କରୋନା ପାଇଁ ବଡ଼ ନିଷ୍ପତ୍ତି: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶ ସାରା ଟ୍ରେନ୍ ଚଳାଚଳ ବନ୍ଦ୍ ରହିବ

ଦିନକୁ ଦିନ ଭାରତରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଓ ଟ୍ରେନରେ ଭିଡ଼ ଯୋଗୁଁ ଏହା ଆହୁରି ବଢ଼ିବାର ସମଭାବନା ଥିବାରୁ ମେଲ ଓ ସୁପରଫାଷ୍ଟ ଆଦି ସବୁ ଯାତ୍ରୀବାହୀ ଟ୍ରେନ୍ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ନାହିଁ । କେବଳ ମାଲ୍ ଗାଡ଼ି ଚାଲିବ ।

କରୋନା ପାଇଁ ବଡ଼ ନିଷ୍ପତ୍ତି: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶ ସାରା ଟ୍ରେନ୍ ଚଳାଚଳ ବନ୍ଦ୍ ରହିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 22, 2020, 5:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୩୪୧କୁ ବୃଦ୍ଧି ପାଇଥିବାରୁ ଏହି ସଂକ୍ରମଣର ପ୍ରସାରକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରଣାଳୟ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ପରିଚାଳନକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଅର୍ଥାତ୍ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ ଟ୍ରେନ୍ ଚଳାଚଳ କରିବ ନାହିଁ ।

ମେଲ୍‌ ଓ ସୁପରଫାଷ୍ଟ ଆଦି କୌଣସି ଯାତ୍ରୀବାହୀ ଟ୍ରେନ୍ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ନାହିଁ । ଏହି ସମୟ ମଧ୍ୟରେ କେବଳ ମାଲ୍‌ ଗାଡ଼ି ଚାଲିବ । ସାଧାରଣ ଜନତାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଟ୍ରେନଗୁଡ଼ିକରେ ସାଧାରଣତଃ ଭିଡ଼ ରହିଥାଏ । ପ୍ରାୟ ସବୁ କୋଚ୍ ଯାତ୍ରୀରେ ଭରା ହୋଇଥାଏ । ଏମିତି ସ୍ଥିତିରେ ସଂକ୍ରମଣ ଆହୁରି ବ୍ୟାପି ଦେଶରେ ପରିସ୍ଥିତି ଅତ୍ୟନ୍ତ ମାରାତ୍ମକ ରୂପ ନେଇପାରେ ବୋଲି ଅନୁମାନ କରି ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ରେଳବାଇ ଅନେକ ଟ୍ରେନ୍ ବାତିଲ କରି ଶୁକ୍ରବାର ଦିନ ହିଁ ସେବା କମ୍‌ କରିଦେଇଥିଲା, କିନ୍ତୁ ପୂର୍ବରୁ ଯାତ୍ରା ଆରମ୍ଭ କରିସାରିଥିବା ଟ୍ରେନ୍ଗୁଡ଼ିକୁ ଚାଲିବାକୁ ଅନୁମତି ଦିଆଯାଇଥିଲା । ଏବେ ରେଳବାଇର ନୂଆ ଆଦେଶ ଅନୁଯାୟୀ ଆଜି (୨୨ ମାର୍ଚ୍ଚ) ମଧ୍ୟରାତ୍ରିରୁ ୩୧ ମାର୍ଚ୍ଚ ମଧ୍ୟରାତ୍ରି ପର୍ଯ୍ୟନ୍ତ କେବଳ ମାଲ୍‌ ଗାଡ଼ି ହିଁ ଚାଲିବ ।

ଭାରତୀୟ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ ଅତି ସର୍ବନିମ୍ନ ଉପାନ୍ତ (ସବରବାନ୍‌) ଟ୍ରେନ୍‌ ଓ କୋଲକାତା ମେଟ୍ରୋ ରେଳ ସେବା ୨୨ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ ଏହି ସେବାଗୁଡିକ ୩୧ ମାର୍ଚ୍ଚ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ ରହିବ ।

ରେଲୱେ ବୋର୍ଡ଼ ଜାରି କରିଥିବା ନିର୍ଦ୍ଦେଶର ଚିଠି


ପୂର୍ବରୁ କରୋନା ାଇରସର ପ୍ରସାରକୁ ରୋକିବା ପାଇଁ ରେଳବାଇ ୨୧ ମାର୍ଚ୍ଚ ଶନିବାର ରାତିରୁ ୨୨ ମାର୍ଚ୍ଚ ରବିବାର ରାତି ୧୦ଟା ପର୍ଯ୍ୟନ୍ତ ଦେଶରେ ସବୁ ଯାତ୍ରୀବାହୀ ଟ୍ରେନକୁ ବାତିଲ କରି ଦେଇଥିଲା ।

ମହାରାଷ୍ଟ୍ର ସରକାର ସାଧାରଣ ଲୋକଙ୍କ ପାଇଁ ମୁମ୍ବାଇର ସ୍ଥାନୀୟ ଟ୍ରେନ୍ ସେବାକୁ ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୬ଟାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି । ତେବେ ସବୁ ଲୋକଙ୍କ ପାଇଁ ମୁମ୍ବାଇ ଲୋକାଲ ଯାତ୍ରା ବନ୍ଦ ହୋଇନାହିଁ କାରଣ ଅନେକ ସରକାରୀ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏହା ସାହାଯ୍ୟରେ ନିଜ କାର୍ଯ୍ୟ ସ୍ଥାନକୁ ଆସନ୍ତି । ଏଭଳି ପରିସ୍ଥିତିରେ କେବଳ ଜରୁରୀ ସେବା ସହିତ ସଂଯୁକ୍ତ ଥିବା ଲୋକଙ୍କୁ ଆଗାମୀ ଆଠ ଦିନ ପାଇଁ ମୁମ୍ବାଇର ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ।
First published: March 22, 2020, 5:22 PM IST