ନିଆରା ସାବିତ୍ରୀ: ପୁରୀରେ କିନ୍ନରମାନେ ନିଜ ଗୁରୁ ବା ମା’ଙ୍କୁ ପୂଜା କରି ବ୍ରତ ପାଳନ କଲେ

ନିଜ ମନର ମଣିଷ ପାଇଁ ଉପାସ ରହି ବ୍ରତ କରିବା ହେଉଛି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ପାଇଁ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରନ୍ତି କିନ୍ନର ଓ ନୃତ୍ୟଶିଳ୍ପୀମାନେ ।

ନିଆରା ସାବିତ୍ରୀ: ପୁରୀରେ କିନ୍ନରମାନେ ନିଜ ଗୁରୁ ବା ମା’ଙ୍କୁ ପୂଜା କରି ବ୍ରତ ପାଳନ କଲେ
ପୁରୀରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କରୋନା ଲକଡାଉନକୁ ନେଇ ସମସ୍ତ ମନ୍ଦିର ବନ୍ଦ ରହିଥିବା ବେଳେ ପବିତ୍ର ସାବିତ୍ରୀ ବ୍ରତକୁ ମହିଳାମାନେ ଘରେ ଘରେ ପାଳନ କରିଛନ୍ତି । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ଏହି ବ୍ରତ ପାଳନ କରିବା ବିଧି ରହିଛି । ହେଲେ ପୁରୀରେ କିନ୍ନରମାନେ ନିଜ ଗୁରୁ ବା ମା’ଙ୍କୁ ପୂଜା କରି  ସାବିତ୍ରୀ ବ୍ରତ ପାଳିଛନ୍ତି । ତାଙ୍କ ହାତରୁ ଶଙ୍ଖା ପିନ୍ଧିବା ସହ ମୁଣ୍ଡରେ ସିନ୍ଦୂର ପିନ୍ଧି ତାଙ୍କ ପାଇଁ ଉପାସ ରହି ସାବିତ୍ରୀ ବ୍ରତ କରିଛନ୍ତି । ତା’ ସହିତ କରୋନା ମହାମାରୀ ଦେଶରୁ ହଟିଯାଉ ଓ ଭାରତର ପ୍ରତିଟି ଭାଇ ଭଉଣୀ ସୁସ୍ଥ ରୁହନ୍ତୁ ବୋଲି ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି  ।

ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର ତାଙ୍କ ଗୁରୁ ଦେବଦାସୀ ସ୍ୱର୍ଗତଃ ଶଶିମଣୀଙ୍କ ପାଇଁ ଘରେ ରହି ପାଳିଛନ୍ତି ସାବିତ୍ରୀ  । ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟାଙ୍ଗନା ରୋଜାଲିନ ମହାନ୍ତି ବି ପ୍ରଥମେ ନିଜ ଗୁରୁଙ୍କ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରି ଘରେ ରହି ବ୍ରତ ପାଳନ କରିଛନ୍ତି ।

‘‘ସାବିତ୍ରୀ ବ୍ରତ ହେଉଛି ସ୍ତ୍ରୀଟିଏ ନିଜ ସ୍ୱାମୀର ଶୁଭ ମନାସି ତାଙ୍କୁ ଦୀର୍ଘାୟୁ ହେବା ପାଇଁ ନିଷ୍ଠାର ସହ କରିଥିବା ବ୍ରତ । ହେଲେ ଆମେ କିନ୍ନରମାନେ ଶିବଙ୍କୁ ଆରାଧନା କରିବା ସହ ନିଜ ଗୁରୁ ଆମ କିନ୍ନରଙ୍କ ମା’ଙ୍କୁ ବି ପୂଜା କରୁ । ତେଣୁ ସମସ୍ତ କିନ୍ନରମାନେ ସାବିତ୍ରୀକୁ ଅପେକ୍ଷା କରିଥାନ୍ତି  । ସକାଳୁ ନୂଆ ଶାଢି ପିନ୍ଧି ହାତରେ ଚୁଡି ପିନ୍ଧି ମନ୍ଦିର ଆସିଥାଉ  । ଏ ଥର କରୋନା ଲକଡାଉନକୁ ନେଇ ମନ୍ଦିର ବନ୍ଦ ଥିବାରୁ ବାହାରେ ରହି ପୂଜା କଲୁ । ଆଣିଥିବା ଶଙ୍ଖା ସିନ୍ଦୂରକୁ ଠାକୁରଙ୍କୁ ଲାଗି ହେବା ପରେ ତାହାକୁ ଆମ କିନ୍ନରଙ୍କ ଗୁରୁ ଆମ ମୁଣ୍ଡରେ ସିନ୍ଦୂର ଲଗେଇବା ପରେ ହାତରେ ଶଙ୍ଖା ପିନ୍ଧାଇଥାନ୍ତି । ଆଉ ସେତକ ପାଇଲା ପରେ ଆମେ ଖୁସି ଅନୁଭବ କରି ଗୁରୁଙ୍କ ପାଦକୁ ଛୁଇଁ ମୁଣ୍ଡିଆ ମାରିବାର ବିଧି ରହିଛି  । ତେଣୁ ଏଭଳି ସାବିତ୍ରୀ ବ୍ରତର ପରମ୍ପରା ଆମ କିନ୍ନରଙ୍କ ପାଇଁ ଏକ ଗୌରବ,’’ କହିଛନ୍ତି ସୋନମ କିନ୍ନର ।

କିନ୍ନରମାନେ ଶଙ୍ଖା ସିନ୍ଦୂର ପିନ୍ଧି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ।


ସାବିତ୍ରି ବ୍ରତ ଦିନ କିନ୍ନରମାନେ ଉପବାସ ରହି ସେମାନେ ତାଙ୍କ ମା’ଙ୍କ ପାଇଁ ଦିନଟିଏ ପାଳନ କରିବା ସହ ଏହି ଦିନକୁ ଅପେକ୍ଷା କରିଥାନ୍ତି । ‘‘କିନ୍ନରମାନଙ୍କର ପରମ୍ପରା ସ୍ୱତନ୍ତ୍ର । କିନ୍ନର ପରମ୍ପରାରେ ତାଙ୍କ ସ୍ୱାମୀ ତାଙ୍କ ମା’ ହୋଇଥିବାରୁ ମା’ର ମୃତ୍ୟୁ ହେଲେ ସମସ୍ତ କିନ୍ନର ବିଧବା ହୋଇଥାନ୍ତି ବୋଲି ପରମ୍ପରା ରହିଛି,’’ କହିଛନ୍ତି  କିନ୍ନରଙ୍କ ମା’ ଦେବକୀ କିନ୍ନର  ।

ସାବିତ୍ରୀ ବ୍ରତରେ କିନ୍ନରଟିଏ ତା’ ମା’ଙ୍କ ଠାରୁ ସିନ୍ଦୂର ଲଗାଇ ଶଙ୍ଖା ପିନ୍ଧି ନିଜ ସମ୍ପ୍ରଦାୟରେ ସାମିଲ ହେବାର ବିଧି ରହିଛି  । ‘‘ତା ସହିତ ବଞ୍ଚିଥିବା ଯାଏଁ ତା’ର ଗୁରୁ ବା ମା’ ହେଉଛି ତାର ସର୍ବେସର୍ବା  । କିନ୍ନରଟିଏର ମୃତ୍ୟୁ ହେଲେ ତା’ର ମୃତ ଦେହ କି ଶବ ସତ୍କାର କେହି ଦେଖନ୍ତି ନାହିଁ । ଆଉ ବଞ୍ଚିଥିବା ଯାଏଁ ସେ ସଧବା ଭାବେ ଶଙ୍ଖା ଶାଢୀ ପିନ୍ଧି ରହିଥାଏ । ହେଲେ ବର୍ତ୍ତମାନ କିନ୍ନରମାନେ ମୁଖ୍ୟ ସ୍ରୋତରେ ରହି ନିଜକୁ ସ୍ୱାଭିମାନ ସହ ବଞ୍ଚିବା ପାଇଁ ପସନ୍ଦ କରୁଛନ୍ତି । ବହୁତ କିନ୍ନର ମଧ୍ୟ ଅନ୍ୟ କିନ୍ନରଙ୍କୁ ବିବାହ କରି ରହୁଛନ୍ତି  । ତେଣୁ ଚଳିତ ବର୍ଷ କରୋନାକୁ ନେଇ କିନ୍ନରମାନେ ଅନେକ ସଚେତନତା କରିଥିବା ବେଳେ ସାବିତ୍ରୀରେ ବି ନିଜ ମା’ଙ୍କ ସହ ସମଗ୍ର ବିଶ୍ୱର ଭାଇ ଭଉଣୀମାନେ କିଭଳି କରୋନା ମହାମାରୀରୁ ରକ୍ଷା ପାଇବେ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି,’’ କହିଛନ୍ତି କିନ୍ନର ଗୁରୁ ପ୍ରିୟାଂଶୀ   ।

ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ।


ନୃତ୍ୟାଙ୍ଗନାମାନେ ମଧ୍ୟ ସାବିତ୍ରୀ ବ୍ରତରେ ନିଜ ଗୁରୁଙ୍କୁ ପୂଜା କରିଛନ୍ତି । ସାବିତ୍ରୀ ବ୍ରତ କେବଳ ସ୍ୱାମୀ ଓ ସ୍ତ୍ରୀର ପବିତ୍ର ବନ୍ଧନକୁ ନେଇ ବ୍ରତ ନୁହେଁ । ଗୁରୁ ଓ ଶିଷ୍ୟଙ୍କର ଅତୁଟ ବନ୍ଧନର ପର୍ବ । ଶ୍ରୀମନ୍ଦିରର ଦେବଦାସୀ ଶଶିମଣୀ ତାଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଇଁ ସାବିତ୍ରୀ ବ୍ରତ କରୁଥିଲେ । ଆଜି ସେ ଆରପାରିରେ । ମାତ୍ର ତାଙ୍କର ଶିଷ୍ୟା ତଥା ଝିଅ ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ନିଜ ଗୁରୁଙ୍କ ପାଇଁ କରିଛନ୍ତି ସାବିତ୍ରୀ ବ୍ରତ  । ପ୍ରତି ବର୍ଷ ସାବିତ୍ରିରେ ସେ ଯେଭଳି ନିଜ ଗୁରୁ ଶଶୀମଣୀଙ୍କୁ ନୁଆ ଲୁଗା ଓ ଅଳତା ଲଗେଇ ସଜେଇ ଦେଉଥିଲେ ଆଜି ଠିକ ସେହିଭଳି ଶିଳକୁ ପୂଜା କରି ଗୁରୁଙ୍କୁ ମନେପକାଇଛନ୍ତି  ।

ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟାଙ୍ଗନା ରୋଜାଲିନ ମହାନ୍ତି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ।


‘‘ସାବିତ୍ରୀ ବ୍ରତ ଖାଲି ସ୍ୱାମୀ ପାଇଁ ନୁହେଁ, ନିଜ ଗୁରୁଙ୍କ ପାଇଁ ବି ବ୍ରତ କରିବାର ଦିନଟିଏ । କରୋନା ଲକଡାଉନ ଥିବାରୁ ମନ୍ଦିରକୁ ନ ଯାଇ ମୁଁ ଘରେ ଠାକୁରଙ୍କୁ ପୂଜା କରିବା ସହ ଗୁରୁଙ୍କୁ ପୂଜା କରି ସାବିତ୍ରୀ ବ୍ରତ ପାଳନ କରିଛି । କରୋନା ମହାମାରୀ କିଭଳି ହଟିବ ସେ ନେଇ ମହାପ୍ରଭୁଙ୍କ ପାଖରେ ଦୀପଜାଳି ପ୍ରାର୍ଥନା କରିଛି,’’ କହିଛନ୍ତି ମାହାରୀ ନୃତ୍ୟାଙ୍ଗନା ରୂପଶ୍ରୀ ମହାପାତ୍ର ।

ନୃତ୍ୟାଙ୍ଗନାମାନଙ୍କର ସବୁ ଠୁ ବେଶୀ ସମ୍ମାନ ରହିଥାଏ ଗୁରୁଙ୍କ ପ୍ରତି । ‘‘ବିବାହ କରି ସଂସାର କଲେ ମଧ୍ୟ ଓଡିଶୀ ନୃତ୍ୟ ହେଉଛି ସେମାନଙ୍କର ସ୍ୱାମୀ । ସେହି ପରମ୍ପରାରେ ସାବିତ୍ରୀ ବ୍ରତ ଦିନ ଗୁରୁଙ୍କୁ ପୂଜା କରିବା ହେଉଛି ଶାଶ୍ୱତ ଓ ନିବଡ଼ ସମ୍ପର୍କର ନିଦର୍ଶନ,’’ କହିଛନ୍ତି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟାଙ୍ଗନା ରୋଜାଲିନ ମହାନ୍ତି  ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 8:18 PM IST
corona virus btn
corona virus btn
Loading