ନନ୍ଦନ କାନନରେ ବାଘ ଛୁଆ ବାହୁବଳୀକୁ ଦେଖିବାକୁ ପର୍ଯ୍ୟଟକମାନଙ୍କ ଆଗ୍ରହ ବଢ଼ି ଚାଲିଛି

ପ୍ରାୟ ସାଢ଼େ ଛଅ ମାସ ପରେ ପ୍ରାଣୀ ଉଦ୍ୟାନ ଖୋଲିଥିବାରୁ ଉତ୍ସାହିତ ଅଛନ୍ତି ପର୍ଯ୍ୟଟକମାନେ । ଅନଲାଇନ ମାଧ୍ୟମରେ ହେଉ କି ଅଫଲାଇନ ମାଧଅୟମରେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରିବା ପରେ ଭିତରକୁ ପ୍ରବେଶ ମିଳୁଛି ।

ନନ୍ଦନ କାନନରେ ବାଘ ଛୁଆ ବାହୁବଳୀକୁ ଦେଖିବାକୁ ପର୍ଯ୍ୟଟକମାନଙ୍କ ଆଗ୍ରହ ବଢ଼ି ଚାଲିଛି
ନନ୍ଦନ କାନନ ପ୍ରାଣୀ ଉଦ୍ୟାନର ମୁଖ୍ୟ ଫାଟକ
  • News18 Odia
  • Last Updated: October 5, 2020, 10:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରାୟ ସାଢ଼େ ଛଅ ମାସ ପରେ ଖୋଲିଛି ନନ୍ଦନ କାନନ ପ୍ରାଣୀ ଉଦ୍ୟାନ। ସମ୍ପୂର୍ଣ୍ଣ କୋଭିଡ-୧୯ ଗାଇଡ଼ଲାଇନ ଅନୁଯାୟୀ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ସାନିଟାଇଜେସନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପର୍ଯ୍ୟଟକମାନଙ୍କ ମନ କିଣିଛି ବାଘ ଛୁଆ ବାହୁବଳୀ । ଅଧିକାଂଶ ପର୍ଯ୍ୟଟକ ସେହି କୌତୁକିଆ ବାଘ ଛୁଆକୁ ଦେଖିବାକୁ ବ୍ୟାକୁଳ ଥିବା ଦେଖାଯାଉଛି ।

‘‘ବାଘ ଛୁଆ ବାହୁବଳୀ କଥା ଶୁଣିଥିଲୁ । ଆଜି ତାକୁ ଦେଖି ଖୁସି ଲାଗୁଛି,’’ କହିଛନ୍ତି ନିଜ ବାପା ମାଆ ଓ ପରିବାର ସହ ଆସିଥିବା ସ୍କୁଲ ଛାତ୍ରୀ ସୁଶ୍ରୀ । ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ କରୋନା ସମ୍ବନ୍ଧୀୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ଓ ପର୍ଯ୍ୟଟକଙ୍କୁ ସଚେତନ କରାଉଛନ୍ତି ବୋଲି ସେ କହିଛନ୍ତି । ବିନା ମାସ୍କରେ ପ୍ରାଣୀ ଉଦ୍ୟାନକୁ ଏଣ୍ଟ୍ରି ନାହିଁ।

ହାତରେ ଗ୍ଲୋଭସ ଓ ମୁହଁରେ ମାସ୍କ । ତା’ ସହ ପ୍ରତ୍ୟେକ କର୍ମଚାରୀଙ୍କ ମୁଁହରେ ଫେସ ସିଲଡ଼। ସାଢ଼େ ଛଅ ମାସ ପରେ ରବିବାର ଠାରୁ ଖୋଲିଛି ନନ୍ଦନ କାନନ। ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଛି । ଭିଡ ବଢ଼ିବା ଆଶା କରାଯାଉଥିବାରୁ କୋଭିଡ ଗାଇଡ଼ଲାଇନ ଭିତରେ ଜନ ସମାଗମକୁ ପରିଚାଳନା କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅନଲାଇନ ହେଉ କି ଅଫଲାଇନ, ପ୍ରାଣୀ ଉଦ୍ୟାନକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଉଛି। ପରେ ଟିକେଟ କାଉଣ୍ଟରକୁ ଏଣ୍ଟ୍ରି ମିଳୁଛି । ଟିକେଟ କରିସାରିବା ପରେ ପ୍ରାଣୀ ଉଦ୍ୟାନକୁ ପ୍ରବେଶ ଅନୁମତି ରହିଛି।

ଶତାଧିକ ପର୍ଯ୍ୟଟକ ଅଫଲାଇନ ଟିକେଟ କରି ପ୍ରାଣୀଉଦ୍ୟାନ ବୁଲିଛନ୍ତି।


‘‘ଗେଟ ପାଖରେ ସ୍ୱତନ୍ତ୍ର ଭାବେ ଅଟୋମେଟିକ ସାନିଟାଇଜ ମେସିନ କାର୍ଯ୍ୟକ୍ଷମ କରାଯାଇଛି। ଚାମ୍ବର ଭିତରେ ପ୍ରବେଶ କଲେ ସେନସର ଜରିଆରେ ସାନିଟାଇଜର ସ୍ପ୍ରେ ହେଉଛି। କୌଣସି ଗାଡ଼ି ପ୍ରବେଶ କରିବାକୁ ଥିଲେ ପ୍ରଥମେ ତାକୁ ସାନିଟାଇଜ କରାଯାଉଛି,’’ କହିଛନ୍ତି ଗେଟ୍‌-କିପର ରାଜକିଶୋର ଜେନା।

ପ୍ରାୟ ସାଢ଼େ ଛଅ ମାସ ପରେ ପ୍ରାଣୀ ଉଦ୍ୟାନ ଖୋଲିଥିବାରୁ ଉତ୍ସାହିତ ଅଛନ୍ତି ପର୍ଯ୍ୟଟକମାନେ । ବର୍ଷା ସତ୍ତ୍ୱେ ରବିବାର ପ୍ରଥମ ଦିନରେ ବି ପ୍ରାଣୀ ଉଦ୍ୟାନକୁ ବୁଲି ଆସିଥିଲେ ଅନେକ ପର୍ଯ୍ୟଟକ। ହେଲେ ଆଗ ପରି ନ ଥିଲା ଭିଡ଼। ପ୍ରଥମ ଦିନରେ ୨୫ ଜଣ ଅନଲାଇନ ଟିକେଟ କରିଥିବା ବେଳେ ଶତାଧିକ ପର୍ଯ୍ୟଟକ ଅଫଲାଇନ ଟିକେଟ କରି ପ୍ରାଣୀଉଦ୍ୟାନ ବୁଲିଛନ୍ତି।

‘‘କରୋନା ପାଇଁ ଘରେ ରହି ରହି ବୋର୍‌ ହେଇଗଲୁଣି। ସଂକ୍ରମଣ ଭୟ ରହିଛି । ତେଣୁ କୁଆଡେ ଯାଇପାରୁନୁ। ଆଜି ନନ୍ଦନ କାନନ ଖୋଲିଛି ବୋଲି ଖୁସିରେ ପରିବାର ସହ ଆସିଛୁ । ପ୍ରାକୃତିକ ପତିବେଶରେ ଟିକେ ସମୟ ବିତାଇ ଭଲ ଲାଗୁଛି,’’ କହିଛନ୍ତି କଟକ ତୁଳସୀପୁର ବାସିନ୍ଦା ରେଖା ।

କୋଲକାତାରୁ ସାଙ୍ଗମାନଙ୍କ ସହ ଛୁଟି କଟାଇବାକୁ ବାହାରି ଆସିଥିବା ରାଜୁ ବୋଷ କହିଛନ୍ତି, ‘‘ପୁରୀ ଯାଇଥିଲୁ, କିନ୍ତୁ ସେଠି ମନ୍ଦିର ବନ୍ଦ। ସମୁଦ୍ର କୂଳରେ ବୁଲିଲୁ। ଆଉ ଏବେ ନନ୍ଦନକାନନ ପ୍ରାଣୀଉଦ୍ୟନରେ ଟିକେ ବୁଲିକି ମନକୁ ରିଫ୍ରେସ କରୁଛୁ ।’’

ନନ୍ଦନକାନନ ଖୋଲିଥିଲେ ବି ସୁରକ୍ଷା ଦୃଷ୍ଟିରୁ ବନ୍ଦ ରହିଛି ସଫାରୀ ବସ୍‌, ବ୍ୟାଟେରୀ ଗାଡ଼ି ଓ ବୋଟିଂ। ମଣିଷଙ୍କ ପାଖରୁ ପ୍ରାଣୀମାନଙ୍କୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ତେଣୁ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରାଯାଇଥିବା ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି।

ଏହା ବି ପଢ଼ନ୍ତୁ ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ

ଏହା ବି ପଢ଼ନ୍ତୁ ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

‘‘ବାର୍ଷିକ ନନ୍ଦନକାନନକୁ ୨୬ରୁ ୩୦ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ଏଥିରୁ ବାର୍ଷିକ ୧୬ କୋଟି ଟଙ୍କା ଆୟ ହୁଏ । ଗତ ସାଢେ ଛଅ ମାସରେ ଛଅ କୋଟି ଟଙ୍କାର କ୍ଷତି ହୋଇଛି । ତେବେ ଆଗକୁ ପର୍ଯ୍ୟଟନ ୠତୁ ଥିବାରୁ ଅଧିକ ପର୍ଯ୍ୟଟକ ଆସିବା ନେଇ ଆଶା ଅଛି,’’ କହିଛନ୍ତି ସହକାରୀ ବନ୍ୟ ସଂରକ୍ଷକ ଅମୂଲ୍ୟ କୁମାର ପରିଡ଼ା।



ନନ୍ଦନ କାନନ ବନ୍ଦ ଥିବାରୁ ଏହାକୁ ଉପରେ ନିର୍ଭରଶୀଳ ଖୁଚୁରା ବ୍ୟବସାୟ ମଧ୍ୟ ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକ ଆସିଲେ ପୁଣି ଥରେ ବେପାର ଜମିବ ବୋଲି ଆଶାବାଦୀ ବ୍ୟବସାୟୀମାନେ । ହେଲେ ବର୍ଷା ଲାଗି ରହିଥିବାରୁ କାଁ ଭାଁ ଛାଡିଦେଲେ ବାକି ଦୋକାନ ବନ୍ଦ ରହିଥିଲା ।
Published by: Anand Shankar Thankur Das
First published: October 5, 2020, 10:22 PM IST
corona virus btn
corona virus btn
Loading