ବଡ଼ କଷ୍ଟରେ ବିତିଲା ଏହି ୧୦ ଦିନ: ସିଲ୍ ଖୋଲିବା ପରେ କହୁଛନ୍ତି ଭୁବନେଶ୍ୱରର ୨ଟି ଅଞ୍ଚଳର ଲୋକେ

ସତ୍ୟ ନଗର, ବୋମିଖାଲ ଓ ସୁର୍ଯ୍ୟ ନଗରରେ ଏବେ ବି ସିଲ୍ ଜାରି ରହିଛି । ମେ ୩ ଯାଏଁ ଲକଡାଉନ ବଢ଼ାଯାଇଥିବାରୁ ଶହ ଶହ ପରିବାର, କ୍ଷୁଦ୍ର ବେପାରୀ ଓ ଦିନ ମଜୁରିଆଙ୍କ ଚିନ୍ତା ବଢ଼ିଛି ।

ବଡ଼ କଷ୍ଟରେ ବିତିଲା ଏହି ୧୦ ଦିନ: ସିଲ୍ ଖୋଲିବା ପରେ କହୁଛନ୍ତି ଭୁବନେଶ୍ୱରର ୨ଟି ଅଞ୍ଚଳର ଲୋକେ
ଯଦୁପୁରରେ ଗୋଟିଏ ଘରେ ସ୍ୱାସ୍ଥ୍ୟ କର୍ମୀମାନେ ସର୍ଭେ କରୁଛନ୍ତି ।
  • News18 Odia
  • Last Updated: April 15, 2020, 4:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦଶ ଦିନ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ସିଲ୍‌ ହୋଇ ରହିବା ପରେ ଯଦୁପୁର ଓ ସୁନ୍ଦରପଦାରୁ ଲୋକେ ଏବେ ଘରୁ ବାହାରକୁ ବାହାରି ପାରୁଛନ୍ତି, ହେଲେ ଲକଡାଉନ ନିୟମର ଅନୁପାଳନ କରୁଛନ୍ତି । ଏହି ଅଞ୍ଚଳରେ ରାସ୍ତା ଉପରେ ଲୋକେ ଯିବା ଆସିବା କରିବା ଦେଖାଯାଉଛି । ପରିବା, ଫଳ ଓ ଶୁଖୁଆ ଦୋକାନ ଆଦି ଖୋଲା ରହିଛି । ଆଶା କର୍ମୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦ୍ୱାରା ଘରକୁ ଘର ସର୍ଭେ ବି ଚାଲିଛି ।

ସତ୍ୟ ନଗର, ବୋମିଖାଲ ଓ ସୁର୍ଯ୍ୟ ନଗରରେ ଏବେ ବି ସିଲ୍‌ ଜାରି ରହିଛି । ଏହା ଭିତରେ ମେ ୩ ତାରିଖ ଯାଏଁ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଥିବାରୁ ସାଧାରଣ ଲୋକେ, କ୍ଷୁଦ୍ର ବେପାରୀ ଓ ଦିନ ମଜୁରିଆଙ୍କ ଚିନ୍ତା ବଢ଼ିଛି ।

‘‘ଏହି ଦଶ ଦିନ ବଡ଼ କଷ୍ଟରେ ବିତିଛି । ଆମ ଅଞ୍ଚଳ ସିଲ୍‌ ହେବା ଯୋଗୁଁ ବହୁ ଅସୁବିଧା ଭିତରେ ଆମେ ଏହି ଦଶ ଦିନ ରହିଲୁ । ଏବେ ଘରୁ ବାହାରିପାରୁଛୁ । ସିଲ୍‌ ହେବା ଦରକାର ଥିଲା । ଆମେ ଏବେ ଲକଡାଉନର ନିୟମ ମାନୁଛୁ,’’ କହିଛନ୍ତି ଯଦୁପୁର ବାସିନ୍ଦା ଟାରଜନ୍‌ ।

ଭୁବନେଶ୍ୱରରେ ଏକ ରାସ୍ତା କଡ଼ରେ ଲାଗିଥିବା କରୋନା ହୋର୍ଡ଼ିଂ ପାଖରେ ଠିଆ ହୋଇଛନ୍ତି କିଛି ସ୍ୱାସ୍ଥ୍ୟ କର୍ମୀ ।


ସପ୍ତାହବ୍ୟାପୀ ଘର ଘର ବୁଲି ହେବାକୁ ଥିବା ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେରେ ଲାଗିଥିବା ଆଶା କର୍ମୀ ସଲିମା ବିବି କହିଛନ୍ତି ଯେ ସେ ଲୋକଙ୍କ ପାଇଁ ରାତି ଦିନ କାମ କରୁଛନ୍ତି । ‘‘ସବୁ ବେଳେ ମୋ’ ଫୋନ୍‌ ଖୋଲା ଥାଏ । ଯିଏ ଯେତେବେଳେ କଲ୍‌ କରି ଡାକିବା ମାତ୍ରେ ମୁଁ ଦୁଆର ମୁହଁରେ ପହଞ୍ଚିଯାଏ । ନିଜ ଘର ଲୋକଙ୍କୁ ସମୟ ଦେଇ ପାରୁ ନ ଥିବାରୁ ସେମାନେ ବି ମୋ ଉପରେ ଅସନ୍ତୁଷ୍ଟ । ମୁଁ ମୋ’ ୱାର୍ଡ଼ର ଲୋକଙ୍କୁ ସବୁବେଳେ ସଚେତନ କରାଉଥାଏ,’’ କହିଛନ୍ତି ସଲିମା ବିବି ।

ରାଜ ମହଲ ଛକରେ ପ୍ଲାଷ୍ଟିକ ବିକି ଗୁଜୁରାଣ ମେଣ୍ଟାଉଥିବା ପି. ରେଣୁଙ୍କ ଅବସ୍ଥା କହିଲେ ନ ସରେ । ଭୋକ ଉପାସରେ ନିଜ ପିଲାଛୁଆଙ୍କୁ ନେଇ ପଡ଼ିରହୁଛନ୍ତି । ପୋଲିସ ତରଫରୁ ମିଳୁଥିବା ରନ୍ଧା ଖାଦ୍ୟ ହିଁ ଭରସା । ଯେଉଁ ଦିନ ମିଳେ ନାହିଁ, ସେଦିନ ଖଡ଼ା ଉପାସ । କଣ୍ଟ୍ରୋଲ ଚାଉଳ ଯଦିଓ ମିଳିଛି, ରୋଷେଇ ପାଇଁ ଗ୍ୟାସ ନାହିଁ କି ଷ୍ଟୋଭରେ ତେଲ ପାଇଁ ପଇସା ନାହିଁ ।

‘‘ଏବେ କିରୋସିନ୍‌ ତେଲ ବିକ୍ରି ହେଉନି। ପାଖରେ ଟଙ୍କା ପଇସା ବି ନାହିଁ । ପୋଲିସ ଗୋଟିଏ ବେଳ ଖାଇବାକୁ ଦେଉଛି । ଯେଉଁ ଦିନ ମିଳୁନି, ପାଣି ପିଇ ରହିବାକୁ ପଡୁଛି ।କଣ୍ଟ୍ରୋଲ ଚାଉଳ ମିଳୁଛି, କିନ୍ତୁ ରୋଷେଇ କରିବୁ କେମିତି? ଭଗବାନଙ୍କ ଭରସାରେ ବଞ୍ଚିଛୁ,’’ କହିଛନ୍ତି ରେଣୁ ।
First published: April 15, 2020, 4:48 PM IST
corona virus btn
corona virus btn
Loading