ମହାରାଷ୍ଟ୍ରରୁ ପ୍ରବାସୀଙ୍କୁ ନେଇ ବଲାଙ୍ଗିର ପହଞ୍ଚିଲା ଟ୍ରେନ୍‌; ଟିଟିଲାଗଡ଼ରେ କର୍ଫ୍ୟୁ ଜାରି ହେଲା

ଏହି ଟ୍ରେନରେ ଓଡ଼ିଶାର ୨୮ଟି ଜିଲ୍ଲାରୁ ପାଖାପାଖି ୧,୨୦୦ ଲୋକ ଆସିଛନ୍ତି । ସେମାନଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରାଯାଇଛି । କର୍ଫ୍ୟୁରୁ ଔଷଧ ଦୋକାନ ଓ ଆମ୍ବୁଲାନ୍ସ ଭଳି ଜରୁରୀ ସେବାକୁ ବାଦ ଦିଆଯାଇଛି ।

ମହାରାଷ୍ଟ୍ରରୁ ପ୍ରବାସୀଙ୍କୁ ନେଇ ବଲାଙ୍ଗିର ପହଞ୍ଚିଲା ଟ୍ରେନ୍‌; ଟିଟିଲାଗଡ଼ରେ କର୍ଫ୍ୟୁ ଜାରି ହେଲା
ଟିଟିଲାଗଡ଼ରେ ଟ୍ରେନରୁ ଓହ୍ଲାଉଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ସହରରେ କର୍ଫ୍ୟୁ ଜାରି ହୋଇଛି । ସକାଳ ୯ଟାରୁ ଏହି କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୧୨ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ଟିଟିଲାଗଡ଼କୁ ଟ୍ରେନ୍‌ରେ ପ୍ରବାସୀ ଓଡ଼ିଆ ଫେରିଥିବାରୁ ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ ।

ମହାରାଷ୍ଟ୍ରର ପାନଭେଲରୁ ଏକ ଟ୍ରେନ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆଜି ମଧ୍ୟାନ୍ନରେ ଟିଟିଲାଗଡ଼ ପହଞ୍ଚିଛି । ଏହି ଟ୍ରେନରେ ଓଡ଼ିଶାର ୨୮ଟି ଜିଲ୍ଲାରୁ ପାଖାପାଖି ୧,୨୦୦ ଲୋକ ଅଛନ୍ତି । ଶ୍ରମିକ ମାନେ ପହଞ୍ଚିବା ପରେ ସେମାନଙ୍କୁ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରାଯାଇଛି ।

ବଲାଙ୍ଗିର ଜିଲ୍ଲାର କୋଭିଡ-୧୯ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସୁଶୀଲ ଲୋହାନୀ, ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସ୍.ପି. ସନ୍ଦୀପ ମଡକର ଟିଟିଲାଗଡ ରେଳ ଷ୍ଟେସନରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଶ୍ରମିକମାନେ ଷ୍ଟେସନରେ ଓହ୍ଲାଇବା ଠାରୁ ଆରମ୍ଭ କରି ବସ୍‌ରେ ଚଢିବା ଯାଏଁ ସବୁ ପ୍ରକାର ବନ୍ଦୋବସ୍ତର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । କର୍ଫ୍ୟୁରୁ ଔଷଧ ଦୋକାନ ଓ ଆମ୍ବୁଲାନ୍ସ ଭଳି ଜରୁରୀ ସେବାକୁ ବାଦ ଦିଆଯାଇଛି ।

କର୍ଫ୍ୟୁ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ପୋଲିସ୍ କର୍ମୀମାନେ ।


ଏହା ବି ପଢ଼ନ୍ତୁ: ପ୍ରବାସୀ ଓଡ଼ିଆ ଫେରିପାରିବେ; ହାଇ କୋର୍ଟ ରାୟ ଉପରେ ସୁପ୍ରିମ କୋର୍ଟଙ୍କ ରହିତାଦେଶ

ଏହା ବି ପଢ଼ନ୍ତୁ:  ଢେଙ୍କାନାଳରେ ଚିନି କଳ ପରିସରରେ ୩ ଜଣ ବିହାରୀ ଟ୍ରକ୍ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଆଜି ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ଘଟଣା । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃ୍ଦ୍ଧି ପାଇଛି । ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ ବି ଆଜି ଘଟିଛି । ମୃତକ ଗଞ୍ଜାମ ଜିଲ୍ଲାର । ଆଜି ନୂଆ ଜିଲ୍ଲା ଭାବେ ଅନୁଗୁଳକୁ ବି ଛୁଇଁଛି କରୋନା ଭାଇରସ୍‌ ସଂକ୍ରମଣ ।

ଆଜିର ନୂଆ ୫୮ଟି ସଂକ୍ରମଣ ମାମଲା ମଧ୍ୟରୁ ଗଞ୍ଜାମରେ ୨୯ ଜଣ ସୁରନ୍ତ ଫେରନ୍ତା, ବାଲେଶ୍ବରର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକ ଫେରନ୍ତା ଓ ୧୦ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବା ବେଳେ ଅନୁଗୁଳର ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜଣେ ନୂଆ ପଜିଟିଭ ମଧ୍ୟ ସୁରତ ଫେରନ୍ତା ।

ବାଲେଶ୍ବର ଜିଲ୍ଲାର ସମସ୍ତ ପଜିଟିଭ ବ୍ୟକ୍ତି ଭୋଗରାଇ ବ୍ଲକର । ସେମାନେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଚିକିତ୍ସା ପାଇଁ ସମସ୍ତଙ୍କୁ କଟକର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଉପଜିଲ୍ଲାପାଳ ନିଲୁ ମହାପାତ୍ର । ଅନୁଗୁଳ ଜିଲ୍ଲାର ଜଣେ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତିକୁ ଛାଡ଼ି ବାକି ସମସ୍ତେ କ୍ବାରେଣ୍ଟାଇନରେ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ମାମଲାଗୁଡ଼ିକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଥିବା ବେଳେ ବାଲେଶ୍ବରରେ ଏହି ସଂଖ୍ୟା ୪୨ ଛୁଇଁଛି । ସେହି ପରି ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ: ଶୀଘ୍ର ଖୋଲିବ ରାଜ୍ୟରେ ସବୁ ମଦ ଦୋକାନ; ମଦର ଦାମ୍‌ ୨୫% ପର୍ଯ୍ୟନ୍ତ ବଢ଼ିପାରେ

ଏହା ବି ପଢ଼ନ୍ତୁ: ଅମିତ ଶାହା କହିଲେ ସେ ପୂରା ସୁସ୍ଥ ଅଛନ୍ତି; ଗୁଜବ ପ୍ରଚାର ପାଇଁ ୪ ଜଣଙ୍କୁ ଅଟକ ରଖାଗଲା

 
First published: May 10, 2020, 3:10 PM IST
corona virus btn
corona virus btn
Loading