News18 Odia Digital
ଭୁବନେଶ୍ୱର: ସମ୍ କୋଭ୍ୟାକ୍ସିନ ସେଣ୍ଟରରେ ଖୁବ୍ଶୀଘ୍ର ଶେଷ ହେବ କୋଭିଡ ପାଇଁ ଟୀକାର ନାଜାଲ ଡ଼୍ରପ ପରୀକ୍ଷଣ । ୧୮ ବର୍ଷରୁ କମ ଓ ୨ ବର୍ଷରୁ ଅଧିକ ପିଲାଙ୍କ ପାଇଁ ଦେଶର ୧୫ରୁ ଅଧିକ ସେଣ୍ଟରରରେ ଏହି ନାଜାଲ ଟୀକା ପରୀକ୍ଷଣ ଜାରି ରହିଥିବା ବେଳେ ଏ କ୍ଷେତ୍ରରେ ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟର ଆଗୁଆ ଅଛି।
ଧାର୍ଯ୍ୟ ସମୟ ପୂର୍ବରୁ ହ୍ୟୁମାନ ଟ୍ରାଏଲ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ଟ୍ରାଏଲ ସଫଳତାର ସହ ଚାଲିଥିବାରୁ ଖୁବ୍ଶୀଘ୍ର ସଠିକ୍ ନିର୍ଯାସରେ ଏହି ପରୀକ୍ଷଣ ପହଞ୍ଚିବ ବୋଲି ଆଶା ରଖିଛନ୍ତି କର୍ତ୍ତୃପକ୍ଷ ।
୨୦୨୦ ମସିହା ମେ ମାସରୁ ସାରା ଦେଶରୁ କୋଭିଡ଼ ଟୀକାର ପରୀକ୍ଷଣ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାର ଏକମାତ୍ର କେନ୍ଦ୍ର ଭାବେ ଏହି କାର୍ଯ୍ୟ ପାଇଁ ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟର ମନୋନୀତ ହୋଇଥିଲା। ଧାର୍ଯ୍ୟ ସମୟର ଯଥେଷ୍ଟ ଆଗରୁ ହ୍ୟୁମାନ ଟ୍ରାଏଲ ଶେଷ କରିବା ସହିତ ସଠିକ୍ ନିର୍ଯାସରେ ପହଞ୍ଚିଥିବା କାରଣରୁ ସେ ସମୟରେ ଦେଶରେ ଏହି କେନ୍ଦ୍ରକୁ ବାହାବା ମିଳିଥିଲା । ଏବେ ପୁଣି ଥରେ ଏହି କେନ୍ଦ୍ରକୁ ମିଳିବାକୁ ଯାଉଛି ଆଉ ଏକ ସଫଳତା ।୧୮ ବର୍ଷରୁ କମ ଓ ୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଦେଶରେ ନାଜାଲ ଟୀକା ପରୀକ୍ଷଣ ଚାଲୁ ରହିଥିବା ବେଳେ ରାଜ୍ୟର ଏହି କେନ୍ଦ୍ରରେ ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
କୋଭିଡ଼ କୋଭ୍ୟାକ୍ସିନ ସେଂଟରର ଚିପ୍ ଇନ୍ଭେଷ୍ଟିଗେଟର ଡ଼ାକ୍ତର ଇପାରୀ ଭେଙ୍କଟ ରାଓଙ୍କ ସୂଚନା ଅନୁସାରେ ଏହି କେନ୍ଦ୍ରର ପୂର୍ଵ ସଫଳତା କାରଣରୁ ଆମକୁ ମିଳିଛି ନାଜାଲ ଡ଼୍ରପ୍ର ପରୀକ୍ଷଣ କାର୍ଯ୍ୟ । ପ୍ରାୟ ୭ ମାସ ଧରି ଏହି କାର୍ଯ୍ୟ ଚାଲୁ ରହିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଯଥେଷ୍ଟ ପୂର୍ବରୁ ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ବିଶେଷକରି ନାଜାଲ ଡ଼୍ରପର ପ୍ରଭାବ କେତେ ରହୁଛି, ଇଞ୍ଜେକ୍ସନ ଦ୍ୱାରା ଦିଆଯାଉଥିବା ଟୀକା ତୁଳନାରେ ଏହା କେତେ ପ୍ରଭାବଯୁକ୍ତ ଓ ବୟସ୍କମାନଙ୍କ ପାଇଁ ଏହା ବ୍ୟବହାର ହୋଇପାରିବ କି ଏ ସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ବିଭିନ୍ନ ବୟସର ଲୋକଙ୍କ ଉପରେ ବାରମ୍ବାର ପରୀକ୍ଷା ନିରୀକ୍ଷା ଚାଲିଛି। ଆସନ୍ତା କିଛି ଦିନ ଭିତରେ ଏହି ନାଜାଲ ଡ଼୍ରପ ପରୀକ୍ଷଣ ଶେଷ ହେବ ।
ଚିଫ ଇନଭେସ୍ଟିଗେଟେର କହିଛନ୍ତି, କୋଭିଡ଼ର ଭ୍ୟାକ୍ସିନ ସହିତ ଏହି କେନ୍ଦ୍ରରେ ମ୍ୟାଲେରିଆ ସହିତ ଅନ୍ୟକିଛି ଘାତକ ରୋଗର ମଧ୍ୟ ପରୀକ୍ଷଣ ଜାରି ରହିଛି । ତେବେ ନାଜାଲ ଡ଼୍ରପ ପାଇଁ ହେଉଥିବା ପରୀକ୍ଷଣ ଉପରେ ସାରା ଦେଶ ନଜର ରଖିଥିବା ବେଳେ ଏହି କେନ୍ଦ୍ରର ବୈଜ୍ଞାନିକ ଓ ସହଯୋଗୀଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି, ଯାହା ଉତ୍ସାହଜନକ,"।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।