ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଆସିପାରିବେ; ହାଇ କୋର୍ଟ ରାୟ ଉପରେ ସୁପ୍ରିମ୍ କୋର୍ଟଙ୍କ ରହିତାଦେଶ ଜାରି

ହାଇ କୋର୍ଟ ଗତ କାଲି କହିଥିଲେ ଯେ ବିନା କରୋନା ଟେଷ୍ଟରେ କୌଣସି ପ୍ରବାସୀ ଓଡ଼ିଆ ରାଜ୍ୟକୁ ପ୍ରବେଶ କରିପାରିବେ ନାହିଁ ଓ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳିବ ।

ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଆସିପାରିବେ; ହାଇ କୋର୍ଟ ରାୟ ଉପରେ ସୁପ୍ରିମ୍ କୋର୍ଟଙ୍କ ରହିତାଦେଶ ଜାରି
ସୁପ୍ରିମ୍‌ କୋର୍ଟ (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ବିନା କୌଣସି କଟକଣାରେ ପୂର୍ବ ପରି ଆସିପାରିବେ । ଗତ କାଲି ଓଡ଼ିଶା ହାଇ କୋର୍ଟ ପ୍ରବାସୀ ଓଡ଼ିଆଙ୍କ ପ୍ରସଙ୍ଗରେ ଦେଇଥିବା ରାୟ ଉପରେ ଆଜି ସୁପ୍ରିମ କୋର୍ଟ ରହିତାଦେଶ ଜାରି କରିଛନ୍ତି ।

ହାଇ କୋର୍ଟ କହିଥିଲେ ଯେ ବିନା କରୋନା ଟେଷ୍ଟରେ କୌଣସି ପ୍ରବାସୀ ଓଡ଼ିଆ ରାଜ୍ୟକୁ ପ୍ରବେଶ କରିପାରିବେ ନାହିଁ ଓ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ସେମାନଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ମିଳିବ । ଏହି ଆଦେଶ ଆସିବା ପରେ ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିବାକୁ ଥିବା ତିନୋଟି ଟ୍ରେନକୁ ସେଠାକାର ରାଜ୍ୟ ସରକାର ବାତିଲ କରିଥିଲେ ।

ଦେଶର ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଗତ କିଛି ଦିନ ଭିତରେ ଓଡ଼ିଶା ଫେରିବା ପରେ ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟରେ କରୋନା ଭାଇରସ୍‌ ପଜିଟିଭ୍‌ ପରୀକ୍ଷୀତ ହେଉଥିବାରୁ ଓ ରାଜ୍ୟରେ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସଂଖ୍ୟା ଲଗାତର ବଢ଼ୁଥିବାରୁ ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ହାଇ କୋର୍ଟଙ୍କ କାଲି ଏହି ରାୟ ଦେଇଥିଲେ ।

ସୁପ୍ରିମ୍‌ କୋର୍ଟର ନ୍ୟାୟମୂର୍ତ୍ତି ଅଶୋକ ଭୂଷଣ, ନ୍ୟାୟମୂର୍ତ୍ତି ଏସ୍‌.କେ. କାଉଲ୍‌ ଓ ନ୍ୟାୟମୂର୍ତ୍ତି ବି.ଆର୍‌. ଗୱାଇଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଆଜି ଓଡ଼ିଶା ହାଇ କୋର୍ଟଙ୍କ ରାୟ ଉପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦାୟର କରିଥିବା ଏକ ପିଟିସନର ଶୁଣାଣି କରି ସେହି ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ।

‘‘ଏହି (ହାଇ କୋର୍ଟଙ୍କ) ଆଦେଶ ସରକାର ଓ ନିଜ ଘରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନଙ୍କ ଆଗରେ ଏକ ଅଯୌକ୍ତିକ ଓ ଅସମ୍ଭବ ପୂର୍ବ-ଅବସ୍ଥା ସୃଷ୍ଟି କରୁଛି,’’ ସୁପ୍ରିମ୍‌ କୋର୍ଟ୍‌ କହିଛନ୍ତି ।

ଗତ କାଲି ପ୍ରବାସୀ ଓଡ଼ିଆଙ୍କ ପ୍ରସଙ୍ଗରେ କଟକ ଗୋପାଳପୁର ବାସିନ୍ଦା ଓ ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ଦାୟର କରିଥିବା ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ନିଜ ରାୟରେ କହିଥିଲେ ଯେ ବିନା ଟେଷ୍ଟରେ ଓଡ଼ିଶା ସୀମାରେ କେହି ପ୍ରବେଶ କରିପାରିବେ ନାହିଁ । ନ୍ୟାୟମୂର୍ତ୍ତି ଏସ୍‌. ପଣ୍ଡା ଓ ନ୍ୟାୟମୂର୍ତ୍ତି କେ.ଆର୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ଟେଷ୍ଟ କରି ଓଡ଼ିଶାରେ ପ୍ରବେଶ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହାଇ କୋର୍ଟ କହିଥିଲେ ଯେ ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ ଅଛନ୍ତି ସେଇଠି ତାଙ୍କର ଟେଷ୍ଟ ହେବ ଓ ଏହି ଟେଷ୍ଟ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ । ମାତ୍ର ବର୍ତ୍ତମାନ ସୁପ୍ରିମ୍‌ କୋର୍ଟଙ୍କ ରହିତାଦେଶ ଆସିବା ପରେ ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ବିନା କଟକଣାରେ ପ୍ରବାଶ କରିପାରିବେ ଓ ଏଇଠି ସେମାନଙ୍କର ଟେଷ୍ଟ ହେବ ।
First published: May 8, 2020, 5:19 PM IST
corona virus btn
corona virus btn
Loading