ୨୯ ବର୍ଷୀୟ ଯୁବକ । ସେ ଡାକ୍ତରୀ ଯାଞ୍ଚ ବେଳେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହେଲା
ଦିଲ୍ଲୀରେ ରୋମରୁ ଫେରିଥିବା ଶେଷ ବ୍ୟକ୍ତିମାନଙ୍କ ନମୂନା ପରୀକ୍ଷା ପାଇଁ ନିଆଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଆଉ ଦୁଇ ଜଣ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।

ଏହି ଦୁଇ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ୍‌-୨ ଅଞ୍ଚଳର ଜଣେ ୭୦ ବର୍ଷୀୟ ବାସିନ୍ଦା । ସେ ମାର୍ଚ୍ଚ ୨୨ରେ ଅଷ୍ଟ୍ରେଲିଆରୁ ଫେରିଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଅନ୍ୟ ଆକ୍ରାନ୍ତ ବ୍ୟକ୍ତି ଜଣକ ବମିଖାଲର ଜଣେ ୨୯ ବର୍ଷୀୟ ଯୁବକ । ବମିଖାଲରେ ଡାକ୍ତରୀ ଯାଞ୍ଚ ବେଳେ ସେ କରୋନା ଭାଇରସ୍‌ ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି ।

ଏହା ପୂର୍ବରୁ ଗତ ରାତିରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରୁ ଜଣେ ୨୯ ବର୍ଷୀୟ ଯୁବକ କରୋନା ଭାଇରସ୍‌ ପଜିଟିଭ୍‌ ଥିବା ରିପୋର୍ଟ ଆସିଥିଲା । ସେ ନିକଟରେ ବାହାରିନରୁ ଫେରିଥିଲେ ।

କଳାହଣ୍ଡିର ଏହି ପ୍ରଥମ କରୋନା ପଜିଟିଭ ନିଜ ପରିବାର ସମେତ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ବୋଲି ଜଣା ପଡ଼ିଛି । ତାଙ୍କୁ ବର୍ତ୍ତମାନ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବା ସହିତ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ସମ୍ପୃକ୍ତ ପଞ୍ଚାୟତକୁ ସିଲ କରିଛି ପ୍ରଶାସନ ।

କଳାହଣ୍ଡିର କରୋନା ପଜିଟିଭ ଏହି ଯୁବକ ବାହାରିନରୁ ଫେରି ଓଡ଼ିଶା ପହଞ୍ଚିବା ପରେ ୧୦୪ରେ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ହୋମ୍‌ ଆଇସୋଲେସନକୁ ମାନି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାରେ ଛନକା ପଶିଛି ।

ଗତ କାଲି ଓଡ଼ିଶାରେ ମୋଟ ୩୦୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ଗୋଟିଏ ପଜିଟିଭ୍‌ ଆସିଥିଲା । ଆର.ଏମ୍‌.ଆର.ସି.ରେ ୨୨୩, ଏମସରେ ୩୮ ଓ ଏସ୍‌ସିବି ମେଡିକାଲ କଲେଜରେ ୪୩ଟି ନମୁନା ପରୀକ୍ଷା କରାଯାଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୧,୬୯୯ଟି ନମୁନା ପରୀକ୍ଷା ହୋଇଛି ଓ ମୋଟ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ଭଦ୍ରକରେ ପହଞ୍ଚି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଭଦ୍ରକ ସହରରେ ଜାରି ଥିବା ସଟଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି । ଡିଜିଙ୍କ ସହ ଅଛନ୍ତି ପୂର୍ବାଞ୍ଚଳ ପୋଲିସ୍‌ ଆଇ.ଜି. ଦିପ୍ତେଶ୍ ପଟ୍ଟନାୟକ ଓ ଭଦ୍ରକ ଏସ୍‌.ପି. । ସମୀକ୍ଷା ପରେ ନିଜେ ପୋଲିସ ଡିଜି ଭଦ୍ରକ ଟାଉନ ବୁଲି ଦେଖିଛନ୍ତି । ଭଦ୍ରକ ସହରର ପୁରୁଣାବଜାର ଓ ଚରମ୍ପା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାଇ ପାଟ୍ରୋଲିଂ ବ୍ୟବସ୍ଥା ସହ ସଟଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜି । ଲୋକଙ୍କୁ ସଚେତନ ରହିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ସେ । ପୁରୁଣା ବଜାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନକୁ ସାନିଟାଇଜଡ କରାଯାଇଛି ।
First published: April 5, 2020, 5:15 PM IST
corona virus btn
corona virus btn
Loading