ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତି
ଏହି ଗବେଷଣା ଭିନ୍ନ ଭିନ୍ନ ପରିବାରରୁ ୨୧ରୁ ୩୨ ବର୍ଷ ବୟସ୍କ ଦୁଇ-ଦୁଇ ଭାଇଙ୍କ ଉପରେ କରାଯାଇଥିଲା । ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା । କିନ୍ତୁ ୨୩ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ସମସ୍ତେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 27, 2020, 7:27 PM IST
ନୂଆ ଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍ (Coronavirus) ମହାମାରୀର ପ୍ରକୋପ ଜାରି ରହିଛି । କିନ୍ତୁ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ମହାମାରୀର ଅଧିକ ଶିକାର ହେଉଛନ୍ତି । କାହିଁକି କରୋନା ଭୂତାଣୁ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ଶିକାର ବନାଉଛି? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଜାଣିବା ପାଇଁ ବୈଜ୍ଞାନିକମାନେ ଅନେକ ମାସ ଧରି ଗବେଷଣା (Research) କରୁଛନ୍ତି । କିଛି ସିଦ୍ଧାନ୍ତ ଏହା ପୂର୍ବରୁ ମଧ୍ୟ ପ୍ରକାଶ ପାଇଛି । କିନ୍ତୁ ନୂତନ ଗବେଷଣାରେ ଚାରି ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣଙ୍କର ଅତି ବିରଳ ଜେନେଟିକ୍ ସମସ୍ୟା ଥିବା ହେତୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ ମିଳିଥିଲା ।
ନ୍ୟୁୟର୍କ ଟାଇମ୍ସ (New York Times) ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ଚାରି ଜଣ କରୋନା ରୋଗୀଙ୍କ ଉପରେ କରାଯାଇଥିବା ଏହି ଅଧ୍ୟୟନରେ କରୋନା ଭୂତାଣୁ କାହିଁକି ସମ୍ପୂର୍ଣ୍ଣ ସୁସ୍ଥ ଥିବା ପୁରୁଷ ଲୋକଙ୍କୁ ଗୁରୁତର ଭାବରେ ଅସୁସ୍ଥ କରେ ତା’ର ସଙ୍କେତ ମିଳିଛି । ଏହି ଅଧ୍ୟୟନର ନେଦରଲ୍ୟାଣ୍ଡର ଭିନ୍ନ ଭିନ୍ନ ପରିବାରରୁ ୨୧ରୁ ୩୨ ବର୍ଷ ବୟସ୍କ ଦୁଇ-ଦୁଇ ଭାଇଙ୍କ ଉପରେ କରାଯାଇଥିଲା । ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା । କିନ୍ତୁ ୨୩ ମାର୍ଚ୍ଚରୁ ୨୫ ଏପ୍ରିଲ ମଧ୍ୟରେ ସମସ୍ତେ କରୋନା ଭାଇରସରେ ସଂକ୍ରମିତ ହେବା କାରଣରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡି଼ଥିଲା । ସେମାନଙ୍କ ମଧ୍ୟରୁ ୨୯ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବି ହୋଇଥିଲା ।
ଯେତେବେଳେ କରୋନା ରୋଗୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କର ଜେନେଟିକ୍ ବିଶ୍ଳେଷଣ କରାଗଲା ସେଥିରେ କିଛି ତ୍ରୁଟି ରହିଥିବା ଦେଖିବାକୁ ମିଳିଥିଲା । ଏହି ତ୍ରୁଟି ହେତୁ ସେମାନଙ୍କ ଶରୀରର ସେଲମାନେ ଇଣ୍ଟରଫରେନ୍ସ ନାମକ ଏକ ଅଣୁ ତିଆରି କରୁଥିଲେ । ଏହି ଅଣୁଗୁଡ଼ିକ ବ୍ୟକ୍ତିର ପ୍ରତିରକ୍ଷା ପ୍ରଣାଳୀ (immune system) ଉପରେ ଖରାପ ପ୍ରଭାବ ପକାନ୍ତି, ଯେଉଁଥି ପାଇଁ ସେମାନଙ୍କ ଶରୀର କରୋନା ଭାଇରସ୍ ସହିତ ଭଲ ଭାବେ ଲଢ଼ିବାରେ ସକ୍ଷମ ହୁଏ ନାହିଁ ।

ବିଶ୍ୱରେ କରୋନା ସଂକ୍ରମଣରେ ଏ ପର୍ଯ୍ୟନ୍ତ ସାଢ଼େ ଛଅ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲାଣି ।
ତଥାପି ଗବେଷକମାନେ କହିଛନ୍ତି ଯେ ଏହି ଜେନେଟିକ୍ ସମସ୍ୟା ଅତ୍ୟନ୍ତ ବିରଳ। ତେଣୁ ଏହାକୁ କରୋନାର ସମସ୍ତ ଗୁରୁତର ମାମଲା ସହିତ ଯୋଡିବା ଅନୁଚିତ ହେବ । କିନ୍ତୁ ଏହି ଅଧ୍ୟୟନର ଫଳାଫଳ ସୂଚିତ କରିଛି ଯେ ଅନ୍ୟ ଲୋକଙ୍କ ଶରୀରରେ ଭିନ୍ନ ପ୍ରକାର ଜେନେଟିକ ସମସ୍ୟା ଉପସ୍ଥିତ ଥାଇପାରେ, ଯେଉଁଥିପାଇଁ ସେମାନେ କରୋନା ସଂକ୍ରମଣରେ ଅଧିକ ଅସୁସ୍ଥ ହୋଇପଡ଼ନ୍ତି । ମେଡିକାଲ ଜର୍ଣ୍ଣାଲ ‘ଜାମା’ରେ (Medical Journal Jama) ଏହି ଗବେଷଣାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ ପାଇଛି ।
ଏହା ବି ପଢ଼ନ୍ତୁ: ଅଗଷ୍ଟ ୧ରୁ ଅନଲକ୍-୩ ଆରମ୍ଭ ହେବ; ଖୋଲିପାରେ ସିନେମା ହଲ୍; ଜିମ୍ ପାଇଁ ବି ଅନୁମତି ମିଳିପାରେ
ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା: ମହେଶ ଭଟ୍ଟଙ୍କ ସହ ଅଢ଼େଇ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ
ଏହି ଅଧ୍ୟୟନରେ ଚାରି ଜଣ କରୋନା ରୋଗୀଙ୍କ ଯେଉଁ ଜିନରେ ତ୍ରୁଟି ମିଳିଥିଲା ଯାହା X କ୍ରୋମୋଜୋମରେ ଥିଲା । ପୁରୁଷମାନଙ୍କ ଶରୀରରେ X କ୍ରୋମୋଜୋମର ଗୋଟିଏ କପି ଥିବା ବେଳେ ମହିଳାମାନଙ୍କରେ ଦୁଇଟି ଥାଏ । ଯଦି ମହିଳାମାନଙ୍କର ଗୋଟିଏ X କ୍ରୋମୋଜୋମରେ ତ୍ରୁଟି ଥାଏ, ତେବେ ତାହା ଅନ୍ୟ X କ୍ରୋମୋଜୋମରେ ଭଲ ହୋଇପାରେ । ସାଧାରଣ ଜିନର ଦୁଇଟି କପି ଉପସ୍ଥିତି ଥିବା ହେତୁ ମହିଳାମାନଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ଲାଭ ମିଳୁଥିବ ବୋଲି ଏହି ଅଧ୍ୟୟନରୁ ସଙ୍କେତ ମିଳିଛି ।