ଏବେ ସ୍ୱିଗି ଓ ଜୋମାଟୋରୁ ପହଞ୍ଚିବ ଖାଦ୍ୟ; ପସନ୍ଦ ଆପଣଙ୍କର, ରୋଷେଇ ଓଟିଡିସିର

ରାଜଧାନୀବାସୀଙ୍କ ଅର୍ଡର ଅନୁସାରେ ପାନ୍ଥନିବାସରେ ପ୍ରସ୍ତୁତ ହେବ ଖାଦ୍ୟ । ଆଗକୁ ରଜ ପର୍ବ ଥିବାରୁ ପାନ୍ଥନିବସ ରଜ ପିଠା ମଧ୍ୟ ହୋମ ଡେଲିଭରି କରିବ ସ୍ୱିଗି ଓ ଜୋମାଟୋ ଜରିଆରେ ।

ଏବେ ସ୍ୱିଗି ଓ ଜୋମାଟୋରୁ ପହଞ୍ଚିବ ଖାଦ୍ୟ; ପସନ୍ଦ ଆପଣଙ୍କର, ରୋଷେଇ ଓଟିଡିସିର
ସ୍ୱିଗି ଓ ଜୋମାଟୋ ସହ ଚୁକ୍ତି ପତ୍ର ସ୍ବାକ୍ଷର କରିବା ପରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ମଝି) ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଜାରି ଥିବା ଲକଡାଉନରେ ଲୋକେ ନିଜର ସୁରକ୍ଷା ପାଇଁ ପାଖାପାଖି ଦୁଇ ମାସ ହେବ ଘରେ ରହିଛନ୍ତି । ବାହାରକୁ ଠିବା ଓ ବାହାରେ ଖାଇବା ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯାଇଥିବା ବେଳେ ରାଜ୍ୟବାସୀଙ୍କୁ ସୁସ୍ୱାଦୁ ହୋଟେଲ ଖାଦ୍ୟ ଖୁଆଇବାର ଏକ ଯୋଜନା ଆରମ୍ଭ କରିଛି ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓ.ଟି.ଡି.ସି.)।

ଆପଣ ପସନ୍ଦ କରିବେ କଣ ଖାଇବେ, ଆଉ ସେହି ଡିସ୍‌ ରୋଷେଇ କରି ଆପଣଙ୍କ ପାଖରେ ପହଞ୍ଚାଇବ ଓଟିଡିସି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ରେ ଓଟିଡିସି ଏହି ସେବା ଯୋଗାଇ ଦେବ। ଏ ନେଇ ଆଜି ଭୁବନେଶ୍ୱର ପାନ୍ଥନିବାସରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱିଗି ଓ ଜୋମାଟୋ ସହ ଚୁକ୍ତି ପତ୍ର ସ୍ବାକ୍ଷର କରିଛନ୍ତି । ଓଟିଡିସି ଦ୍ୱାରା ପ୍ରସ୍ତୁତ ରନ୍ଧା ଖାଦ୍ୟକୁ ସ୍ୱିଗି ଓ ଜୋମାଟୋ ପକ୍ଷରୁ ଘରେ ଘରେ ଡେଲିଭରି ଦିଆଯିବା ନେଇ ଚୁକ୍ତି ହୋଇଛି ।

ପାନ୍ଥନିବାସରେ ସାଧାରଣ ଲୋକଙ୍କ ଅର୍ଡର ରଖାଯାଇ ସେଠାରେ ହିଁ ପ୍ରସ୍ତୁତ ହେବ ଖାଦ୍ୟ । ସେହି ରନ୍ଧା ଖାଦ୍ୟକୁ ଆପଣଙ୍କ ପାଖରେ ପହଞ୍ଚାଇବେ ସ୍ୱିଗି ଓ ଜୋମାଟୋ ।

ଲୋକେ ଓଟିଡିସିରୁ ଅନଲାଇନ୍ ଅର୍ଡ଼ର୍ କରିପାରିବେ ଖାଦ୍ୟ ।


‘‘କୋଭିଡ-୧୯ ଯୋଗୁଁ ଲୋକେ ଘରେ ରହୁଥିବାରୁ ରାଜ୍ୟ ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି । ସମ୍ପୂର୍ଣ ହାଇଜିନ ସହ ଆପଣଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ଆମେ ପ୍ରସ୍ତୁତ ଅଛୁ,’’ କହିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

କୋଭିଡ-୧୯ ଯୋଗୁଁ କୌଣସି ପର୍ବ ପର୍ବାଣୀ ପାଳନ ହୋଇ ପାରୁନାହିଁ । ଆଗକୁ ରଜ ପର୍ବ ଥିବାରୁ ପାନ୍ଥନିବସ ରଜ ପିଠା ମଧ୍ୟ ହୋମ ଡେଲିଭରି କରିବ ସ୍ୱିଗି ଓ ଜୋମାଟୋ ଜରିଆରେ । ପ୍ରତି ବର୍ଷ ପାନ୍ଥନିବାସରେ ଦୋଳି, ପାରମ୍ପରିକ ଓଡ଼ିଆ ପିଠା ପଣା ଓ ରଜ ପାନ ସହ ବେଶ ଧୁମଧାମରେ ପାଳନ ହୁଏ ରଜ । ଏହାକୁ ଉପଭୋଗ କରିବା ପାଇଁ ସହ ଶହ ସଖ୍ୟାରେ ଲୋକଙ୍କ ଭିଡ଼ ଲାଗେ ଏଠି। ହେଲେ ଏ ବର୍ଷ ସେଇ ମଉଜ ମଜଲିସରେ ପର୍ବ ପାଳନ ହୋଇପାରିବ କି ନାହିଁ ତାହା ଅନିଶ୍ଚିତତାରେ ଅଛି । ତେଣୁ ଘରେ ରହି ଆପଣ ଦୋଳି ଖେଳନ୍ତୁ ଓ ଓଟିଡିସି ଆପଙ୍କ ପାଖକୁ ସେଇ ପାରମ୍ପରିକ ପିଠା ପହଞ୍ଚାଇବାକୁ ଆଜି ଚୁକ୍ତି ସ୍ୱାକ୍ଷରିତ କରିଛି ।

ପୋଡ଼ ପିଠା ଠାରୁ ଆରମ୍ଭ କରି କାକରା, ଆରିଶା, ଏଣ୍ଡୁରି ଓ ଛୁଞ୍ଚିପତ୍ର ପିଠା ସହ ଭଳିକି ଭଳି ମିଠାରେ ମହକିବ ଆପଣଙ୍କ ଘର । ଖାଲି ସେତିକି ନୁହେଁ ରଜ ପାନ ବି ପହଞ୍ଚାଇବ ଓଟିଡିସି ।

‘‘ପାରମ୍ପରିକ ପିଠା ସାଙ୍ଗକୁ ଆମିଷ ଓ ନିରାମିଷ ଖାଦ୍ୟ ବି ମିଳିବ । ଖୁବ ଶୀଘ୍ର ଅନ୍ୟ ସମସ୍ତ ପାନ୍ଥନିବସରେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ,’’ କହିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।
First published: May 8, 2020, 9:14 PM IST
corona virus btn
corona virus btn
Loading