କରୋନା ଭାଇରସ୍ ଯୋଗୁଁ ବଦଳିଲା ଭୁବନେଶ୍ୱରରେ ହାଟର ସମୟ: ସନ୍ଧ୍ୟା ବଦଳରେ ସକାଳ

ନୂଆ ନିୟମ ଅନୁସାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ ହାଟ । ସନ୍ଧ୍ୟା ପରେ ଆଉ ଆଗ ପରି ଖୋଲା ରହିବ ନାହିଁ ହାଟ । ଅକାରଣ ବ୍ୟସ୍ତ ହୋଇ ଆବଶ୍ୟକତା ଠାରୁ ଅଧିକ ଜିନିଷ ନ କିଣିବାକୁ ଲୋକଙ୍କୁ ଉପଦେଶ ଦିଆଯାଇଛି ।

କରୋନା ଭାଇରସ୍ ଯୋଗୁଁ ବଦଳିଲା ଭୁବନେଶ୍ୱରରେ ହାଟର ସମୟ: ସନ୍ଧ୍ୟା ବଦଳରେ ସକାଳ
ଭୁବନେଶ୍ୱରରେ ଏକ ପରିବା ମାର୍କେଟର ଦୃଶ୍ୟ
  • News18 Odia
  • Last Updated: March 20, 2020, 1:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଥିବା ହାଟଗୁଡ଼ିକ ବି କରୋନା ଭାଇରସ୍‌ ଯୋଗୁଁ ଲାଗୁ ହୋଇଥିବା କଟକଣା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏଣିକି ସନ୍ଧ୍ୟା ନୁହେଁ ସକାଳେ ଖୋଲିବ ହାଟ । କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ବିଏମ୍‌ସି ପକ୍ଷରୁ ବୁଧବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଆଉ ଏହା ଗୁରୁବାର ଠାରୁ କାର୍ଯ୍ୟକ୍ଷମ ହୋଇଛି । ସେଇଥି ପାଇଁ ଅନେକ ସ୍ଥାନରେ ଗୁରୁବାର ସକାଳୁ ଖୋଲିଥିଲା ହାଟ ।

କଟକଣା ପରେ ଲାଗୁ ହୋଇଥିବା ନିୟମ ଅନୁସାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ ହାଟ । ସନ୍ଧ୍ୟା ପରେ ଆଉ ଆଗ ପରି ଖୋଲା ରହିବନି ହାଟ । ତେଣୁ ଦିନ ସାରା ଭିତରେ ଆପଣ ଯେତେବେଳେ ସମୟ ପାଇବେ ନିରୋଳାରେ ଆସି ହାଟ କରି ପାରିବେ । ମାର୍ଚ୍ଚ ୩୧ ତାରିଖ ଯାଏ ଏହି ନୂଆ ସମୟ ଅନୁସାରେ ଚାଲିବ ହାଟ ।

‘‘ବିଏମ୍‌ସିର ଏହି ପଦକ୍ଷେପ ସ୍ବାଗତଯୋଗ୍ୟ । ଦିନ ବେଳା ଗରମ ପାଗ ରହୁଛି । ତେଣୁ ଗରମ ପାଗରେ ଭାଇରସ୍‌ ସଂକ୍ରମଣର ସମ୍ଭାବନା କମ୍‌ । ତେଣୁ ସନ୍ଧ୍ୟା ପରିବର୍ତ୍ତେ ଦିନବେଳା ହାଟର ନିଷ୍ପତ୍ତି ଖୁବ୍‌ ଭଲ । ତଥାପି ଆମକୁ ସ୍ବଚ୍ଛତା ରକ୍ଷା କରିବାକୁ ହେବ,’’ କହିଛନ୍ତି କଲେଜ ଛାତ୍ରୀ ପ୍ରୀତିପର୍ଣ୍ଣା । ସହିଦ ନଗର ବାସିନ୍ଦା ଓ ବରିଷ୍ଠ ନାଗରିକ ଦୀନବନ୍ଧୁ କହିଛନ୍ତି: ‘‘ଏହି ନିଷ୍ପତ୍ତିରୁ ସାମାନ୍ୟ ସମସ୍ୟା ଉପୁଜିବ । ବିଶେଷ କରି କର୍ମଜୀବୀମାନେ ଦିନବେଳା ହାଟ କରିବାକୁ ସମୟ ପାଇବେନି । ହେଲେ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ କାରଣ ଜୀବନ ଆଗ, ବାକି ସବୁ କିଛି ପଛରେ ।’’

କରୋନା ଭାଇରସର ପ୍ରସାର ରୋକିବା ପାଇଁ ଥିବା ଗାଇନଲାଇନ ଅନୁଯାୟୀ ଲୋକେ ପରସ୍ପର ଠାରୁ ଗୋଟେ ମିଟର ଦୂରତ୍ବ ରଖିବା କଥା । କିନ୍ତୁ ହାଟରେ ଅହେତୁକ ଗହଳି ରହୁଥିବାରୁ ଏହି ଦୂରତା ରକ୍ଷା କରିବା ଅସମ୍ଭବ ହୋଇଥାଏ । ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

‘‘କରୋନା ଭାଇରସର ପ୍ରଭାବରେ କିଛି ଦିନ ହେଲା ଧୀରେ ଧୀରେ ହାଟରୁ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି । ପୂର୍ବ ଅପେକ୍ଷା ୫୦ ପ୍ରତିଶତ କମିଯାଇଛି ବେପାର । ଏଭଳି ପରିସ୍ଥିରେ ପରିବର୍ତ୍ତିତ ସମୟ ବ୍ୟବସାୟ ଉପରେ ପ୍ରଭାବ ପକାଇବ । କିନ୍ତୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ,’’ କହିଛନ୍ତି ପରିବା ବ୍ୟବସାୟୀ ଦିଲିପ ସାହୁ । ‘‘ବ୍ୟବସାୟରେ କ୍ଷତି ହେଉ ପଛେ କେହି କରୋନାରେ ଆକ୍ରାନ୍ତ ନ ହୁଅନ୍ତୁ । ସେଥି ପାଇଁ ସମସ୍ତେ ସତର୍କ ରହିବା ଜରୁରୀ,’’ ସେ କହିଛନ୍ତି ।

ୟୁନିଟ-୧ ଡେଲି ମାର୍କେଟ, ୟୁନିଟ-୨ ମାର୍କେଟ, ସହିଦ ନଗର ଡେଲି ମାର୍କେଟ, ରୁଚିକା ମାର୍କେଟ, ପୁରୁଣା ଭୁବନେଶ୍ବର ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ, ଡମଣା ହାଟ, ସୁନିଟ-୩ ଡେଲି ମାର୍କେଟ, ବାପୁଜୀନଗର କିଓସ୍କ, ଗଣ୍ଡମୁଣ୍ଡା, ଶିରିପୁର, ବିଜେବିନଗର, ଭିଏସ୍‌ଏସ୍‌ ନଗର, ନାଗେଶ୍ବରଟାଙ୍ଗୀ ଓ ମା’ କୋଚିଲେଇ ଡେଲି ମାର୍କେଟ, କପିଳପ୍ରସାଦ ସାପ୍ତାହିକ ମାର୍କେଟ, ୟୁନିଟ-୪ ଡେଲି ମାର୍କେଟ ଆଦି ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ । ସନ୍ଧ୍ୟା ୬ ଟା ପରେ ସମସ୍ତ ହାଟ ବନ୍ଦ ରହିବ ।

ହାଟର ସମୟ କେବଳ ବଦଳିଛି ଓ ହାଟ ସଂପୂର୍ଣ୍ଣ ବନ୍ଦ ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ତେଣୁ ଭୟଭୀତ ନ ହୋଇ ଆବଶ୍ୟକତା ଅନୁସାରେ ଲୋକେ ଜିନିଷ କିଣିବା ଉଚିତ ବୋଲି କହିଛନ୍ତି ବିଏମସି ଅଧିକାରୀମାନେ । ‘‘ବ୍ୟସ୍ତ ହୋଇ ଆବଶ୍ୟକତା ଠାରୁ ଅଧିକ ଜିନିଷ ନେବା ଠିକ୍‌ ନୁହେଁ । ବଜାରରେ ଯଥେଷ୍ଟ ପରିମାଣର ସାମଗ୍ରୀ ମହଜୁଦ ରହିଛି । କଳାବଜାରୀ ଉପରେ ବି ନଜର ରଖାଯାଇଛି,’’ କହିଛନ୍ତି ଜଣେ ଅଧିକାରୀ ।
First published: March 20, 2020, 1:48 AM IST