News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ବାଂଲାଦେଶ (Bangladesh) ଗସ୍ତରୁ ଫେରିବା ଦିନଠାରୁ ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ବିଗିଡିବା ନେଇ ଅନେକ ଖବର ଆସିଛି । ପାକିସ୍ତାନ (Pakistan) ପରି ବାଂଲାଦେଶରେ ମଧ୍ୟ ହିନ୍ଦୁମାନଙ୍କୁ ଭେଦଭାବ କରାଯାଏ । ପରିସ୍ଥିତି ଏପରି ହୋଇଛି ଯେ ବାଂଲାଦେଶର ହିନ୍ଦୁମାନେ ନିଜ ଜୀବନକୁ ବଞ୍ଚାଇବା ପାଇଁ କୌଣସି ପ୍ରକାରେ ଦେଶ ଛାଡି ପଳାଇବାକୁ ଚାହୁଁଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ପରିସ୍ଥିତି ସମାନ ରହେ ତେବେ ୨୫ ବର୍ଷ ପରେ ବାଂଲାଦେଶରେ କୌଣସି ହିନ୍ଦୁ ଜୀବିତ ରହିବେ ନାହିଁ ।
ସେଣ୍ଟର ଫର ଡେମୋକ୍ରାସି ପ୍ଲୁରାଲାଇଜିମ୍ ଆଣ୍ଡ ହ୍ୟୁମାନ୍ ରାଇଟ୍ସ (CDPHR) ର ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ବିଗିଡି ଯାଇଛି । ଭାରତ, ପାକିସ୍ଥାନ, ବାଂଲାଦେଶ, ଆଫଗାନିସ୍ତାନ, ମାଲେସିଆ, ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ତିବ୍ଦତରେ ମାନବ ଅଧିକାର ଉପରେ CDPHR ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏକାଡେମିକ୍, ଆଇନଜୀବୀ, ବିଚାରପତି, ଗଣମାଧ୍ୟମ କର୍ମୀ ଓ ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅବଦୁଲ ବାରକାଟ ନିଜ ରିପୋର୍ଟରେ କହିଛନ୍ତି ଯେ ଗତ ୪ ଦଶନ୍ଧି ଧରି ବାଂଲାଦେଶରୁ ୨.୩ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଯଦି ବାଂଲାଦେଶରେ ହିନ୍ଦୁମାନଙ୍କର ସ୍ଥିତି ନ ସୁଧୁରେ ତେବେ ୨୫ ବର୍ଷ ପରେ ସେଠାରେ କୌଣସି ହିନ୍ଦୁ ନ ଥିବେ । ଏହି ସମୟରେ ପରିସ୍ଥିତିକୁ ଦେଖି ସମସ୍ତେ ଦେଶ ଛାଡି ଅନ୍ୟତ୍ର ଯିବାକୁ ଚାହାଁନ୍ତି ।
ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଅବସ୍ଥା ଭଲ ନାହିଁଭାରତର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ସଂଖ୍ୟାଲଘୁଙ୍କ ଅବସ୍ଥା ଭଲ ନାହିଁ ବୋଲି CDPHR ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ମାନବ ଅଧିକାର ପରିସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଶିଖ ଓ ଖ୍ରୀଷ୍ଟିଆନ ସଂଖ୍ୟାଲଘୁମାନେ ମଧ୍ୟ ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି ଭେଦଭାବ କରୁଛନ୍ତି । ଦେଶ ବିଭାଜନ ସମୟରେ ପାକିସ୍ତାନରେ ହିନ୍ଦୁମାନଙ୍କର ଜନସଂଖ୍ୟା ୩.୫ କୋଟି ଥିଲା ଯାହା ବର୍ତ୍ତମାନ ୫୦ ରୁ ୬୦ ଲକ୍ଷକୁ ହ୍ରାସ ପାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।