କିଛି ଖୁସି, କିଛି ଦୁଃଖ: ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ୨ ଜଣ ନୂଆ ପଜିଟିଭ୍

ରାଜ୍ୟରେ ଗୋଟିଏ ଦିନରେ ଦଶ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାରୁ ଆତଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି । ଆଉ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ମୋଟ ୩୭ ଜଣ ଚିକିତ୍ସାଧୀନ ଅଛନ୍ତି ।

କିଛି ଖୁସି, କିଛି ଦୁଃଖ: ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ୨ ଜଣ ନୂଆ ପଜିଟିଭ୍
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୫୪୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଛି । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 11, 2020, 1:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ଗୋଟିଏ ଦିନରେ ଦଶ ଜଣ ସୁସ୍ଥ ହୋଇଛନ୍ତି । ଏହି ଖୁସିର ଖବର ସହିତ କିଛି ଦୁଃଖ ଓ ଚିନ୍ତାର ଖବର ବି ଆସିଛି । ଆଉ ଦୁଇ ଜଣ ବ୍ୟକ୍ତି କରୋନା ଭାଇରସ୍‌ ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ୱିଟ୍‌ କରି ଜଣେଇଛି ଯେ ରାଜ୍ୟରେ ଚିକିତ୍ସାଧୀନ ଥିବା ୪୫ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତିଙ୍କ ମଧ୍ୟରୁ ଦଶ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେମାନଙ୍କ ଠାରୁ ନିଆଯାଇଥିବା ତାଜା ନମୂନାର ପରୀକ୍ଷାରୁ ସେମାନେ ନେଗେଟିଭ୍‌ ବୋଲି ଜଣା ପଡ଼ିବା ପରେ ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହି ଦଶ ଜଣଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରରୁ ୫ ଜଣ, ଭଦ୍ରକରୁ ୨ ଜଣ, ଆଉ କଟକ, ଯାଜପୁର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ।

କରୋନା ସଂକ୍ରମଣର ଦୁଇଟି ତାଜା ମାମଲା ଶୁକ୍ରବାର ରାତିରେ ସାମନାକୁ ଆସିବା ପରେ ରାଜ୍ୟରେ ମୋ’ଟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୫୦ ହୋଇଛି । ଏଥିରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ୩୭ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧାଉଛନ୍ତି ଜଣେ ପୋଲିସ୍ କର୍ମୀ ।


ଗୁରୁବାର ଦିନ ଭୁବନେଶ୍ୱରର ଝାରପଡ଼ା ବାସିନ୍ଦା ଦୁଇ ଜଣ ଶିଶୁ ଓ ତାଙ୍କ ମାଆ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା । ସେମାନେ ରାଜ୍ୟରେ ଏହି ରୋଗରେ ପ୍ରାଣ ହରେଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣା ପଡ଼ିଛି । ଏମାନଙ୍କ ବ୍ୟତୀତ ଆକ୍ରାନ୍ତ ଚତୁର୍ଥ ବ୍ୟକ୍ତି ଜଣକ କଳାହାଣ୍ଡି ଜିଲ୍ଲାର ଜଣେ ୨୦ ବର୍ଷୀୟ ଯୁବକ ।

ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୫୪୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନମୁନା ପରୀକ୍ଷା କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ପରୀକ୍ଷା ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟାର ୧.୪୭ ପ୍ରତିଶତ ବୋଲି ଆଜି ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି । ୧୦୦ରୁ ଅଧିକ ଲୋକଙ୍କୁ ବିଭିନ୍ନ ହସପିଟାଲରେ ବିଚ୍ଛିନ୍ନତାରେ (isolation)ରେ ରଖାଯାଇଛି ।

ଓଡ଼ିଶାରେ କରୋନା ଭାଇରସ୍‌ ପାଇଁ ନମୁନା ପରୀକ୍ଷା କ୍ଷମତାକୁ ୧,୧୨୫କୁ ବୃଦ୍ଧି କରାଯିବାକୁ ଯୋଜନା ହୋଇଛି । ଏପ୍ରିଲ ୧୩ରୁ ବ୍ରହ୍ମପୁରରେ ଦୈନିକ ୨୫ଟି ନମୁନା ପରୀକ୍ଷା ହୋଇପାରିବ । ଏପ୍ରିଲ ୧୫ରୁ ବୁର୍ଲାରେ ବି ଦୈନିକ ୨୫ଟି ନମୁନା ପରୀକ୍ଷା ହୋଇପାରିବ । ଏବେ ଭୁବନେଶ୍ବରରେ RMRC, ଏମ୍‌ସ ଓ ILSରେ ପରୀକ୍ଷା ବ୍ୟବସ୍ଥା ଅଛି । କଟକ SCB ହସ୍ପିଟାଲରେ ବି କରୋନା ପରୀକ୍ଷା କରାଯାଉଛି ।

ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ନଅଟି କୋଭିଡ-୧୯ ହସପିଟାଲ ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ ୧,୭୯୭ଟି ଶଯ୍ୟା ଅଛି । ସରକାର ଏମିତି ୨୪ଟି ହସପିଟାଲ ପ୍ରସତୁତ କରିବାକୁ ଲକ୍ଷ ରଖିଛନ୍ତି ବୋଲି ସୂଚନା ଓ ଜନ ସମ୍ପର୍କ ସଚିବ ସଞ୍ଜୟ ସିଂ ଆଜି କହିଛନ୍ତି ।
First published: April 11, 2020, 1:00 AM IST
corona virus btn
corona virus btn
Loading