କରୋନା ଭାଇରସ୍: କଟକ ବଡ଼ ମେଡିକାଲକୁ ଅଣାଗଲା ଫୁଲବାଣୀର ସନ୍ଦିଗ୍ଧ ରୋଗୀଙ୍କୁ; ଅବସ୍ଥା ସ୍ଥିର

ଏହି ସନ୍ଦିଗ୍ଧ କରୋନା ରୋଗୀ ଚ଼ୀନରେ ଡାକ୍ତରୀ ପଢ଼ୁଥିଲେ । ସେ ଗତ ୧୧ ତାରିଖରେ ଓଡିଶା ଫେରିଥିଲେ । ଗତ ତିନି ଦିନ ହେଲା ସେ ଥଣ୍ଡା ଓ କାଶରେ ଆକ୍ରାନ୍ତ ହେବା ପରେ ସ୍ୱଇଚ୍ଛାରେ ଯାଞ୍ଚ ପାଇଁ ଆସିଥିଲେ ।

କରୋନା ଭାଇରସ୍: କଟକ ବଡ଼ ମେଡିକାଲକୁ ଅଣାଗଲା ଫୁଲବାଣୀର ସନ୍ଦିଗ୍ଧ ରୋଗୀଙ୍କୁ; ଅବସ୍ଥା ସ୍ଥିର
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 1, 2020, 6:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏସସିବି ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଫୁଲବାଣୀର ସନ୍ଦିଗ୍ଧ କରୋନା ଭାଇରସ୍‌ ରୋଗୀ । ଏଠାରେ ଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ତାଙ୍କୁ ରଖାଯିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ । ଆଜି ସମ୍ପୃକ୍ତ ରୋଗୀଙ୍କ ରକ୍ତ ଓ ସ୍ୱାବ୍‌ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ଶନିବାର ଭୋରରୁ ସମ୍ପୃକ୍ତ ରୋଗୀ ଜଣଙ୍କ ଏସସିବିରେ ପହଁଚିବା ପରେ ଏଠାରେ ଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହା ପରେ ଶନିବାର ସକାଳୁ ଏକ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟା ପରୀକ୍ଷା କରିବା ସହ ତାଙ୍କର ରକ୍ତ ଓ ସ୍ବାବ ସଂଗ୍ରହ କରି ସେଗୁଡିକୁ ଭୁବନେଶ୍ବର ଠାରେ ଥିବା ଆର.ଏମ.ଆର.ସି ଜରିଆରେ ପୁନେ ସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପରୀକ୍ଷା ପାଇଁ ପଠାଇଛି ।

‘‘ମୋ’ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ଅଛି । ମୋତେ ସାଧାରଣ ଥଣ୍ଡା ଓ କାଶ ଅଛି । ଏହା ଜଳବାୟୁ ପରିବର୍ତ୍ତନ ଯୋଗୁଁ ବି ହୋଇଥାଇ ପରେ । କିନ୍ତୁ ଚ଼ୀନରୁ ଫେରୁଥିବା ଲୋକଙ୍କୁ ଯାଞ୍ଚ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଥିବାରୁ ମୋ’ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ମୁଁ କନ୍ଧମାଳ ସିଡିଏଓଙ୍କ ଲିଖିତ ଭାବେ ଜଣାଇଥିଲି,’’ ଏସସିବିରେ ଭର୍ତ୍ତି ହେଉଥିବା ସମୟରେ କହିଛନ୍ତି ସନ୍ଦିଗ୍ଧ ରୋଗୀ, ଯିଏ ଚ଼ୀନରେ ଡ଼ାକ୍ତରୀ ପଢ଼ୁଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରୀ କରାଯାଇଥିବା ଗାଇଡଲାଇନ ଅନୁସାରେ ଯେଉଁ ଲୋକମାନେ ଜାନୁଆରି ୧୫ ତାରିଖ ପରେ ଚ଼ୀନର ଉଇହାନ୍ ପ୍ରଦେଶରୁ ଆସିଥିବେ ସେମାନଙ୍କୁ ସନ୍ଦିଗ୍ଧ କରୋନା ରୋଗୀ ଭାବେ ବିବେଚନା କରାଯିବ । କିନ୍ତୁ ସମ୍ପୃକ୍ତ ଯୁବକ ଜଣଙ୍କ ଉଇହାନ୍ ଠାରୁ ଶହେ କିଲୋମିଟର ଦୂର ସିଙ୍ଗଜାଙ୍ଗ୍ ପ୍ରଦେଶରୁ ଆସିଛନ୍ତି ।

‘‘ତାଙ୍କୁ ପଲ୍ୟୁମନାରୀ ବିଭାଗର ଡାକ୍ତରମାନେ ପରୀକ୍ଷା କରିଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ସ୍ଥିର ରହିଛି । ଯାହା ଯାହା ଲକ୍ଷଣ ତାଙ୍କ ଠାରେ ପରିଲକ୍ଷିତ ହେଉଛି ସେହି ଅନୁସାରେ ଚିକିତ୍ସା କରାଯାଉଛି । ଯେତେବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବ ଆମେ ତାଙ୍କୁ ଡିସଚାର୍ଯ୍ୟ କରିବୁ,” କହିଛନ୍ତି ଏସସିବିର ଜରୁରୀକାଳିନ ବିଭାଗର ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହି ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା ପାଇଁ ଏସସିବିରେ ଏକ ନଅ ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି । ଏହି ଟିମରେ ପଲ୍ୟୁମନାରୀ, ମେଡିସିନ, ଆନାସ୍ଥିସିଓଲୋଜି, କମ୍ୟୁନିଟି ମେଡିସିନ, ମାଇକ୍ରୋବାୟୋଲୋଜି ଓ ଇଏନଟି ବିଭାଗର ବିଭାଗୀୟ ମୁଖ୍ୟ ସାମିଲ ଅଛନ୍ତି ।

ପରୀକ୍ଷା ରିପୋର୍ଟ ଆସିବା ପାଇଁ ପ୍ରାୟ ତିନିରୁ ଚ଼ାରି ଦିନ ସମୟ ଲାଗିବ, କିନ୍ତୁ ଏହାରି ମଧ୍ୟରେ କରୋନା ୱାର୍ଡରେ ଭର୍ତ୍ତି ହୋଇଥିବା ଏହି ସନ୍ଦିଗ୍ଧ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ  ୨୪ ଘଣ୍ଟା ନଜର ରଖିଛନ୍ତି ।

ଫୁଲବାଣୀ ବାସିନ୍ଦା ସମ୍ପୃକ୍ତ ଯୁବକ ଜଣଙ୍କ ଚ଼ୀନର ସିଙ୍ଗଜାଙ୍ଗ୍ ପ୍ରଦେଶରେ ରହି ଡାକ୍ତରୀ ପାଠ୍ୟକ୍ରମ ଅଧ୍ୟୟନ କରୁଥିଲେ । ସେ ୧୧ ତାରିଖରେ ଓଡିଶା ଫେରି ଆସିବା ପରେ ଗତ ତିନି ଦିନ ହେଲା  ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିଲା ଓ ସ୍ୱଇଚ୍ଛାରେ ଯାଞ୍ଚ ପାଇଁ ଆସିଥିଲେ ।
First published: February 1, 2020, 6:48 PM IST
corona virus btn
corona virus btn
Loading