କାର୍ଯ୍ୟାନୁଷ୍ଠାନର ପ୍ରଭାବ: ୨୪ ଘଣ୍ଟାରେ ସାବାଡ଼ ହେଲେ କଟକର ଲକଡାଉନ୍ ଉଲ୍ଲଙ୍ଘନକାରୀ ଲୋକେ

ଗତ କାଲି ଗୋଟିଏ ଦିନରେ ୧,୪୦୮ ଗାଡ଼ି ଜବତ କରିଥିବା କଟକ କମିଶନରେଟ ପୋଲିସ ଆଜି ଅପରାହ୍ଣ ସୁଦ୍ଧା ୮୦୦ ଗାଡ଼ି ଜବତ କରି ସାରିଥିଲା । ତେଣୁ ବାଇକ୍ ବଦଳରେ ଲୋକେ ସାଇକେଲ୍ ନେଇ ପରିବା କିଣି ବାହାରୁଛନ୍ତି ।

କାର୍ଯ୍ୟାନୁଷ୍ଠାନର ପ୍ରଭାବ: ୨୪ ଘଣ୍ଟାରେ ସାବାଡ଼ ହେଲେ କଟକର ଲକଡାଉନ୍ ଉଲ୍ଲଙ୍ଘନକାରୀ ଲୋକେ
ସାଇକେଲ୍ ଚଳେଇ ଜାଣି ନ ଥିବାରୁ ଗଡ଼େଇ ଗଡ଼େଇ ଚାଲିଛନ୍ତି ସୌରଭ ସାମଲ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ସାମାଜିକ ଦୂରତା ରକ୍ଷା ଓ ଲକଡାଉନ ନିୟମ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ କଟକରେ ୨୪ ଘଣ୍ଟା ମଧ୍ୟରେ ବାଟକୁ ଆସିଛନ୍ତି ଅମାନିଆ ଲୋକେ । ରାସ୍ତାଘାଟରେ ବାଇକରେ ବୁଲୁଥିବା ଲୋକଙ୍କ ସଂଖ୍ୟା ବହୁତ କମିଛି ।

ଏହାର ଏକ ନିଚ୍ଛକ ଚିତ୍ର ବାଦାମବାଡ଼ିରେ ଖୋଲିଥିବା ଅସ୍ଥାୟୀ ପରିବା ବଜାରରେ ଦେଖିବାକୁ ମିଳିଥିଲା । ବାଇକ ମୋହ ତ୍ୟାଗ କରି ଲୋକେ ଆଜି ପରିବା ପାଇଁ ସାଇକେଲ ନେଇ କିମ୍ବା ଚାଲିକରି ଏଠାକୁ ଆସିଥିଲେ । ବାଦାମବାଡ଼ିକୁ ସଂଯୋଗ କରୁଥିବା ଲିଙ୍କ୍ ରୋଡ଼, ଦୋଳମୁଣ୍ଡାଇ ଓ ଖାନ୍‌ ନଗର ରାସ୍ତାରେ କେବଳ ସାଇକେଲ ହିଁ ଦୃଷ୍ଟି ଗୋଚର ହେଉଥିଲା ।

ଏହି ସାଇକେଲ ଚାଳକଙ୍କ ଭିଡ଼ ମଧ୍ୟରେ ଦୁଇ ଦୁଇଟି ପରିବା ବ୍ୟାଗକୁ ଏକ ସାଇକେଲର ହ୍ୟାଣ୍ଡେଲ ଝୁଲାଇ ସାଇକେଲଟିକୁ ଗଡ଼ାଇ ଗଡ଼ାଇ ନେଉଥିବା ଜଣେ ବ୍ୟକ୍ତି ସମସ୍ତଙ୍କ କୌତୁହଳର କାରଣ ହୋଇଥିଲେ । ସମସ୍ତେ ସାଇକେଲକୁ ଚଲାଇକରି ଯାଉଥିବା ବେଳେ ଏହି ଭଦ୍ର ବ୍ୟକ୍ତି ଜଣଙ୍କ ଗଡ଼ାଇ ଗଡ଼ାଇ ନେବାର କାରଣ କେହି ବୁଝିପାରି ନ ଥିଲେ ।

“ମୁଁ ଆଜ୍ଞା ସାଇକେଲ ଚଳାଇ ଜାଣି ନାହିଁ । ପୂର୍ବରୁ ବାଇକ୍‌ ନେଇ ପରିବା ମାକେର୍ଟ ଆସୁଥିଲି । କିନ୍ତୁ ଶୁଣିଲି ବାଇକ ରାସ୍ତାକୁ ବାହାର କଲେ ପୋଲିସ ବାଇକକୁ ଜବତ କରିବା ସହ ୨,୦୦୦ ଟଙ୍କାର ଫାଇନ ଆଦାୟ କରୁଛି । ସେଥି ପାଇଁ ପୁଅର ସାଇକେଲ ନେଇ ଆଜି ଆସିଥିଲି । ଦୁଇ କିଲୋମିଟର ବାଟ ସାଇକେଲ ପେଲି ପେଲି ମୋର ଅବସ୍ଥା ଖରାପ ହେଇଛି । ତେଣୁ ଏକା ଥରେ ତିନି ଦିନ ପାଇଁ ପରିବା କିଣି ଆଣିଛି,” କହିଛନ୍ତି କଟକ ମଧୁପାଟଣା ବାସିନ୍ଦା ସୌରଭ ସାମଲ ।

କାଲି ଓ ଆଜି ଜବତ ହୋଇଥିବା ବାଇକ୍ ସବୁ ଟ୍ରାଫିକ ଛକ ଉପରେ ରଖାଯାଇଛି ।


ପୋଲିସର ଏହି ଲକଡ଼ାଉନ ଜନିତ କଡକଣା ଯୋଗୁଁ ସୌରଭଙ୍କ ଭଳି ଅନେକ ଲୋକ ଦୀର୍ଘ ଦିନ ପରେ ସାଇକେଲ ଚଲାଇବାର ଅଭିଜ୍ଞତା ହାସଲ କରିଛନ୍ତି । କିଏ ନିଜ ପୁଅର ତ ଆଉ କିଏ ପଡିଶା ଘରୁ ସାଇକେଲ ମାଗି ପରିବା ଠାରୁ ଔଷଧ ପର୍ଯ୍ୟନ୍ତ କିଣାକିଣି କରୁଛନ୍ତି ।

ଦେକାନ ସାମନାରେ ସାମାଜିକ ଦୂରତା ରକ୍ଷା ନ କଲେ ଟ୍ରେଡ଼୍ ଲାଇସେନ୍ସ ବାତିଲ ହେବା ଓ ମାମଲା ରୁଜୁ ହେବା ନେଇ ପୋଲିସ ଓ କଟକ ମହାନଗର ନିଗମର ଚୋତାବନୀ ପରେ ବ୍ୟବସାୟୀମାନଙ୍କ ଚେତା ପଶିଛି । ଆଜି ସହରର ସଉଦା ଓ ପରିବା ଦୋକାନଗୁଡ଼ିକ ସାମନାରେ ଲୋକେ ପରସ୍ପର ଠାରୁ ଦୂରତା ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।

ଗତ କାଲି ଗୋଟିଏ ଦିନରେ ୧,୪୦୮ ଗାଡ଼ି ଜବତ କରିଥିବା କଟକ କମିଶନରେଟ ପୋଲିସ ଆଜି ଅପରାହ୍ଣ ସୁଦ୍ଧା ୮,୦୦ ଗାଡ଼ି ଜବତ କରି ସାରିଛି । କେବଳ ମଧୁପାଟଣା ଟ୍ରାଫିକ ଥାନା ଦ୍ୱାରା ଦୁଇ ଦିନ ମଧ୍ୟରେ ଏତେ ସଂଖ୍ୟାରେ ଗାଡ଼ା ଜବତ ହୋଇଛି ଯେ ଥାନାଗୁଡ଼ିକରେ ଗାଡି ରଖିବାକୁ ଆଉ ଜାଗା ନ ଥିବାରୁ ସେଗୁଡ଼ିକୁ ଟ୍ରାଫିକ ଛକ ଉପରେ ରଖିବାକୁ ବାଧ୍ୟ ହୋଇଛି ପୋଲିସ ।

“ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୁଇଚକିଆ ଯାନ ପିଛା ୨,୦୦୦ ଓ ଚାରିଚକିଆ ପାଇଁ ୫,୦୦୦ ଟଙ୍କା ଲୋଖାଏଁ ଫାଇନ ଆଦାୟ କରାଯାଉଛି,” କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
First published: April 7, 2020, 7:15 PM IST
corona virus btn
corona virus btn
Loading