ହ୍ୟାପି ବର୍ଥ ଡେ ଭୁବନେଶ୍ୱର! ଆଜି ରାଜଧାନୀର ପ୍ରତିଷ୍ଠା ଦିବସ, ହେଲେ କରୋନା ପାଇଁ ସବୁ ଫିକା ପଡ଼ିଛି

ଏପ୍ରିଲ ୧୩, ୧୯୪୮ରେ ମନ୍ଦିରମାଳିନୀ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ଭାବେ ପରିଚୟ ପାଇଥିଲା । ଏହାର ଶିଳାନ୍ୟାସ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ।

ହ୍ୟାପି ବର୍ଥ ଡେ ଭୁବନେଶ୍ୱର! ଆଜି ରାଜଧାନୀର ପ୍ରତିଷ୍ଠା ଦିବସ, ହେଲେ କରୋନା ପାଇଁ ସବୁ ଫିକା ପଡ଼ିଛି
ଭୁବନେଶ୍ୱରର ପ୍ରେସ୍‌ ଛକରେ ବଡ଼ ବଡ଼ ଅକ୍ଷରରେ ଲେଖାଥିବା ସହରର ନାଆଁ
  • News18 Odia
  • Last Updated: April 13, 2020, 7:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ୭୨ତମ ପ୍ରତିଷ୍ଠା ଦିବସ । ଏହି ୭୨ ବର୍ଷର ଲମ୍ବା ଯାତ୍ରାରେ ଏ ସହର ଦେଖିଛି ଅନେକ ପରିବର୍ତ୍ତନ। ମନ୍ଦିରମାଳିନୀ ଭୁବନେଶ୍ୱର ଏବେ ସ୍ମାର୍ଟ ସିଟି ରେ ପରିଣତ ହୋଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ... ସବୁଥିରେ ଆସିଛି ଢେର୍‌ ପରିବର୍ତ୍ତନ। ବଦଳି ଯାଇଛି ସହରର ରୂପରେଖ । ୭୨ ବର୍ଷ ତଳେ ମାତ୍ର ୪୦,୦୦୦ ଲୋକଙ୍କୁ ଧରି ଭବିଷ୍ୟତର ସ୍ୱପ୍ନ ଦେଖିଥିବା ଭୁବନେଶ୍ୱରରେ ଏବେ ୧୦ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି ।

୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓଡ଼ିଶାର ନୂତନ ରାଜଧାନୀ ଭାବେ ପରିଚୟ ପାଇଥିଲା । ଏହାର ଶିଳାନ୍ୟାସ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ । ସେହି ଦିନରୁ ଏପ୍ରିଲ ୧୩ ତାରିଖକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ପ୍ରତି ବର୍ଷ ବେଶ୍‌ ଆଡ଼ମ୍ବର ସହ ଏହି ଦିନକୁ ପାଳନ କରିଥାଏ । ରାଜ୍ୟ ସରକାର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବେସାମରିକ ପ୍ୟାରେଡ଼, ଅଲୋକ ସଜ୍ଜା ଓ ରାଜଧାନୀ ମହୋତ୍ସବ ଆୟୋଜନ କରେ । କିନ୍ତୁ ଏ ବର୍ଷ କରୋନାର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶ ଥରହର ହେଉଥିବା ବେଳେ ଓ ଦେଶବ୍ୟାପୀ ଲକଡ଼ାଉନ ଜାରି ହୋଇଥିବାରୁ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନି ।

‘‘ଏହି ଦିବସର ମହତ୍ତ୍ୱ ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ଵରର ସର୍ବାଙ୍ଗୀନ ଯୋଜନାବଦ୍ଧ ବିକାଶ ନିମନ୍ତେ ସଙ୍କଳ୍ପବଦ୍ଧ ପ୍ରୟାସ ଜାରି ରଖିବାକୁ ଏବଂ ଖୁବ୍‌ ଶୀଘ୍ର ବିଶ୍ୱ, ଦେଶ ତଥା ରାଜ୍ୟବାସୀଙ୍କୁ ମହାମାରୀ କରୋନା କବଳରୁ ମୁକ୍ତି ଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରୁଛି,’’ କହିଛନ୍ତି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ସଭାପତି ପ୍ରଦୋଷ ପଟ୍ଟନାୟକ।

ଭୁବନେଶ୍ୱର ସହରର ଏକ ଆକାଶୀୟ ଫଟୋ । ଲକଡାଉନ୍ ଯୋଗୁଁ ରାସ୍ତା ସବୁ ଖାଲି ଅଛି ।


କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି କହିଛନ୍ତି: ‘‘ଭବିଷ୍ୟତରେ ସମୟ ସୁବିଧାକୁ ଦୃଷ୍ଟିରେ ରଖି କେବଳ ରାଜଧାନୀ ମହୋତ୍ସବ ଆୟୋଜନ କରିବା ପାଇଁ କମିଟି ବିଚାର କରିବ। ଏଥି ସହ ଏଭଳି ଅନିଚ୍ଛାକୃତ ପଦକ୍ଷେପ ପାଇଁ କମିଟି ଦୁଖପ୍ରକାଶ କରିବା ସହ ସହରର ବିକାଶ ଓ ସମୃଦ୍ଧି କାମନା କରୁଛି ।’’

ଏହି ୭୨ ବର୍ଷରେ ଅନେକ ସଫଳତା ସାଉଁଟିଛି ଭୁବନେଶ୍ୱର । କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲିଖୁଣ୍ଟ ସୃଷ୍ଟି କରିଛି । ଦେଶର କ୍ରୀଡ଼ା କ୍ୟାପିଟାଲ ଭାବେ ପରିଚୟ ପାଇଛି ଭୁବନେଶ୍ୱର । ଅନ୍ତର୍ଜାତୀୟ ଭିତ୍ତିଭୂମି ସହ ଅତ୍ୟାଧୁନିକ କ୍ରୀଡ଼ା ସରଞ୍ଜାମ ପାଇଁ ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଏହି ସହର । ସେହିପରି ଏମ୍ସ, ଆମରି ଓ ଆପୋଲୋ ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସଂସ୍ଥା ସ୍ଥାପିତ ହେବା ପରେ ଲୋକଙ୍କୁ ହାତପହନ୍ତରେ ମିଳିଛି ସ୍ୱାସ୍ଥ୍ୟ ସୁବିଧା । ଆଇଆଇଟି, ଆଇଆଇଏମ ଓ ନାଇଜର ଭଳି ସଂସ୍ଥା ସ୍ଥାପିତ ହୋଇ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଘଟିଛି । ସହଜ ହୋଇଛି ଗମନାଗମନ । ‘ମୋ’ ବସ୍‌’ ସେବା ଦ୍ୱାରା ଉପକୃତ ହେଉଛନ୍ତି ରାଜଧାନିବାସୀ ।

ଏତେ ସଫଳତା ଭିତରେ ବି ସହର ଦେଖିଛି ବହୁତ ଦୁଃଖ । କଳେବର ବଢ଼ିଛି ସତ, ହେଲେ ମନ୍ଦିରମାଳିନୀ ଏହି ସହର ଏବେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ହଜିବାରେ ଲାଗିଛି ସହରର ସବୁଜିମା । ଚାରିଆଡେ ଖାଲି ସୁଉଚ୍ଚ ଅଟାଳିକା । ବର୍ଷା ଦିନେ କୃତ୍ରିମ ବନ୍ୟା ସହରବାସୀଙ୍କ ନିଦ ହଜାଉଛି । ଜବରଦଖଲ ଓ ଡ୍ରେନେଜ ସମସ୍ୟା ନିତିଦିନିଆ ଘଟଣା ପାଲଟିଛି । ଭୁବନେଶ୍ୱର ଅନେକ ସଫଳତା ପାଇଛି ସତ, ହେଲେ ତାକୁ ଯିବାକୁ ଅଛି ଆହୁରି ଅନେକ ବାଟ ।
First published: April 13, 2020, 7:20 PM IST
corona virus btn
corona virus btn
Loading