ପୁରୀ: କରୋନା ଯୋଗୁଁ ଭୁଶୁଡ଼ିବାରେ ଲାଗିଛି ଶ୍ରୀକ୍ଷେତ୍ରର ଆର୍ଥିକ ମେରୁଦଣ୍ଡ; ଭକ୍ତ ବିନା ଠପ୍ ହୋଇଛି ସେବାୟତଙ୍କ ଗୁଜୁରାଣ

ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ମନା ଥିବାରୁ ଓ ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଥିବାରୁ ପୁରୀ ସହରର ବ୍ୟବସାୟ ଓ ଅର୍ଥନୀତି ସମ୍ପୁର୍ଣ୍ଣ ବନ୍ଦ ହୋଇପଡ଼ିଛି । ଜୀବିକା ହରାଇ ବିକଳ୍ପ ଭାବରେ କିଛି ଦୋକାନୀ ବାଧ୍ୟ ହୋଇ ଖଜା ବିକ୍ରି ସହ ମାସ୍କ ଓ ସାନିଟାଇଜର ବିକ୍ରି କରି ଦି ପଇସା ରୋଜଗାର କରିବା ଆରମ୍ଭ କରିଛନ୍ତି।

ପୁରୀ: କରୋନା ଯୋଗୁଁ ଭୁଶୁଡ଼ିବାରେ ଲାଗିଛି ଶ୍ରୀକ୍ଷେତ୍ରର ଆର୍ଥିକ ମେରୁଦଣ୍ଡ; ଭକ୍ତ ବିନା ଠପ୍ ହୋଇଛି ସେବାୟତଙ୍କ ଗୁଜୁରାଣ
ଶ୍ରୀମନ୍ଦିର
  • News18 Odia
  • Last Updated: August 11, 2020, 8:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: କରୋନା ମହାମାରୀର ପ୍ରକୋପ ଯୋଗୁଁ ପ୍ରଭାବିତ ହୋଇଛି ଦେଶ ଓ ରାଜ୍ୟର ଅର୍ଥନୀତି। ପୁରୀ ସହରର ସମସ୍ୟା ବି ଜଟିଳ ହୋଇଛି । ଶ୍ରୀମନ୍ଦିର ବନ୍ଦ ରହିବା ଯୋଗୁଁ ଅନେକ ପୁରୀବାସୀ ନିଜ ଜୀବିକା ହରାଇଛନ୍ତି ଓ ପେଟପାଟଣାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଶ୍ରୀମନ୍ଦିରକୁ ନେଇ ଚଳୁଥିବା ସେବାୟତ, ଉଠା ଦୋକାନୀ, ହୋଟେଲ ଓ ବ୍ୟବସାୟ ପ୍ରତିଷ୍ଠାନ ସବୁକିଛି ଦୀର୍ଘ ମାର୍ଚ୍ଚ ମାସରୁ ପ୍ରଭାବିତ ହୋଇ ଆସୁଛି। ସହରର ସମସ୍ତଙ୍କ କୁଳ ବେଉସା ବୁଡ଼ିଯିବାକୁ ବସିଛି ।

ପୁରୀରେ ଶ୍ରୀମନ୍ଦିର ପୁରୀ ସହରବାସୀଙ୍କ ଏକମାତ୍ର ଆୟର ପନ୍ଥା ଅଟେ। ଏହାକୁ ନେଇ ବଞ୍ଚିଥାନ୍ତି ସେଠାକାର ସେବାୟତ, ଦୋକାନୀ, ହୋଟେଲ ମାଲିକ ତଥା ଅନ୍ୟମାନେ । ଏହି ମନ୍ଦିର ପୁରୀ ସହରବାସୀଙ୍କ ଏହା ଆୟର ଉତ୍ସ । ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସେବାୟତମାନଙ୍କ ଘରେ ଏକ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ୨୦୨୦ ମାର୍ଚ୍ଚ ୧୯ ରୁ କରୋନାକୁ ନେଇ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ଜାରୀ ହୋଇଛି କଟକଣା। ଆଜକୁ ୫ ମାସ ହେଲାଣୀ ସେବାୟତଙ୍କର କୌଣସି ଆୟ ନାହିଁ । କାରଣ ସେବାୟତ ପରିବାରର କୌଳିକ ବୃତି କହିବାକୁ ଗଲେ ଶ୍ରୀମନ୍ଦିର। ଭକ୍ତ ଓ ଦର୍ଶନାର୍ଥୀ ଆସିଲେ ସେମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇ ଯଜମାନଙ୍କ ଠାରୁ ଦକ୍ଷିଣା ପାଇଲେ ଘର ସେମାନଙ୍କ ଘରର ଗୁଜୁରାଣ ମେଣ୍ଟିଥାଏ ।

''ପୁରୀ ସେବାୟତ ପରିବାରର ଚଳଣି ବି ଟିକିଏ ଭିନ୍ନ ଓ ବହୁତ ଖର୍ଚ୍ଚୀ ଅଟନ୍ତି ବୋଲି କୁହାଯାଏ । ବର୍ତ୍ତମାନ ସମୟରେ ସେବାୟତଙ୍କର ୧୦ ଟଙ୍କା କି ୨୦ ଟଙ୍କା ଟିଏ ବି ଆୟ କରିବାକୁ ଅସମର୍ଥ ହୋଇପଡିଛନ୍ତି । ବିନା ଭକ୍ତରେ ଆୟ କରିବା ଏମାନଙ୍କ ପାଇଁ କଷ୍ଟ ସାଧ୍ୟ ଅଟେ। ତେଣୁ ଶ୍ରୀମନ୍ଦିରର ପ୍ରାୟ ୭ ହଜାର ସେବାୟତ ପରିବାର କିଭଳି ଚଳିବେ ତାହାକୁ ନେଇ ଚିନ୍ତାରେ ଅଛନ୍ତି । ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ସେବାୟତମାନେ ବଡଦାଣ୍ଡରେ ବସି ଭିକ୍ଷା ମାଗିବେ," କହିଛନ୍ତି ୫୮ ବର୍ଷୀୟ ବରିଷ୍ଠ ସେବାୟତ ନାରାୟଣ ପୁଜାପଣ୍ଡା ।

କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଗୁଜୁରାଣ ଚିନ୍ତାରେ ଅଛନ୍ତି ସେବାୟତ


ସେବାୟତମାନଙ୍କ ମଧ୍ୟରେ ଅନେକ ଧୁଳିଆ ସେବାୟତ ରହିଥାନ୍ତି । ଯେଉଁମାନଙ୍କର ଶ୍ରୀମନ୍ଦିରରେ କୌଣସି ସେବାପୂଜା ନ ଥାଏ। ସେମାନେ କେବଳ ଭକ୍ତ ଆସିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ବୁଲାଇ ମହାପ୍ରଭୁଙ୍କ ଦର୍ଶନ କରାଇ ଯାହା ଦକ୍ଷିଣା ମିଳେ ସେମାନଙ୍କର ପରିବାର ଚଳେ। ଆଉ ସେମାନଙ୍କର କୌଣସି ଆୟର ପନ୍ଥା ନାହିଁ। ଏହିଭଳି ସେମାନଙ୍କ ସଂଖ୍ୟା ଦେଖିଲେ ଏକ ହଜାର ହେବ । ତେବେ ଶ୍ରୀମନ୍ଦିର ପରିସ୍ଥିତି ଯୋଗୁଁ ସେମାନେ ଆସି କେବଳ ଶ୍ରୀମନ୍ଦିର ସମ୍ମୁଖରେ ଠିଆ ହୋଇ ଘରକୁ ଖାଲି ହାତରେ ଫେରୁଛନ୍ତି। ତେଣୁ କାଳିଆ ଯେବେ ଚାହିଁବ ସେବେ ପୁଣି ସ୍ୱାଭାବିକ ହେବ ବୋଲି ସେହି ଚିନ୍ତାରେ । ସେପଟେ ସେବାୟତମାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫ ହଜାର ଲେକାଏଁ ପ୍ରତି ପରିବାରକୁ ଦେଇଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ । ଏତେବଡ ପରିବାରରେ ମାସକୁ ୫ ହଜାର ନୁହେଁ ୨୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ପୁଣି ଆଗକୁ ପୁଜା ପାର୍ବଣର ସମୟ ଆସୁଥିବାରୁ ଆଗକୁ ସେବାୟତଙ୍କ ପରିସ୍ଥିତି ଆହୁରି ଦୁଃସହ ହୋଇପଡ଼ିବ," କହିଛନ୍ତି 52 ବର୍ଷୀୟ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାଶ ମହାପାତ୍ର।

ଶ୍ରୀମନ୍ଦିରକୁ ନେଇ ଶ୍ରୀକ୍ଷେତ୍ରରେ ଗଢ଼ିଉଠିଥିଲା ପଟି। ପଟି ହେଲା ବଜାର। ତେଣୁ ଭକ୍ତଙ୍କ ପାଇଁ କଂସାରୀ ପଟି, ବଣିଆ ପଟି, ଲୁଗା ପଟି, ଖଜା ପଟି ଆଦି କାହିଁ କେଉଁ ଅମଳରୁ ରହିଛି । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ଉନ୍ନତିକରଣ ନେଇ କିଛି ପଟି ଉଛେଦ ହୋଇସାରଲେଣୀ। ଶ୍ରୀମନ୍ଦିର ସମ୍ମୁଖରେ ଆଉ କେବଳ କଂସାରୀ ପଟି ରହିଛି। ବାପା ଅଜା ଅମଳରୁ ସେହି କଂସାରୀ ପଟିରେ ରହିଥିବା ପିତ୍ତଳ ଦୋକାନ ଚାଲି ଆସିଛି। ଆଉ ସେହି ଦୋକାନରୁ ଆମର ପାଠପଢ଼ା, ଘର ଚଳିବା ସହ ପେଟପାଟଣା ବଞ୍ଚିଛି । ମାତ୍ର କରୋନା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମନା, ଜିଲ୍ଲାକୁ ପ୍ରବେଶ କଟକଣା ପରେ ଦୋକାନରେ ବ୍ୟବସାୟ ସମ୍ପୁର୍ଣ୍ଣ ଠପ୍। କିଣାବିକା ନ ଥିବାରୁ ହାତବାନ୍ଧି ବସିଛୁ। ପୁଣି ନିଜ ଘର ସହ ଦୋକାନରେ ରହୁଥିବା ତିନି ଜଣ କର୍ମଚାରୀ ବି କେମିତି ଏଭଳି ପରିସ୍ଥିତି ଯୋଗୁଁ ଚଳିବେ ତାହାବି ଚିନ୍ତାଜନକ। ତେଣୁ ପରିସ୍ଥିତି ଏଭଳି ଲାଗିରହିଲେ ଆଗକୁ ଆମେ ଦୋକାନ ବନ୍ଦ କରିବାକୁ ବାଧ୍ୟ ହେବୁ। ଏବେ ଦୋକାନରେ ୧୦ ଲକ୍ଷର ସାମଗ୍ରୀ ରହିଥିଲେ ବି ବିକ୍ରି ହେଉନଥିବାରୁ କିଛି ମାସ୍କ ଓ ସାନିଟାଇଜର ବିକ୍ରି କରି ଯାହା ଦି ପଇସା ରୋଜଗାର ହେଉଛି ସେଥିରେ ଦୋକାନ ଚଳିଯିବ ଭାବି ବିକ୍ରି କରୁଛି। ଭଲ ପାଠ ପଢୁଥିଲି ଭାବିଲି ଚାକିରି ଅପେକ୍ଷା ନିଜ ପରିବାରର ବ୍ୟବସାୟ ସମ୍ଭାଳିବି । ହେଲେ ଏଭଳି ପରିସ୍ଥିତି ବେଶ ଚିନ୍ତା ବଢାଇଦେଇଛି," କହିଛନ୍ତି ୩୫ ବର୍ଷୀୟ ପିତ୍ତଳ ଦୋକାନୀ ବ୍ରହ୍ମାନନ୍ଦ ନାୟକ।

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

"ପିତ୍ତଳ ତମ୍ବା ହେଉ କି ଶଙ୍ଖମାଳି ଦୋକାନ କି ଲୁଗା ଦୋକାନ ସେମାନଙ୍କର ଜିନିଷ ରହିଲେ ବି କ୍ଷତି ହେବନି। ହେଲେ ଆମେ ହେଲୁ ଖଜା ଦୋକାନୀ। ଦିନକୁ ଏହି ଦୋକାନରୁ ୧୫ ରୁ ୨୦ ଝୁଡ଼ି ଖଜା ବିକ୍ରି ହେଉଥିବା ବେଳେ ହଜାର ହଜାର ଟଙ୍କା ରୋଜଗାର ହେଉଥିଲା। ହେଲେ କରୋନା ଯୋଗୁଁ ଲୋକଙ୍କ ଆଗମନ ନ ଥିବାରୁ ଦିନକୁ ଗୋଟିଏ ଝୁଡ଼ି ବିକ୍ରି କରିବା ବି କଷ୍ଟ ହୋଇପଡିଛି। ସେପଟେ ଖଜା ଗୁଡ଼ିକ ଦୁଇ ଦିନ ରହିଗଲେ ତାହା ଭାଙ୍ଗି ଗୁଣ୍ଡ ହୋଇଯାଉଛି। ତେଣୁ ପ୍ରତିଦିନ ଶହ ଶହ ଟଙ୍କା କ୍ଷତି ହେଉଛି। ବେପାର ନ ଥିବା ବେଳେ ଦୋକାନରେ ଦୁଇଟି କର୍ମଚାରୀ। ବର୍ତ୍ତମାନ ଜଣେ କର୍ମଚାରୀଙ୍କୁ କାଢ଼ି ନିଜେ ରବି ଦୋକାନ ଚଳାଉଛି । ତେବେ ଜଗନ୍ନାଥ ଯାହା ଚାହିଁବେ ସେବେ ଆମର ସ୍ଥିତି ସୁଧୁରିବ। ସରକାରଙ୍କ ଉପରେ ଆଉ ଭରସା ନାହିଁ," କହିଛନ୍ତି ୫୪ ବର୍ଷୀୟ ଜଗନ୍ନାଥ ନାୟକ ।



କରୋନା କେବେ ସ୍ୱାଭାବିକ ହେବ ତାହା ଏବେ ଅନିଶ୍ଚିତତା। ତେଣୁ ବର୍ତ୍ତମାନର ସ୍ଥିତି ଯେଭଳି ହେଲାଣି ଆଗକୁ ଭୁସୁଡିବାକୁ ଯାଉଛି ପୁରୀ ସହରର ଅର୍ଥନୀତି।
Published by: Jagdish Barik
First published: August 11, 2020, 8:15 PM IST
corona virus btn
corona virus btn
Loading