News18 Odia Digital
ଭୁବନେଶ୍ୱର: କରୋନା ଭାଇରସ୍ ମାନଚିତ୍ରରେ ପ୍ରଥମ ଥର ସାମିଲ ହୋଇଥିବା ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ତିନି ଜଣ ଆକ୍ରାନ୍ତଙ୍କ ଗସ୍ତ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବ୍ରଜରାଜନଗର ସହରର ଅନେକ ଅଞ୍ଚଳକୁ ସିଲ୍ କରିଛି ।
୧୧୯ ନମ୍ବର ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲା ବ୍ରଜରରାଜନଗର ବୁଢ଼ିଜାମ ଅଞ୍ଚଳର ଜଣେ ୧୮ ବର୍ଷୀୟା ଯୁବତୀ । ସେ ଗତ ୨୨ ତାରିଖରେ କୋଲକାତାରୁ ଗାଡ଼ି ଭଡ଼ା କରି ଆଉ କିଛି ଲୋକଙ୍କ ସହ ଗାଁକୁ ଆସିଥିଲେ । ୨୩ ତାରିଖରୁ ୨୯ ତାରିଖ ଯାଏଁ ସେ ହୋମ କ୍ବାରେଣ୍ଟାଇନରେ ଥିଲେ ଓ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା । ପରେ ତାଙ୍କ ନମୁନା ସଂଗ୍ରହ କରାଯିବାରୁ ସେ ପଜିଟିଭ ଥିବା ଜଣାପଡ଼ିଛି ।
୧୨୧ ନମ୍ବର ଆକ୍ରାନ୍ତ କେନ୍ଦୁଝର ଆନନ୍ଦପୁର ବ୍ଲକ ପଞ୍ଚପାଲିର ଜଣେ ୬୦ ବର୍ଷୀୟ ବୃଦ୍ଧ । ସେ କୋଲକାତାରୁ ଆଉ ୮ ଜଣଙ୍କ ସହ ମିଶି ମାର୍ଚ୍ଚ ୨୯ରେ ଗାଁକୁ ଫେରିଥିଲେ । ୩୧ ମାର୍ଚ୍ଚରୁ ୨୯ ଏପ୍ରିଲ ଯାଏଁ ସେ ହୋମ କ୍ବାରେଣ୍ଟାଇନରେ ଥିବା ବେଳେ କେବେ କେବେ ପାଖ ଦୋକାନକୁ ଯାଇଥିବା ଜଣାପଡ଼ିଛି ।

ଝାରସୁଗୁଡ଼ାରେ କଡ଼ାକ଼ଡ଼ି ଚେକିଂ ଚାଲିଛି ।
ଦେବଗଡ଼ର ୧୨୨ ନମ୍ବର ଆକ୍ରାନ୍ତ ୩୪ ବର୍ଷୀୟ ବ୍ୟକ୍ତି ଜଣକ ଗତ ୨୬ ତାରିଖରେ କୋଲକାତାରୁ ଏକ ଟ୍ରକ୍ରେ ରେଢ଼ାଖୋଲ ଆସିବା ପରେ ଚାଲି ଚାଲି ବାସୁଦେବପୁର ସୁଗୁଡ଼ା ଗାଁରେ ପହଞ୍ଚିଥିଲେ । ସେବେ ଠାରୁ ସେ ନିଜ ଘରେ ସଙ୍ଗରୋଧ ହୋଇ ରହିଥିଲେ । ୨୭ ତାରିଖରେ ସେ ଏ ନେଇ ହସ୍ପିଟାଲକୁ ଜଣାଇବା ପରେ ତାଙ୍କର ନମୁନା ସଂଗ୍ରହ ହୋଇଥିଲା ଓ ସେ ପଜିଟିଭ୍ ବୋଲି ଜଣାପଡ଼ିଥିଲେ ।
ବ୍ରଜରାଜନଗର ସହରାଞ୍ଚଳର ପାଟଯୋଶୀ ଛକଠାରୁ ଆମ୍ବେଦକର ଛକ, ଗୁଆଲାପଡ଼ା ଦୁର୍ଗାମନ୍ଦିରଠାରୁ ଗୁଢ଼ାବାବା ମନ୍ଦିର, ସୁବାସ ଛକ ଠାରୁ ଟନେଲ ରୋଡ଼, ସାନଯୋବଠାରୁ ରାମଗଡ଼ ପୋଖରୀ, ୩ ନମ୍ବର ଖଣି ଠାରୁ ପାଟଯୋଶୀ ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ । ଉକ୍ତ ଅଞ୍ଚଳ ଉପରେ କଡ଼ା ନଜର ରଖିଛି ପ୍ରଶାସନ ।
ଆଜି ସକାଳେ ବ୍ରଜରାଜନଗରର ୫ଟି ୱାର୍ଡକୁ ସିଲ୍ କରାଯାଇ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଉଦ୍ୟମ କରାଯାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ୫ଟି ଟିମ ଗଠନ କରାଯାଇଛି । ଆଜି ଝାରସୁଗୁଡା ଜିଲ୍ଲାରେ ନୂତନ ଏସପି ଯୋଗଦେବା ପରେ ବ୍ରଜରାଜନଗର ସ୍ଥିତି ବୁଲି ଅନୁଧ୍ୟାନ କରିଛନ୍ତି ।
କୋରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲ୍ଲାର ୫ଟି ବ୍ଲକର ୭୮ଟି ପଞ୍ଚାୟତରେ ୭୯ଟି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଥିବା ବେଳେ ତିନିଟି ପୌରାଞ୍ଚଳରେ ୧୦ଟି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମୋଟ ୪,୫୧୦ଟି ବେଡ଼ ବ୍ୟବସ୍ଥା କରିଛି ଝାରସୁଗୁଡା ଜିଲ୍ଲା ପ୍ରଶାସନ ।
ଝାରସୁଗୁଡା ଜିଲ୍ଲାରେ କରୋନା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା ଜରିଛନ୍ତି ଉତ୍ତରାଞ୍ଚଳ RDC ନିରଞ୍ଜନ ସାହୁ। ରାଜ୍ୟ ବାହାର ରହୁଥିବା ଶ୍ରମିକଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରବାସୀ ଶ୍ରମିକମାନେ ଝାରସୁଗୁଡା ଫେରିବା ପୂର୍ବରୁ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କୁ ୧୪ ଦିନ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।