News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱରରେ ଆଉ ତିନି ଜଣ ବ୍ୟକ୍ତି କରୋନା ଭାଇରସ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ସେମାନେ ବୋମିଖାଲ ଅଞ୍ଚଳର ବାସିନ୍ଦା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି । ଏବେ ରାଜ୍ୟରେ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୯ ହୋଇଛି । ସେଥିରୁ ଦୁଇ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ୍ ହୋଇଥିବା ବେଳେ ବାକି ଛଅ ଜଣ ଚିକିତ୍ସାଧୀନ ଅଛନ୍ତି ।
ଓଡ଼ିଶାରେ କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇ ସମୟରେ ଶୁକ୍ରବାର ଗୋଟିଏ ବିଶେଷ ଦିନ ଭାବେ ଉଭା ହୋଇଛି । ଏହି ଗୋଟିଏ ଦିନରେ ଚାରିଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏହା ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କରୋନା ଭାଇରସ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇ ନ ଥିଲେ । ଶୁକ୍ରବାର ପ୍ରଥମେ ପଜିଟିଭ୍ ବୋଲି ଜଣା ପଡ଼ିଥିବା ବ୍ୟକ୍ତି ଜଣକ କଟକ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇ ଥିଲା ।
ଏବେ ଓଡ଼ିଶାରେ ମୋଟ ନଅ ଜଣ କରୋନା ଭାଇରସ୍ ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇସାରିବାରୁ ରାଜ୍ୟ ସରକାର ଓ ଲୋକଙ୍କ ପାଇଁ ଏହି ମହାମାରୀକୁ ନେଇ ଚିନ୍ତା ବଢ଼ିଛି । ସରକାର ଶୁକ୍ରବାର (ଏପ୍ରିଲ ୩) ସନ୍ଧ୍ୟା ୮ଟାରୁ ଭୁବନେଶ୍ୱର, ଭଦ୍ରକ ଓ କଟକରେ ୪୮-ଘଣ୍ଟିଆ ସମ୍ପୂର୍ଣ୍ଣ ସଟଡାଉନରେ ଜାରି କରିଛନ୍ତି ।

ଭୁବନେଶ୍ୱରର ସୂର୍ଯ୍ୟ ନଗରରେ ବଡ଼ ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି ।
କଟକରେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିଲେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏକ ଟ୍ୱିଟରେ କହିଛି । ଏହି ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ଓ ସେ ଦିଲ୍ଲୀର ନିଜାମୁଦ୍ଦିନ୍ ମରକଜରେ ନିକଟରେ ଆୟୋଜିତ ତବଲିଘି ଜମାତ୍ କାର୍ଯ୍ୟକ୍ରମରେ ଭାଗ ନେଇ ଫେରିଥିଲେ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ଭାଇରସ୍ ପ୍ରତିହତକାରୀ ସମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ।
ଶୁକ୍ରବାର ସନ୍ଧ୍ୟା ୮ଟାରୁ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଜାରି ହେଉଥିବା ‘‘ସମ୍ପୂର୍ଣ୍ଣ ସଟଡାଉନ୍’’ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ପୂର୍ବରୁ ଲକଡାଉନ୍ ସମୟରେ ବାହାରକୁ ଯିବା ପାଇଁ ବିଭିନ୍ନ ଲୋକଙ୍କୁ ଦିଆଯାଇଥିବା ସବୁ ପାସ୍ ହଟେଇ ନିଆଯାଇଛି ବୋଲି ସେ କହିଛନ୍ତି । କରୋନା ଭାଇରସ ସଂକ୍ରମଣର ଗୋଷ୍ଠି ପ୍ରସାରଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ତ୍ରିପାଠୀ ।
‘‘ଏହି କମ୍ପ୍ଲିଟ୍ ସଟଡାଉନ୍ ସମୟରେ କୌଣସି ଲୋକକୁ ଯଦି ବାହାରେ ବୁଲୁଥିବାର ଦେଖାଯାଏ, ତେବେ ତାଙ୍କୁ ପୋଲିସ ଓ ଅନ୍ୟାନ୍ୟ ସରକାରୀ ବିଭାଗର ଅଧିକାରୀ ସେମାନଙ୍କୁ ଧରି ସରକାରୀ କ୍ୱାରାଣ୍ଟାଇନ୍ କେନ୍ଦ୍ରକୁ ଆଣି ୧୪ ଦିନ ରଖିବେ । ଜନ ସାଧାରଣଙ୍କୁ ଏହି ୪୮ ଘଣ୍ଟା ନିଜ ଘର ଭିତରେ ରହିବାକୁ ଅନୁରୋଧ କରାଯାଉଛି । ଦୟାକରି ଏହା ମାନନ୍ତୁ । ଆଗାମୀ ଗୋଟିଏ ସପ୍ତାହ କରୋନା ଭାଇରସ୍ ବିରୋଧରେ ଆମ ଲଢ଼େଇର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ,’’ କହିଛନ୍ତି ତ୍ରିପାଠୀ ।
ଭୁବନେଶ୍ୱରର ସୂର୍ଯ୍ୟନଗରର ବାସିନ୍ଦା ପଞ୍ଚମ କରୋନା ଭାଇରସ୍ ପଜିଟିଭ୍ ଭାବେ ଚିହ୍ନଟ ହେବା ପରେ ଯେଉଁ ଗୋଷ୍ଠି ସଂକ୍ରମଣର ଆଶଙ୍କା କରାଯାଉଥିଲା ବୋମିଖାଲରେ ତିନି ଜଣ ପଜିଟିଭ୍ ବ୍ୟକ୍ତି ମିଳିବା ପରେ ସେହି ଆଶଙ୍କା ଆହୁରି ଦୃଢ଼ୀଭୂତ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।