ବାହୁଡ଼ା ଯାତ୍ରା ପାଇଁ ପୁରୀର ସବୁ ପ୍ରବେଶ ପଥ ସିଲ୍ ହେଲା; ୭୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେଲେ

ବାହୁଡ଼ା ଯାତ୍ରା ପାଇଁ ରଥ ଯାତ୍ରା ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବଡ଼ ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୌଣସି କୋଠାରୁ କେହି ଘରର ଛାତ ଉପରେ ବା ଘର ବାହାରେ ଥିବାର ଦେଖାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପ୍ରଶାସନ ।

ବାହୁଡ଼ା ଯାତ୍ରା ପାଇଁ ପୁରୀର ସବୁ ପ୍ରବେଶ ପଥ ସିଲ୍ ହେଲା; ୭୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହେଲେ
ମାଉସୀମା’ ମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି ।
  • News18 Odia
  • Last Updated: June 30, 2020, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସଟଡାଉନ ସମେତ କର୍ଫ୍ୟୁ ଜାରି ଅଛି । ଜିଲ୍ଲାର ସବୁ ପ୍ରବେଶ ପଥ ସିଲ ହୋଇଛି । ୭୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି । କୋବିଡ ଟେଷ୍ଟ ପରେ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତମାନେ ଟାଣିବେ ବାହୁଡ଼ା ରଥ । ପୁଲିସ ପକ୍ଷରୁ ରଥରେ ଅତିରିକ୍ତ ଆଉଟର୍‌ କର୍ଡନ କରି ରଥକୁ ଦିଆଯିବ ସୁରକ୍ଷା । କୌଣସି ବ୍ୟକ୍ତି ନିୟମ ନ ମାନିଲେ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଆଇନ ଉଲ୍ଲଙ୍ଘନ କରିଥିବା ନେଇ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ବାହୁଡ଼ା ଯାତ୍ରା ପାଇଁ ରଥ ଯାତ୍ରା ଭଳି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁଣି ବାହୁଡ଼ା ଯାତ୍ରାକୁ ନେଇ ସୁନାବେଶ ପର୍ଯ୍ୟନ୍ତ କରାଯାଇଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ଜୁନ ୩୦ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ବାହାର ଲୋକଙ୍କ ପ୍ରବେଶ ମନା । ସୁପ୍ରିମ କୋର୍ଟଙ୍କ ଗାଇଡଲାଇନକୁ ଅନୁପାଳନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଛି ବ୍ଲୁପ୍ରିଣ୍ଟ ।

ଚଳିତ ବର୍ଷ ବିନା ଭକ୍ତରେ ରଥ ଯାତ୍ରାର ସବୁ ନୀତିକାନ୍ତି  କରାଯାଉଥିବାରୁ ବଡ଼ ଦାଣ୍ଡ ଉପରେ ପୋଲିସ ବିଶେଷ ନଜର ରଖୁଛି । ବାହୁଡ଼ା ଯାତ୍ରା ପାଇଁ ଏକ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବଡ଼ ଦାଣ୍ଡର ଦୁଇ ପାର୍ଶ୍ୱରେ ଥିବା କୋଠାରୁ କେହି ବାହାରକୁ ବାହାରିବେ ନାହିଁ ।  ଆଇନ ଭାଙ୍ଗି ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକେ ବାଧ୍ୟ ନ କରନ୍ତୁ ବୋଲି ପୋଲିସ୍‌ କଡ଼ା ଚେତାବନୀ ଦେଇଛି ।

ତିନି ରଥ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।


‘‘ଏଥର ବାହୁଡ଼ା ଯାତ୍ରା ପାଇଁ ନିୟୋଜିତ ହୋଇଛନ୍ତି ୭୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ଓ ୪୦୦ରୁ ଉର୍ଦ୍ଧ ଅଫିସର । ରଥର ସୁରକ୍ଷା ଦୃଷ୍ଟିରୁ ଅତିରିକ୍ତ ଏକ ଆଉଟର କର୍ଡ଼ନ ରହିବ । କେବଳ କୋଭିଡ୍ ଟେଷ୍ଟରେ ନେଗେଟିଭ ଥିବା ସେବାୟତ ଟାଣିବେ ରଥ । ରଥ ଯାତ୍ରା ଭଳି ବାହୁଡ଼ା ଯାତ୍ରା ହେବ । ସେବାୟତମାନେ ରଥ ଟାଣିବା ଲାଗି ବଡ଼ ଦାଣ୍ଡରେ ପାଣି ସିଞ୍ଚନ କରାଯିବ । ଆମ୍ବୁଲାନ୍ସ ଚଳାଚଳ ପାଇଁ କିଛି ଅସୁବିଧା ନାହିଁ । କେବଳ ସେବାୟତମାନେ ହିଁ ରଥ ଟାଣିବେ । ପୋଲିସ ରଥ ଟାଣିବ ନାହିଁ । କେବଳ ରଥକୁ ସୁରକ୍ଷା ପାଇଁ ମୁତୟନ ରହିବ ପୋଲିସ୍‌,’’ କହିଛନ୍ତି ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା ଓ କ୍ରାଇମ ବ୍ରାଞ୍ଚ) ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୁରୀ ଜିଲ୍ଲାବାସୀ ତଥା ସହରର ଲୋକଙ୍କ ସହଯୋଗ ଯୋଗୁଁ ରଥ ଯାତ୍ରା ସଫଳ ହୋଇଛି କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । ଜୁଲାଇ ୧ରେ ବାହୁଡା ଯାତ୍ରା, ଜୁଲାଇ ୨ରେ ସୁନାବେଶ, ଜୁଲାଇ ୩ରେ ଅଧରପଣା ଓ ଜୁଲାଇ ୪ରେ ନିଳାଦ୍ରିବିଜେ ରହିଛି ।

ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା ଓ କ୍ରାଇମ ବ୍ରାଞ୍ଚ) ସୌମେନ୍ଦ୍ର ପ୍ରିୟଦର୍ଶୀ (ମଝି) ସୁରକ୍ଷା ବ୍ୟବସ୍ଥା ବିଷୟରେ କହୁଛନ୍ତି ।


‘‘ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଏହି ସବୁ ନୀତି ସୁରୁଖୁରୁରେ ହେବ । ତଥାପି ଲୋକେ ଜିଲ୍ଲା ପ୍ରଶାସନର କର୍ଫ୍ୟୁ ଓ ସଟଡାଉନକୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି । ତା’ ସହିତ ପୁରୀ ସହରରେ ଥିବା ହୋଟେଲ, ଲଜିଂ ଓ ଧର୍ମଶାଳା ଆଦିଙ୍କୁ ନୋଟିସ ଜାରି କରାଯାଇ ଜୁଲାଇ ୪ ପର୍ଯ୍ୟନ୍ତ କୌଣସି ଅତିଥିଙ୍କୁ ରଖିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି  । ବଡ ଦାଣ୍ଡରେ ମଠ, ମନ୍ଦିର, ମସଜିଦ ଓ ଧାର୍ମିକ ଅନୁଷ୍ଠାନ ଆଦିର ସର୍ଭେ ସରିଛି । ତେଣୁ କୌଣସି ଘରର ଛାତ ଉପରେ ବା ଘର ବାହାରେ ଲୋକେ ଥିବାର ଦେଖାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସବୁ ସରକାରୀ କଟକଣା ସମୟରେ ସହରବାସୀ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି,’’ କହିଛନ୍ତି  ଜିଲ୍ଲାପାଳ ବଲୱନ୍ତ ସିଂ ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ସେବାୟତମାନେ ବାହୁଡା ଯାତ୍ରାରେ ବି ରଥ ଟାଣିବେ । ରୋଟେସନ ଭିତ୍ତିରେ ପ୍ରାୟ ୨,୫୦୦ ସେବାୟତଙ୍କର କୋବିଡ ଟେଷ୍ଟ ହୋଇଛି । ସେମାନଙ୍କ ନେଗେଟିଭ ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଉଛି ।

‘‘ପ୍ରତି ରଥକୁ ୫୦୦ ସେବାୟତ ଟାଣିବାକୁ ଥିବାରୁ ତିନି ରଥ ପାଇଁ ୧,୫୦୦ ସେବାୟତ ଓ ବାକି ୧,୦୦୦ ଅତିରିକ୍ତ ସେବାୟତ ରହିଛନ୍ତି, ଯେଉଁମାନେ ଆବଶ୍ୟକ ହେଲେ ରଥ ଟାଣିବେ । ସେଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ରଥ ଟଣା ପାଇଁ ବଡ଼ ଦାଣ୍ଡରେ ଜଳ ସିଞ୍ଚନ ଆଦିର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ରଥ ଯାତ୍ରା ହେଉଥିବାରୁ ସେବାୟତମାନେ ମହାପ୍ରଭୁଙ୍କର ସେବକ ଓ ଭକ୍ତ ପାଲଟିଯାଇଛନ୍ତି,’’ କହିଛନ୍ତି ଦଇତାପତି ନିଯୋଗର ପୂର୍ବତନ ସଭାପତି ରାମକୃଷ୍ଣ ଦାସ ମହାପାତ୍ର ।
First published: June 30, 2020, 10:44 PM IST
corona virus btn
corona virus btn
Loading