ଜଲଦି ପିଲାଙ୍କୁ ଦିଆଯିବ ଟିକା; ଟିକାକରଣ ପାଇଁ ରାଜ୍ୟକୁ ତାଲିମ ଦେବ କେନ୍ଦ୍ର

ପିଲାଙ୍କ ଟିକାକରଣ ପାଇଁ କେନ୍ଦ୍ର ରାଜ୍ୟକୁ ପ୍ରଶିକ୍ଷଣ ଦେବ। ରାଜ୍ୟରେ ଭିତ୍ତିଭୂମି ସଜାଗ ଥିବା ବେଳେ କେନ୍ଦ୍ରରୁ ନିର୍ଦେଶ ଆସିବା ପରେ ପିଲାଙ୍କ ଟିକାକରଣ ଆରମ୍ଭ ହେବ।

ଖୁବ ଶୀଘ୍ର ପିଲାଙ୍କୁ କରୋନା ଟିକା ଦିଆଯିବ (ପ୍ରତୀକାତ୍ମକ ଛବି)

ଖୁବ ଶୀଘ୍ର ପିଲାଙ୍କୁ କରୋନା ଟିକା ଦିଆଯିବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଟିକାକରଣ। ଆଗକୁ ୧ରୁ ୧୮ ବର୍ଷ ପିଲାଙ୍କ ଦିଆଯିବ କରୋନା ଭ୍ୟାକ୍ସିନ।କେନ୍ଦ୍ରରୁ ନିର୍ଦ୍ଦେଶ ମିଳିବା ମାତ୍ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ଯୋଜନା କରିଛି।

କରୋନା ମହାମାରୀର ଭୟାବହତା ଭିତରେ ପିଲାମାନଙ୍କ ପାଇଁ କରୋନା ଟିକା ନ ଆସିବା ଚିନ୍ତାର ବିଷୟ ପାଲଟି ଥିଲା। ମାତ୍ର ବର୍ତ୍ତମାନ ସେ ଚିନ୍ତା ଦୂର ହେବାକୁ ଯାଉଛି। ଖୁବ ଶୀଘ୍ର ପିଲାମାନଙ୍କୁ କରୋନା ଟିକା ଦିଆଯିବ ନେଇ ସୂଚନା ମିଳିଛି। ଏନେଇ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଜିଲ୍ଲାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ନେଇ ବ୍ୟବସ୍ଥା ହୋଇଛି। ଟୀକାକରଣ ପାଇଁ ରାଜ୍ୟର ଭିତ୍ତିଭୂମି ପ୍ରସ୍ତୁତ ଥିବା ବେଳେ କେନ୍ଦ୍ର ପାଖରୁ ନିର୍ଦ୍ଦେଶକୁ ଅପେକ୍ଷା ରହିଛି।

ଆସନ୍ତାକାଲି ଏନେଇ ରାଜ୍ୟମାନଙ୍କୁ ତାଲିମ ଦେବ କେନ୍ଦ୍ର। ଏହି ଵର୍ଗର ପ୍ରାୟ ୧ କୋଟି ୪୦ ଲକ୍ଷ ହିତାଧିକାରୀ ଥିବା ବେଳେ ଭିତିଭୂମି ପ୍ରସ୍ତୁତି ରଖିଛନ୍ତି ସରକାର।  ଏପଟେ ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ବୟାନ ସାମାନ୍ୟ ଆଶ୍ୱସ୍ତି ଆଣିଛି। ବର୍ତ୍ତମାନ ବୁସ୍ଟର ଡୋଜ ସପକ୍ଷରେ ବିଶେଷଜ୍ଞ ମତ ଦେଇଥିବା ବେଳେ ସତର୍କ ନ ହେଲେ ତୃତୀୟ ଲହରକୁ ଏଡ଼ାଇବା କଷ୍ଟକର ବୋଲି କହିଛନ୍ତି।

ଗୁରୁବାର ଦେଶରେ ଶହେ କୋଟି ପାର କରିଛି ଟୀକାକରଣ ଅଭିଯାନ। ଆଗକୁ ୧ ରୁ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଯୋଜନା କରିଛନ୍ତି ସରକାର। ଦୁଇଟି ଟିକାକୁ ବି ଅନୁମୋଦନ ମିଳିଛି। କୋଭକ୍ସିନ ଟିକାର ଦୁଇ ଡୋଜ ଦିଆଯିବାକୁ ଥିବା ବେଳେ ଜାଇକୋଭ ଡ଼ି ର ତିନି ଡୋଜ ନେବାକୁ ପଡ଼ିବ।ଫାର୍ମାଜେଟ ଟେକନିକ ମାଧ୍ୟମରେ ପିଲାଙ୍କୁ  zycov ଟିକା ଦିଆଯିବ।

ପିଲାମାନଙ୍କ ଟିକାକରଣ କିପରି କରାଯିବ ସେ ନେଇ ଆସନ୍ତାକାଲି ରାଜ୍ୟମାନଙ୍କ ସହ ଭର୍ଚୁଆଲମୋଡ଼ରେ ବୈଠକ କରିବ କେନ୍ଦ୍ର। କେନ୍ଦ୍ର ବୈଠକ ପରେ ଜିଲ୍ଲା ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ରାଜ୍ୟ। ରାଜ୍ୟରେ  ୦-୧୮ ବର୍ଷର ପ୍ରାୟ ୧ କୋଟି ୪୦ ଲକ୍ଷ ହିତାଧିକାରୀ ଥିବା ବେଳେ ରାଜ୍ୟ ଆରମ୍ଭ କରିଛି ପ୍ରସ୍ତୁତି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି,"ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୮ ଲକ୍ଷ ୩୮ହଜାର ୧୮୩ ଜଣଙ୍କୁ ଟିକାକରଣ କରାଯାଇଛି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ହିତାଧିକାରୀ । ଉଭୟ ଡୋଜ ନେଇଛନ୍ତି  ୧ କୋଟି ୨ ଲକ୍ଷ ୪୭ହଜାର ୯୩୬ ହିତାଧିକାରୀ । ୨୨ ଲକ୍ଷ ୭୦ ହଜାର ୮୭୦ ଟୀକା ମହଜୁଦ ଅଛି। ପାର୍ବଣ ଯୋଗୁଁ ଟୀକାକରଣ ସାମାନ୍ୟ ଧିମେଇଥିଲା। ଦିନକୁ ୪ ଲକ୍ଷ ଟାର୍ଗେଟ ଥିଲା। ଏବେ ୨ ଲକ୍ଷ ହୋଇଛି। ଆଗକୁ ଅଧିକ ତ୍ୱରାନ୍ୱିତ ହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟୀକା ଦେବାକୁ ଲକ୍ଷ ରଖାଯାଇଛି।  ଯେଉଁ ମାନେ ଟୀକା ନେବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କ ପାଇଁ  ପ୍ରତି ଜିଲ୍ଲାର ହେଲ୍ପ ଲାଇନ ନମ୍ବର ଆଡ଼ଭାରଟାଇଜ କରାଯାଇଛି। ଯେଉଁମାନଙ୍କର ଆବଶ୍ୟକ  ଫୋନ କଲେ ମୋବାଇଲ ଟିମ ଯାଇ ଟିକା ଦେଉଛି।

ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୨ ହଜାର ୧୮୧  ଗର୍ଭବତୀ ମହିଳା ଟିକା ନେଇଛନ୍ତି। ଦ୍ୱିତୀୟ ଡୋଜ ସମୟ ହୋଇଥିଲେ ବି ୨୪ ଲକ୍ଷ ଲୋକ ଏବେବି ଟିକା ନେଇନାହାନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଟୀକା ନେଲେ ଅଧିକ ଫଳପ୍ରଦ ହେବ। କିନ୍ତୁ ଯେଉଁମାନେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ନେଇ ନାହାନ୍ତି ସେମାନେ ପରବର୍ତୀ ମୁହୂର୍ତ୍ତରେ ନେଇ ପାରିବେ।

"ତୃତୀୟ ଲହରରେ ପିଲା ଅଧିକ ସଂକମିତ ହେବାର ଆଶଙ୍କା ଥିବାରୁ କୌଣସି ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିପାରେ। ବର୍ତ୍ତମାନ ପିଲାଙ୍କ ପାଇଁ ପୋଲିଓ ସହ ଅନ୍ୟ ଟୀକାକରଣ ଚାଲିଥିବାରୁ ଟିକାକର୍ମୀଙ୍କ ସହ ଭିତ୍ତିଭୂମିରେ କିଛି ସମସ୍ୟା ନାହିଁ। ବର୍ତ୍ତମାନ ଟିକାକରଣ କେନ୍ଦ୍ର ସହ ଆଉ କିଛି କେନ୍ଦ୍ର ବଢ଼ାଯିବ। ସରକାର ପ୍ରସ୍ତୁତ ଥିବା ବେଳେ କେନ୍ଦ୍ରରୁ ନିର୍ଦେଶ ଆସିବା ମାତ୍ରେ ଟୀକାକରଣ ଆରମ୍ଭ ହେବ,"କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ।

ତୃତୀୟ ଲହର ଆଶଙ୍କା ଘାରିଥିବା ବେଳେ ପିଲାଙ୍କୁ ଟୀକାକରଣ ପାଇଁ ତ୍ୱରିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆକଳନ ସାମାନ୍ୟ ଆଶ୍ବସ୍ଥି ଆଣିଛି।

ତୃତୀୟ ଲହରକୁ ନେଇ ଇଣ୍ଡୋମିକ ଭାଇରୋ ଲୋଜିଷ୍ଟ କହିଛନ୍ତି,"କୋଭିଡ ପରିବେଶରେ ଥିଲେ ବି ସଂକ୍ରମଣ ଏଣ୍ଡୋମିକ ସ୍ତରରେ ଅଛି । ପରିସ୍ଥିତି ଦେଖି ସଂକ୍ରମଣ କମୁଛି ଆଉ ବଢୁଛି। ମହାରାଷ୍ଟ୍ରରେ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ କଣ୍ଟ୍ରାକ୍ଟ ଟ୍ରେସିଂ ଅନ୍ୟ କେହି ସଂକ୍ରମିତ ବାହାରି ନଥିବାରୁ ଚିନ୍ତାର କାରଣ ନାହିଁ। ବର୍ତ୍ତମାନ ସୁଦ୍ଧା ପୂଜା ସଂକ୍ରମଣ  ଏତେ ଉଦବେଗ ଜନକ ନେଥିଲେ ବି ପିକ ସମୟରେ ସଂକ୍ରମଣ ସ୍ଥିତି ଜାଣିବାକୁ ଆଉ କିଛି ଦିନ ଲାଗିବ। ବର୍ତ୍ତମାନ ଭଲ ସ୍ଥିତି ଥିବାରୁ ତୃତୀୟ ଲହରକୁ ଏଡାଇବାକୁ ଲୋକ ସତର୍କତା ଅବଲମ୍ବନ କରିବା ଜରୁରୀ"।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଶୋକ ମହାପାତ୍ର କହିଛନ୍ତି,"କୋଭିଡ ସମ୍ପୂର୍ଣ୍ଣ ଯାଇଛି କି ତୃତୀୟ ଲହର ଆସିବନି ଭାବିବା ଭୁଲ। ପିଲା ମାନେ ଏବେବି ଟିକା ନେଇ ନାହାନ୍ତି। ବୟସ୍କ ଓ ୬ ମାସ ପୂର୍ବରୁ ଟୀକା ନେଇଥିବା ବ୍ୟକ୍ତିଙ୍କ ପ୍ରତି ରିସ୍କ ରହିଛି। ବର୍ତ୍ତମାନ ବୁସ୍ଟର ଡୋଜ ଆବଶ୍ୟକ ପଡୁଛି। ଏଭଳି ସ୍ଥଳରେ ଢିଲା ହେଲେ ଅଧିକ ବିପଦ ସୃଷ୍ଟି କରିବ"।
Published by:Soumya Das
First published: