News18 Odia Digital
ବିହାର: ବର୍ତ୍ତମାନ ଚୀନ ଏବଂ ୟୁରୋପ ମହାଦେଶରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ନେଇ ଭାରତସରକାର ଚିନ୍ତାପ୍ରକଟ କରିଥିବାବେଳେ ଏଥିରେ ଆକ୍ରାନ୍ତ ହୋଇଥିବା ପ୍ରଥମ ରୋଗୀଙ୍କ ସମ୍ପର୍କରେ ସୂଚନା ମିଳିଛି । ଭାରତ ସରକାର ଚୀନରୁ ଯେପରି ଏହି ରୋଗ ଭାରତକୁ ନ ଆସେ ସେଥିପାଇଁ ଯଥାସମ୍ଭବ ପଦକ୍ଷେପ ନେଉଥିବାବେଳେ ଚୀନର ତିଆନଜିନରୁ ଗତ ସପ୍ତାହରେ ଭାରତ ଫେରିଥିବା ଜଣେ ରିସର୍ଚ୍ଚ ସ୍କଲାର ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
୨୯ ବର୍ଷୀୟ ଏହି ରିସର୍ଚ୍ଚ ସ୍କଲାର ଛାତ୍ରୀ ଜଣଙ୍କ ଚୀନର ତିଆନଜିନରୁ ଗତ ୨୨ତାରିଖରେ କଲିକତା ଫେରିଥିଲେ । ଏହାର ଗୋଟିଏ ଦିନ ପରେ ସେ ବିହାରର ଛପରାସ୍ଥିତ ନିଜ ଘରକୁ ଯାଇଥିଲେ । ତାଙ୍କ ବାପା ଛପରାରେ ଏକ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଅଛନ୍ତି ।
ତାଙ୍କୁ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲରେ ରଖାଯାଇଥିବାବେଳେ ତାଙ୍କୁ କୋରୋନା ଭାଇରସ ହୋଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । କୋରୋନା ଭାଇରସ ଯୋଗୁଁ ଚୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।
ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ତାଙ୍କର ରକ୍ତ ନମୁନା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିର୍ଗୋଲୋଜି, ପୁଣେକୁ ଟେଷ୍ଟ କରିବା ଲାଗି ପଠାଯାଇଛି । ସେ ଘରକୁ ଫେରିବା ପରେ ତାଙ୍କୁ ଜ୍ବର ସହ ଥଣ୍ଡା ଏବଂ କାଶ ହୋଇଥିଲା । ପରେ ତାଙ୍କର ଭଉଣୀ ଯିଏ ପୁଣେରେ ରୁହନ୍ତି ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭାଗକୁ ହେଲପଲାଇନ ନମ୍ବର ମାଧ୍ୟମରେ ସୂଚନା ଦେଇଥିଲେ ।
ତାଙ୍କୁ ପ୍ରଥମେ ସାରଣ ସଦର ହସ୍ପିଟାଲରେ ଆଡମିଟ କରାଯାଇଥିବାବେଳେ ପରେ ତାଙ୍କୁ ପାଟନା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସିଭିଲ ସର୍ଜନ ମହେଶ୍ବର ଝା କହିଛନ୍ତି ଯେ, ‘‘ ମହିଳାଙ୍କୁ ପ୍ରଥମେ ସାରଣ ସଦର ହସ୍ପିଟାଲରେ ଅଲଗା ଓ୍ବାର୍ଡ଼ରେ ରଖାଯାଇଥିଲା । ତାଙ୍କୁ ତାଙ୍କର ପରିବାର ସଦସ୍ୟ ଏଠାରୁ ନେଇଯିବାକୁ ଅନିଚ୍ଛା ପ୍ରକାଶ କରୁଥିବାବେଳେ ଆମେ କୌଣସି ରିସ୍କ ନେବାକୁ ଚାହିଁଲୁନି‘‘ ।
ମହିଳା ଜଣଙ୍କ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ କହିଥିଲେ ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ଶରୀରର ତାପମାତ୍ରା ୯୭ରୁ ୯୮ ଡିଗ୍ରୀ ଫାରେନହାଇଟ ରହିଛି । ଏହା ସହ ସେ ଡାକ୍ତର ଏବଂ ଅଫିସିଆଲମାନେ ତାଙ୍କୁ ଜୋର ଜବରଦସ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଅଭିଯୋଗ କରିଥିଲେ ।
ତେବେ ପାଟାନା ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର କର୍କ କହିଛନ୍ତି ଯେ, ଆମର ଏମଜେନ୍ସି ବିଭାଗକୁ ହାଇଆଲର୍ଟରେ ରଖାଯାଇଛି । ରୋଗୀଙ୍କୁ ଆମର ଏମରଜେନ୍ସି ଓ୍ବାର୍ଡ଼ର ଅଲଗା ଚ୍ୟାମ୍ବରରେ ରଖାଯାଇଛି‘‘ ବୋଲି କହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।