କରୋନାରେ ମୃତ୍ୟୁ ବରଣ କରିଥିବା ବିହାର ବାସିନ୍ଦା ଭାରତରେ ଏ ଭୂତାଣୁର କନିଷ୍ଠ ଶିକାର: ବୟସ ୩୮

ବିହାରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକଙ୍କ ବୟସ ମାତ୍ର ୩୮ ଥିଲା ଓ ସେ କତାରରେ କାମ କରୁଥିଲେ । ମୁମ୍ବାଇରେ ଜଣେ ୬୩ ବର୍ଷୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ।

କରୋନାରେ ମୃତ୍ୟୁ ବରଣ କରିଥିବା ବିହାର ବାସିନ୍ଦା ଭାରତରେ ଏ ଭୂତାଣୁର କନିଷ୍ଠ ଶିକାର: ବୟସ ୩୮
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 22, 2020, 3:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜି ମହାରାଷ୍ଟ୍ର ଓ ବିହାରରେ କରୋନା ଭାଇରସ୍‌ କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋଭିଡ-୧୯ ମହାମାରୀରେ ମୃତ୍ୟୁ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଏହା ଦ୍ୱିତୀୟ ମୃତ୍ୟୁ ହୋଇଥିବା ବେଳେ ବିହାରରେ ଏହା ପ୍ରଥମ ମୃତ୍ୟୁ । ଇତି ମଧ୍ୟରେ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି ।

ବିହାରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକଙ୍କ ବୟସ ମାତ୍ର ୩୮ ଥିଲା ଓ ତାଙ୍କର କତାରକୁ ଯିବା ଆସିବାର ଇତିହାସ ଥିଲା । ପାଟନାର AIIMSରେ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ପାଟନା AIIMS ର ନିର୍ଦ୍ଦେଶକ ଓ ବିହାରର ସ୍ୱାସ୍ଥ୍ୟ ବିଭାଗର ସଚିବ ସଞ୍ଜୟ କୁମାର କହିଛନ୍ତି । ଏହି ମୃତକ ମୁଙ୍ଗେର ଜିଲ୍ଲାର ବାସିନ୍ଦା ଥିଲେ ଓ କତାରରେ କାମ କରୁଥିଲେ । ଶନିବାର ଦିନ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଆଉ ଜଣେ ସଂକ୍ରମିତ ବ୍ୟକ୍ତି ପାଟନାରେ ଥିବା NMCHର ବିଚ୍ଛିନ୍ନତା ୱାର୍ଡରେ ଭର୍ତ୍ତି ଅଛନ୍ତି ।

ମୁମ୍ବାଇରେ ଜଣେ ୬୩ ବର୍ଷୀୟ କରୋନା ଭାଇରସ୍ ରୋଗୀ ମୃତ୍ୟୁବରଣ କରିବାରୁ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦୁଇକୁ ବଢ଼ିଛି । ସେହି ବ୍ୟକ୍ତିଙ୍କୁ ଶନିବାର ମୁମ୍ବାଇର ଏଚ୍.ଏନ୍‌. ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ରିହନମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍ ଏକ ବିବୃତ୍ତିରେ କହିଛି ଯେ ମୃତକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ ଓ ଇସକେମିକ୍ ହୃଦ୍ ରୋଗର କ୍ରୋନିକ୍ ଇତିହାସ ଥିଲା । ସେ ଭୀଷଣ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡ଼ିତ ହୋଇ ମୃତ୍ୟୁ ମୁଖପେ ପଡ଼ିଥିଲେ ବୋଲି ବିବୃତ୍ତିରେ କୁହାଯାଇଛି ।

ସପ୍ତାହକ ପୂର୍ବରୁ ମୁମ୍ବାଇରେ ଆଉ ଜଣେ COVID-୧୯ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ପଜିଟିଭ୍‌ ମାମଲା ସାମନାକୁ ଆସିବା ପରେ ରାଜ୍ୟରେ ସମୁଦାୟ କରୋନା ଭାଇରସ୍ ପଜିଟିଭ ରୋଗୀଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ଅଧିକାରୀମାନେ ରବିବାର କହିଛନ୍ତି । ଏହି ୧୦ଟି ନୂଆ ମାମଲା ମଧ୍ୟରୁ ଛଅଟି ମୁମ୍ବାଇରେ ଓ ଚାରିଟି ପୁଣେରେ ବୋଲି ସେମାନେ କହିଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଜନତା କର୍ଫ୍ୟୁ' ପାଇଁ ଆବେଦନ ପରେ ଭାରତବାସୀ ରବିବାର ଦିନ ସ୍ୱେଚ୍ଛାରେ ବନ୍ଦ ପାଳନ କରୁଛନ୍ତି ।ଏହି  'ଜନତା କର୍ଫ୍ୟୁ' ସକାଳ ୭ଟାରେ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିବ | କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ସାମାଜିକ ଦୂରତା ପାଳନ କରିବା କ୍ରମରେ ଲୋକେ ନିଜକୁ ଘର ଭିତରେ ରଖୁଛନ୍ତି ଓ ରାସ୍ତାଘାଟ ପ୍ରାୟ ଖାଲି ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପ୍ରଦାନ କରୁଥିବା ସଂସ୍ଥାଙ୍କ ବ୍ୟତୀତ ସମସ୍ତ ବଜାର ଓ ପ୍ରତିଷ୍ଠାନ ଦିନକ ପାଇଁ ବନ୍ଦ ରହିଛି ।

ଓଡ଼ିଶା ସମେତ ମହାରାଷ୍ଟ୍ର, ରାଜସ୍ଥାନ ଓ ବିହାରର ମଧ୍ୟ ସମାନ ରୂପେ ସ୍ୱତଃସ୍ଫୁର୍ତ୍ତ ଭାବେ ବନ୍ଦ ପାଳନ ହେଉଛି । ପଞ୍ଜାବ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିବାରେ ପଞ୍ଚମ ରାଜ୍ୟ ହୋଇଛି । ରେଳବାଇ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଦେଶରେ ସମସ୍ତ ଯାତ୍ରାବାହୀ ଟ୍ରେନ୍ ପରିଚାଳନ ସ୍ଥଗିତ ରଖିଛି ।
First published: March 22, 2020, 3:05 PM IST