News18 Odia Digital
ଭୁବନେଶ୍ୱର: ଏବେ ପୁଣି ଥରେ କୋଭିଡ଼ ପାଇଁ ବୁଷ୍ଟର ଡ଼ୋଜ ସପକ୍ଷରେ ବଢିଲା ମତ । କୋଭିଡ଼ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦୁଇଟି ଟିକା ନେଇଥିଲେ ବି ହିତାଧିକାରୀଙ୍କୁ ବୁଷ୍ଟର ଡ଼ୋଜର ଆବଶ୍ୟକତା ରହିଛି । ଏହାଦ୍ୱାରା କୋଭିଡ଼ ମହାମାରୀର ସଂକ୍ରମଣକୁ ରୋକି ହେବ ବୋଲି ଏବେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି ବିଶେଷଜ୍ଞ ।
କରୋନା ମହାମାରୀକୁ ରୋକିବା ପାଇଁ ଟିକା ଅସ୍ତ୍ର ଭାବେ କାମ କରୁଛି। ମାତ୍ର ୨ଟି ଟିକା ନେଇସାରିବା ପରେ ବୁଷ୍ଟର ଆବଶ୍ୟକ ରହିଛି ବୋଲି ଅନେକ ମତ ଦେଉଛନ୍ତି। ବର୍ତ୍ତମାନ ଏହି ମତକୁ ଅନେକ ବିଶେଷଜ୍ଞ ସମର୍ଥନ ଜଣାଇଛନ୍ତି। ବିଶେଷଜ୍ଞଙ୍କ ମତରେ ଅନେକ କ୍ଷେତ୍ରରେ ଦୁଇଟି ଡ଼ୋଜ ଟିକା ନେଇଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ପୁଣି ଥରେ କୋଭିଡ଼ ସଂକ୍ରମଣର ସମ୍ଭାବନା ଦେଖିବାକୁ ମିଳୁଛି । ତେଣୁ ଏହାକୁ ଦୂର କରିବାକୁ ନିହାତି ବୁଷ୍ଟର ଡ଼ୋଜର ଆବଶ୍ୟକତା ରହିଛି । ଭିନ୍ନ ଭିନ୍ନ ଜଳବାୟୁରେ କୋଭିଡ଼ ୧୯ ଭୂତାଣୁ ନୂଆ ଷ୍ଟ୍ରେନର ରୂପ ନେଇଥିବାରୁ ଏହାର ସଂକ୍ରମଣକୁ ପ୍ରତିହତ କରି ପାରିବ ବୁଷ୍ଟର ଡ଼ୋଜ । ତେଣୁ ସ୍ଥଳ ନିର୍ବିଶେଷରେ ସବୁଠି ପୁଣି ଥରେ ବୁଷ୍ଟର ଡ଼ୋଜର ଆବଶ୍ୟକତା ରହିଛି ବୋଲି ଏବେ ଜୋର ଦେବା ଆରମ୍ଭ କରିଛନ୍ତି ବିଶେଷଜ୍ଞ ।
ବରିଷ୍ଠ ଡ଼ାକ୍ତର ନିରଜ ମିଶ୍ର କହିଛନ୍ତି,"ବର୍ଷକ ତଳେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା । କୋଭିଡ଼ ଟିକା ବିକଶିତ ହୋଇ ପାରୁ ନ ଥିବା କାରଣରୁ ଲୋକଙ୍କ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିଲା । କିନ୍ତୁ ଚଳିତବର୍ଷ ଦ୍ଵିତୀୟାରଧରେ ବଜାରକୁ କୋଭିଡ଼ ଟିକା ଆସି ଯିବା ପରେ ସମସ୍ତଙ୍କର ମନେ ହେଉଥିଲା ଏଥର କୋଭିଡ଼ ସଂକ୍ରମଣକୁ ରୋକି ହେବ । କିନ୍ତୁ ଅନେକ କ୍ଷେତ୍ରରେ ଦେଖାଗଲା ଯେ, କୋଭିଡ଼ର ଦୁଇଟିଯାକ ଟିକା ନେଇଥିଲେ ବି କିଛି ଲୋକଙ୍କ ଦେହରେ ପୁଣି ଥରେ କୋଭିଡ଼ ସଂକ୍ରମଣ ରହୁଛି । ଏହାର ଅର୍ଥ ହେଲା ଦୁଇଟି ଡ଼ୋଜର ଟିକା କେତେକ କ୍ଷେତ୍ରରେ କୋଭିଡ଼ ସଂକ୍ରମଣକୁ ରୋକି ପାରୁ ନାହିଁ । ସେହି ସମୟରେ ବୁଷ୍ଟର ଡ଼ୋଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଭଲ ଖବର ହେଲା, ଦୁଇଟି ଟିକା ନେବା ପରେ କିଛି ଲୋକଙ୍କ ଦେହରେ ବୁଷ୍ଟର ଡ଼ୋଜ ଦିଆଯିବା ପରେ ସେମାନଙ୍କ ଦେହରେ କୋଭିଡ଼ ସେଭଳି ପ୍ରଭାବ ପକାଇ ପାରୁନାହିଁ"।
ତାଛଡ଼ା ଜଳବାୟୁ ପରିବର୍ତନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବ୍ୟକ୍ତି ବିଶେଷ ପୁଣି ଥରେ କୋଭିଡ଼ ସଂକ୍ରମଣ ଶୀକାର ହୋଇଥିବାରୁ ବୁଷ୍ଟର ଡ଼ୋଜର ଆବଶ୍ୟକତା ବଢିଛି । ତେଣୁ ଏ ଦିଗରେ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମତ ଦେଉଛନ୍ତି।
ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଣ୍ଟରର ମୁଖ୍ୟ ଇନ୍ଭେଷ୍ଟିଗେଟର ଡା. ଇପାରୀ ଭେଙ୍କେଟରାଓଙ୍କ ସୂଚନା ଅନୁସାରେ, ଦୁଇଟି ଯାକ ଡ଼ୋଜ ନେଇଥିବା ବ୍ୟକ୍ତିବିଶେଷଙ୍କ ଦେହରେ ଅନେକ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କିନ୍ତୁ କେତେକ କ୍ଷେତ୍ରରେ ମଧ୍ୟ ଏହି ପ୍ରତିରୋଧକ ଶକ୍ତି ସାନି କୋଭିଡ଼ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ରୋକି ପାରୁନାହିଁ । ବିଶେଷକରି କୋ-ମରବିଡ଼୍ ବା ଏକାଧିକ ପ୍ରକାର ସଙ୍ଗୀନ ରୋଗ ଭୋଗୁଥିବା ଲୋକଙ୍କ କ୍ଷେତ୍ରରେ ଦୁଇଟି ଯାକ କୋଭିଡ଼ ଡ଼ୋଜ ମଧ୍ୟ କାମ କରୁନାହିଁ । ସେଭଳି କ୍ଷେତ୍ରରେ ଲୋକଙ୍କ ଦେହରେ କୋଭିଡ଼ ଭୂତାଣୁର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବୁଷ୍ଟର ଡ଼ୋର ଆବଶ୍ୟକତା ରହିଛି।
ବିଶେଷକରି ବୟସ୍କ ବ୍ୟକ୍ତି ବିଶେଷ, ଉଚ୍ଚ ରକ୍ତଚାପ, ଡ଼ାଇବେଟିସ୍, ନିଦ୍ରାହିନତା ତଥା ସେଭଳି କିଛି ଲମ୍ବା ସମୟ ଧରି ରୋଗ ଭୋଗୁଥିବା ଲୋକଙ୍କ କ୍ଷେତ୍ରରେ ବୁଷ୍ଟର ଡ଼ୋଜ ଏକାନ୍ତ ଆବଶ୍ୟକ ହୋଇପଡ଼ୁଛି ବୋଲି କୁହାଯାଇପାରେ । ଏବେ ସୁଦ୍ଧା ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ କୋଭିଡ଼ ଟିକା ଆସିବାକୁ ଅପେକ୍ଷା ଥିବାବେଳେ ସେମାନଙ୍କ କ୍ଷେତ୍ରରେ ବୁଷ୍ଟର ଡ଼ୋଜର ଆବଶ୍ୟକତା ପଡ଼ି ନ ପାରେ ।
ଗତ ଦେଢବର୍ଷ ଭିତରେ କୋଭିଡ଼ ଭୂତାଣୁ ସଂକ୍ରମଣ ସାରା ବିଶ୍ୱରେ ଏକ ପ୍ରକାର ନିତିଦିନିଆ ସଂକ୍ରମଣରେ ପରିଣତ ହୋଇସାରିଛି । ଅର୍ଥାତ୍ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ କୋଭିଡ଼ ସଂକ୍ରମଣକୁ ନେଇ ଆଶଙ୍କା ନାହିଁ । କିନ୍ତୁ ବିଭିନ୍ନ ଅଞ୍ଚଳର ଜଳବାୟୁ ଅନ୍ୟଠାରୁ ଭିନ୍ନ ହୋଇଥିବାରୁ କେତେକ କ୍ଷେତ୍ରରେ କୋଭିଡ଼ ସଂକ୍ରମଣ ସାଂଘାତିକ ରୂପ ନେଉଛି । ଏହାକୁ ରୋକିବା ପାଇଁ ବୁଷ୍ଟର ଡ଼ୋଜର ଆବଶ୍ୟକତା ପଡ଼ିପାରେ," କହିଛନ୍ତି ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ଼ା. ସନ୍ଦୀପ ମିଶ୍ର।
ତେବେ ଲୋକମାନଙ୍କୁ ଅନୁରୋଧ ବିନା ଡ଼ାକ୍ତରୀ ପରାମର୍ଶରେ ବୁଷ୍ଟର ଡ଼ୋଜ ନେବା ଅନୁଚିତ । କେବଳ ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କ ପାଇଁ ଏହା ଆବଶ୍ୟକ ପଡ଼ିପାରେ, ଯାହାକୁ ନେଇ ଏବେ ବି ବିତର୍କ ସରିନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।