ଆଶ୍ବସ୍ତିର ଖବର: କରୋନା ଭାଇରସ୍ ପାଇଁ ଟିକା ପ୍ରସ୍ତୁତ ହେଲା; ପରୀକ୍ଷଣ ଆରମ୍ଭ ହୋଇଛି

ଆମେରିକାର ସିଆଟଲରେ ଥିବା ଏକ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନରେ ଏହି ଟିକାର ପରୀକ୍ଷଣ ଚାଲିଛି । ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ କୌଣସି ସମ୍ଭାବ୍ୟ ଟିକାକୁ ସମ୍ପୂର୍ଣ୍ଣ ଭାବେ ବୈଧ କରିବା ଲାଗି ବର୍ଷକରୁ ୧୮ ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ ।

ଆଶ୍ବସ୍ତିର ଖବର: କରୋନା ଭାଇରସ୍ ପାଇଁ ଟିକା ପ୍ରସ୍ତୁତ ହେଲା; ପରୀକ୍ଷଣ ଆରମ୍ଭ ହୋଇଛି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 17, 2020, 4:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍: ବିଶ୍ବବାସୀଙ୍କୁ ସଙ୍କଟର ଗର୍ଭକୁ ଠେଲି ନେଉଥିବା କରୋନା ଭାଇରସ୍ ମହାମାରୀର ଆତଙ୍କ ସମୟରେ ଆସିଛି କିଛି ଆଶ୍ବସ୍ତିର ଖବର । ଏହି ଘାତକ ଭୂତାଣୁ ଠାରୁ ରକ୍ଷା ପାଇବା ଲାଗି ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି ଓ ତା’ର ପରୀକ୍ଷଣ ଗତ କାଲି (ମାର୍ଚ୍ଚ ୧୬) ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୪୫ ଜଣ ସୁସ୍ଥ ଯୁବକଙ୍କୁ ଏହି ଟିକା ଦିଆଯାଉଛି ବୋଲି ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ।

ଆମେରିକାର ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା ଏହି ପରୀକ୍ଷଣ ଲାଗି ଖର୍ଚ୍ଚ ବହନ କରୁଛି ଓ ସିଆଟେଲ୍ ସ୍ଥିତ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନରେ ଏହି ପରୀକ୍ଷଣ ଅନୁଷ୍ଠିତ ହେଉଛି । ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ କୌଣସି ସମ୍ଭାବ୍ୟ ଟିକାକୁ ସମ୍ପୂର୍ଣ୍ଣ ଭାବେ ବୈଧ କରିବା ଲାଗି ଏକ ବର୍ଷରୁ ୧୮ ମାସ ପର୍ଯ୍ୟନ୍ତ ସମୟ ଲାଗିଥାଏ ।

ଏନ୍‌.ଆଇ.ଏଚ୍‌. (NIH) ଓ ମଡର୍ଣ୍ଣା ଇନ୍‌କରପୋରେଟେଡ୍‌ Inc ଦ୍ବାରା ବିକଶିତ ହୋଇଥିବା ଏହି ଟିକାର ବିଭିନ୍ନ ଡୋଜକୁ ୪୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀ ଯୁବକଙ୍କ ଶରୀରରେ ଦିଆଯିବ । ଏହି ଯୁବକମାନଙ୍କ ଠାରେ ଭୂତାଣୁ ନ ଥିବାରୁ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ । ଏପରି ପରୀକ୍ଷଣର ଉଦ୍ଦେଶ୍ୟ ଏହା ଯେ ଏହା କୌଣସି ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ନ କରୁ ଓ ପରେ ଏହାକୁ ଯେଭଳି ବଡ଼ ପରୀକ୍ଷଣ ପାଇଁ ବ୍ୟବହାର କରାଯାଇ ପାରିବ ।

କୋଭିଡ ୧୯ (କରୋନା ଭାଇରସ୍‌)ର ପ୍ରକୋପ ବଢ଼ି ଚାଲିଥିବରୁ ବିଶ୍ବବ୍ୟାପୀ ଅନେକ ଗବେଷଣା ସଙ୍ଗଠନ ଏହାର ନିରାକରଣ ଲାଗି ପ୍ରତିଷେଧକ ଟିକା ଖୋଜିବାରେ ଲାଗିଛନ୍ତି । ସେମାନେ ନୂତନ ବୈଷୟିକ ଜ୍ଞାନକୌଶଳରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଟୀକାର ଡୋଜକୁ ଅନୁସରଣ କରୁଛନ୍ତି ଯାହା କି ଶକ୍ତିଶାଳୀ ହେବା ସହ ଶୀଘ୍ର ଉତ୍ପାଦନ ହୋଇପାରିବ । କେତେକ ଅନୁସନ୍ଧାନକାରୀ ଏପରି ଏକ ଟିକା ପାଇଁ ମଧ୍ୟ ଚେଷ୍ଟା ଚଳାଇଛନ୍ତି ଯାହା କି ଏକ ଦୀର୍ଘସ୍ଥାୟୀ ସୁରକ୍ଷା ଟିକା ବିକଶିତ ହେବା ପର୍ଯ୍ୟନ୍ତ ଅନ୍ତତଃ ରୋଗୀଙ୍କୁ ମାସେ ବା ଦୁଇ ମାସ ଯାଏଁ ସୁସ୍ଥ ରଖିପାରିବ ।

ଅଧିକାଂଶ ଲୋକଙ୍କ ଦେହରେ ନୂତନ କରୋନା ଭାଇରସ୍ କେବଳ ମୃଦୁ କିମ୍ବା ମଧ୍ୟମ ଧରଣର ଲକ୍ଷଣ ସୃଷ୍ଟି କରେ ଯେପରିକି ଜ୍ୱର ଓ କାଶ । ବିଶେଷକରି ବୟସ୍କ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକଙ୍କ ପାଇଁ ଏହା ନିମୋନିଆ ସମେତ ଅଧିକ ଗୁରୁତର ରୋଗର କାରଣ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ସାମାନ୍ୟ ରୋଗରେ ଆକ୍ରାନ୍ତ ଲୋକମାନେ ପ୍ରାୟ ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହେଉଛନ୍ତି । ଯେଉଁମାନେ ଅଧିକ ଗୁରୁତର ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନେ ସୁସ୍ଥ ହେବାକୁ ତିନି ସପ୍ତାହରୁ ଛଅ ସପ୍ତାହ ସମୟ ନେଇପାରନ୍ତି ।

ବର୍ତ୍ତମାନ ବିଶ୍ବବ୍ୟାପୀ ୧,୭୦,୦୦୦ରୁ ଅଧିକ ଲୋକ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହେଲେଣି । ମୃତ୍ୟୁ ସଂଖ୍ୟା ମଧ୍ୟ ୬,୦୦୦ ଟପିଲାଣି । ରବିବାର ଦିନ କେବଳ ଇଟାଲୀରେ ୩୬୮ ଜଣଙ୍କର ଜୀବନ ଯାଇଛି । (ଏ.ପି.)
First published: March 17, 2020, 4:37 PM IST